ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୧୧ ଟି ପ୍ରବାସୀ ଶ୍ରମିକ ପ୍ରବଣ ଜିଲ୍ଲା ର ଶ୍ରମିକ ମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି । ଏହି ପ୍ୟାକେଜ୍ ରେ ଦାଦନ ରୋକିବା ପାଇଁ ୪ ଟି ଜିଲ୍ଲା ଉପରେ ଗୁରୁତ୍ୱ ଦିଆଯାଇଛି । ସେହି ଜିଲ୍ଲା ଗୁଡିକ ହେଲା ବରଗଡ , ବଲାଙ୍ଗୀର , ନୂଆପଡା ଓ କଳାହାଣ୍ଡି ।
ଏହି ପ୍ୟାକେଜ୍ ଦ୍ୱାରା ଅଧିକ କର୍ମ ନିଯୁକ୍ତି ସୃଷ୍ଟି ହେବ ଏବଂ ଶ୍ରମିକମାନେ ବର୍ଦ୍ଧିତ ମଜୁରୀ ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଉପରୋକ୍ତ ଜିଲ୍ଲା ଗୁଡିକ ପାଇଁ ମନରେଗା ଯୋଜନାର ବ୍ୟବସ୍ଥା ହୋଇଛି । ଶ୍ରମିକ ମାନେ ୧୦୦ ଦିନ ବଦଳରେ ୨୦୦ ଦିନର ନିଯୁକ୍ତି ପାଇବେ । ଏହି ଜିଲ୍ଲାର ଶ୍ରମିକ ମାନଙ୍କୁ ୧୮୮ ଟଙ୍କା ବଦଳରେ ୨୮୬.୩୦ ଟଙ୍କା ମଜୁରୀ ମିଳିବ । ଏହା ବ୍ୟତୀତ ଜିଲ୍ଲାର ପ୍ରତ୍ୟକ ପରିବାରର ମହିଳାଙ୍କୁ ସ୍ୱଂୟ ସହାୟକ ଗୋÂୀରେ ସାମିଲ କରାଯିବ ଏବଂ ସେମାନଙ୍କୁ ବୀମାଭୁକ୍ତ କରାଯିବ ।୨୦ ଟି ବ୍ଲକ୍ ର ଉପଯୁକ୍ତ ପରିବାରଙ୍କୁ ପକ୍କା ଘର ଯୋଗାଇ ଦିଆଯିବ । ଶ୍ରମିକ ମାନେ ଯେପରି ସହଜରେ ପ୍ରାପ୍ୟ ପାଇପାରିବେ ସେଥିପାଇଁ ୫୦୦ କୋଟି ଟଙ୍କାର ଏକ କର୍ପସ ପାଣ୍ଠି ଗଠନ କରାଯାଇଛି ।
ଏହି ପ୍ୟାକେଜ୍ ରେ ପ୍ରବାସୀ ଶ୍ରମିକ ମାନଙ୍କ ସହାୟତା ପାଇଁ ପ୍ରତି ପଂଚାୟତ ରେ ଶ୍ରମିକ ମିତ୍ର ନିଯୁକ୍ତି କରାଯିବ । ଆର୍ଥିକ ସଶକ୍ତିକରଣ ପାଇଁ ବିଡିଓଙ୍କ ନିରାପତା ପାଣ୍ଠିରୁ ସହାୟତାପାଇଁ ଆବେଦନ କରିପାରିବେ । ଜିଲ୍ଲା ଓ ରାଜ୍ୟ ସ୍ତରରେ ପ୍ରବାସୀ ଶ୍ରମିକଙ୍କ ଡାଟାବେସ୍ ପ୍ରସ୍ତୁତି କରାଯିବ । ବ୍ୟାପକ ସଚେତନତା ନିମନ୍ତେ ଆରଇସି କାର୍ଯ୍ୟକ୍ରମ କରାଯିବ ।
ଜୟଦେବ ଭବନ ଠାରେ ଆୟୋଜିତ କାର୍ଯ୍ୟୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶ୍ରମିକ ମାନଙ୍କ ଉଦ୍ଧାର ଓ ଅଭିଯୋଗ ସମାଧାନ ପାଇଁ ଅନଲାଇନ୍ ଅଭିଯୋଗ ଗ୍ରହଣ ବ୍ୟବସ୍ଥା ‘ଇ-ଶ୍ରମିକ ସମାଧାନ’ର ଶୁଭାରମ୍ଭ କରିଛନ୍ତି । ଏହା ବ୍ୟବତୀତ ଦୁଇଟି ହେଲପ୍ ଲାଇନ୍ ନମ୍ବର ଜାରୀ କରାଯାଇଛି । ରାଜ୍ୟ ଭିତରେ ସହାୟତା ପାଇଁ ୧୫୫୩୬୮ ଓ ରାଜ୍ୟ ବାହାରେ ୧୮୦୦୨୪୫୬୭୦୩ ନମ୍ବର ଡାଏଲ କରିହେବ ।
ଏହି କାର୍ଯ୍ୟକ୍ରମରେ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା , ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ଓ ଶ୍ରମିକ କଲ୍ୟାଣ ବୋର୍ଡ ର ଅଧ୍ୟକ୍ଷ ସୁବାସ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।