ଜୟପୁର– ଜୟପୁରରେ ରହିଥିବା କେନ୍ଦ୍ର ସରକାରଙ୍କ ଟେଲିକମ୍ କଲୋନୀ ଏବେ ଚୋରଙ୍କ ଆଡ୍ଡାସ୍ଥଳି ପାଲଟିଛି । ପ୍ରତି ରାତ୍ରରେ ଏଠାରୁ ଘର ସାମଗ୍ରୀ ଚୋରୀ ହେଉଥିବା ବେଳେ କାର୍ଯ୍ୟାଳୟର ବିଭିନ୍ନ ଉପକରଣ ମଧ୍ୟ ସେଥିରୁ ବାଦ୍ ପଡୁନି । ଏଭଳି ଅବସ୍ଥାକୁ ନେଇ ଏବେ ପାର୍କ ସାହି ବାସିନ୍ଦା ନିଜ ବାସସ୍ଥାନ ଗୁଡ଼ିକୁ ନେଇ ଆଶଙ୍କା ମଣିବା ଆରମ୍ଭ କଲେଣି ।
ସୂଚନା ପ୍ରକାରେ, ଜୟପୁରସ୍ଥ ଓଡ଼ିଶା ରାଜ୍ୟ ସଡ଼ିକ ପରିବହନ ନିଗମ କଡ଼ରେ ରହିଛି ଟେଲିକମ୍ କଲୋନୀ । ଏଠାକୁ ରାସ୍ତା ରହିଛି ଅଡ଼ିଟ୍ କଲୋନୀ ଦେଇ । ଉଭୟ ଜାତୀୟ ରାଜପଥ ୨୬ ଏବଂ ପାର୍କ ସାହିର ମଧ୍ୟ ଭାଗରେ ରହିଥବା ଏହି କଲୋନୀ ଗତ ୨୦ ବର୍ଷ ପୂର୍ବରୁ ନିର୍ମାଣ ହୋଇଥିଲା । ଏହି କଲୋନୀରେ କେନ୍ଦ୍ର ସରକାରଙ୍କ ଭାରତ ସଂଚାର ନିଗମ ୬ଟି ବ୍ଳକରେ ୩୬ଟି ବଙ୍ଗଳା ନିଜ କର୍ମଚାରୀ ମାନଙ୍କ ପାଇଁ ନିର୍ମାଣ କରିଥିଲା । ପ୍ରତି ବ୍ଳକରେ ୧୨ଟି ଲେଖାଏଁ ରହିଥିବା ୱାଟର୍ । କଲୋନୀ ମଧ୍ୟରେ ରହିଥିବା ବିଶାଳ ଭବନ । ଏଠାରେ ଏସ୍ଡିଓ ମାନଙ୍କ ଅଫିସ୍ ସାଙ୍ଗକୁ ରାଜସ୍ଵ ଆଦାୟ କାଉଂଟର ମଧ୍ୟ ଖୋଲା ଯାଇଥିଲା । ଏହି କଲୋନୀକୁ ବୁଲିବାକୁ ଲୋକେ ଯାଇ ମେଟ୍ରୋସିଟିର ମଜା ନେଉଥିଲେ । ଟେଲିକମ୍ ବିଲ୍ ପୈଠ କରିବା ସମୟରେ ତ ସହର ବାସୀ କାର୍ଯ୍ୟାଳୟ ସହ କଲୋନୀ ବୁଲିବାକୁ ବାଧ୍ୟରେ ଯାଉଥିଲେ । କିନ୍ତୁ ସେ ସମୟ ଏବଂ ଏବର ସମୟ ମଧ୍ୟରେ ବହୁ ପରିବର୍ତ୍ତନ ଘଟିଛି । ଏହି ୩୬ଟି ଟେଲିକମ୍ କ୍ଵାଟର ଏବେ ଭୂତ ବଙ୍ଗଳା ପ୍ରାୟ । ଏଠାରେ ନାମକୁ ମାତ୍ର ୪ରୁ ୫ ଜଣ କର୍ମଚାରୀ ରହୁଛନ୍ତି । ବାକି ଘର ଫାଙ୍କା । ଏହାର ସୁଯୋଗ ନେଇ ଚାଲିଛନ୍ତି ଚୋର ମାନେ । କେଉଁ ଘରୁ ଲୁହା ଛଡ଼ ଚୋରୀ ତ କେଉଁ କାନ୍ଥରୁ ଇଟା ଉଠାଇବା ଆରମ୍ଭ କରିଛନ୍ତି । ପ୍ରାୟ ଅଧିକାଂଶ ଘରୁ ବିଦ୍ୟୁତ୍ ଉପକରଣ ଗାଏବ୍ କରି ବିକ୍ରି ଚାଲିଛି । କ୍ଵାଟର୍ ଗୁଡ଼ିକ ପାଇଁ ସ୍କୁଟର୍ ସେଡ଼୍ ନିର୍ମାଣ ହୋଇଥିବା ବେଳେ ସେଗୁଡ଼ିକର ଏବେ ରହିଛି କେବଳ ଭଙ୍ଗ ଅଂଶ । ଏହି କ୍ଵାଟର ସମ୍ମୁଖରେ ରହିଥିବା ଟେଲିକମ୍ କାର୍ଯ୍ୟାଳୟ । ଏଠାରେ ଏସ୍ଡିଓଙ୍କ ଅଫିସ୍ ସହ ଟେଲିଗ୍ରାମ୍ ସାଙ୍ଗକୁ ରାଜସ୍ୱ ଆଦାୟ ମଧ୍ୟ ହେଉଥିଲା । କିନ୍ତୁ ଏସବୁ ଏବେ ଏଠାରେ ବନ୍ଦ । ଯଦ୍ଵାରା ତିନି ମହଲା ଏହି କାର୍ଯ୍ୟାଳୟ କୋଠା ଏବେ ଭଙ୍ଗ ସ୍ତୁପ ପ୍ରାୟ । ଏଥିରୁ ମଧ୍ୟ ଚୋରୀ ହେବାଆରମ୍ଭ ହେଲାଣି । କିଏ ଏହାର ଦାୟିତ୍ଵରେ ରହିଛନ୍ତି କାହାକୁ ଜଣାନାହିଁ । ଦେଖିବାକୁ ଗଲେ କେନ୍ଦ୍ର ସରକାରଙ୍କ ଉଦ୍ୟୋଗ “ଭାରତ ସଂଚାର ନିଗମ ଲିଃ’ର ଏକ ବ୍ୟବସାୟିକ ୟୁନିଟ୍ ହେଲା କୋରାପୁଟ ଟେଲିକମ୍ ଜିଲ୍ଲା । ଏହାର ଅଧିନରେ ରହିଛି କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଏବଂ ରାୟଗଡ଼ା ରାଜସ୍ଵ ଜିଲ୍ଲା । ଏହି ଚାରି ରାଜସ୍ଵ ଜିଲ୍ଳାରେ ୧୦୭ ଟେଲିଫୋନ୍ ଏକ୍ସଚେଞ୍ଜ୍ ମାଧ୍ୟମରେ ଲେଣ୍ଡ ଲାଇନ୍ ସେବା ଦିଆଯାଇଛି । ତତ୍ ସହ ୨ଜି, ୩ଜି, ୪ଜି, ଲିଜ୍ ଲାଇନ୍, ଆଇଏସ୍ଡିଏନ୍ ଭଳି ସେବା ମଧ୍ୟ ଦିଆଯାଇଛି । ପୁରା ଅଂଚଳକୁ କୋରାପୁଟ ସେକେଣ୍ଡାରୀ ସ୍ଵିଚିଂ ଏରିଆ କୁହାଯାଏ । ଏହା ଓଡ଼ିଶା ଟେଲିକମ୍ ସର୍କଲ ଅଧିନସ୍ଥ । ଏହି ଟେଲିକମ୍ ଜିଲ୍ଲାର ମୁଖ୍ୟ ସାଧାରଣ ପରିଚାଳକ । ତାଙ୍କ ଅଧିନରେ କୋରାପୁଟ ଟେଲିଗ୍ରାଫ୍ ସବ୍ଡିଭିଜନ୍, ଜୟପୁର ଟେଲିଗ୍ରାଫ୍ ସବ୍ ଡିଭିଜନ୍, ଜୟପୁର ଫୋନ୍ସ ସବ୍ଡିଭିଜନ୍, ରାୟଗଡ଼ା ଟେଲିଗ୍ରାଫ୍ ସବ୍ ଡିଭିଜନ୍, ରାୟଗଡ଼ା ଫୋନ୍ସ ସବ୍ଡିଭିଜନ୍, ଗୁଣୁପୁର ଟେିଲିଗ୍ରାଫ୍ ସବ୍ ଡିଭିଜନ୍, ନବରଙ୍ଗପୁର ଟେଲିଗ୍ରାଫ୍ ସବ୍ ଡିଭିଜନ୍ ଏବଂ ମାଲକାନଗିରି ଟେଲିଗ୍ରାଫ୍ ସବ୍ଡିଭିଜନ୍ ରହିଥିବା ବେଳେ ଦୁଇ ଜଣ ଏଜିଏମ୍ ଏହାକୁ ପରିଚାଳନା କରନ୍ତି । ଜଣେ ଏଜିଏମ୍ କୋରାପୁଟ ଉପଖଣ୍ଡ ସହ ରାୟଗଡ଼ା, ଗୁଣପୁର ବୁଝୁଥିବା ବେଳେ ଜଣେ ଜୟପୁର ଉପଖଣ୍ଡ ସହ ନବରଙ୍ଗପୁର ଏବଂ ମାଲକାନଗିରି ଉପଖଣ୍ଡ କଥା ବୁଝନ୍ତି । ଜୟପୁର ଉପଖଣ୍ଡ ପାଇଁ ନିର୍ମାଣ ହୋଇଥିବା ଏହି କାର୍ଯ୍ୟାଳୟ । ଏଠାରେ ଏସ୍ଡିଓ ଏବଂ ଜେଇ ମାନଙ୍କ ପ୍ରକୋଷ୍ଠ ରହିଥିଲା । କିନ୍ତୁ ସମୟ କ୍ରମେ ଏଠାରୁ ଅଧିକାଂଶ ଅଫିସର୍ ବଦଳି ଏବଂ ଭିଆର୍ଏସ୍ ନେବା ପରେ କର୍ମଚାରୀ ମରୁଡ଼ି ଅବସ୍ଥା ହୋଇଛି । ଯଦ୍ୱାରା ଏହି ନୂଆ କାର୍ଯ୍ୟାଳୟ କୋଠାକୁ ବିଭାଗ ବନ୍ଦ କରି ରଖିଥିବା ବେଳେ କ୍ୱାଟର୍ ଗୁଡ଼ିକରେ ଏବେ ତାଲା ଝୁଲୁଛି । ଏହାର ସୁଯୋଗ ନେଇ ଚାଲିଛନ୍ତି ଅସାମାଜିକ ତତ୍ୱ । ଜୟପୁର ପୌରପାଳିକା ଅନ୍ତର୍ଗତ ୨୭ ନଂ ୱାର୍ଡରେ ରହିଥିବା ଏହି ଟେଲିକମ୍ କଲୋନୀ ପାଇଁ ପୌର ପରିଷଦ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରଛି । ଗତ ଦୁଇ ବର୍ଷ ମଧ୍ୟରେ ପୌର ପରିଷଦ ପକ୍ଷରୁ ୪୦ ଲକ୍ଷ ଟଙ୍କା କେବଳ ପେଭର୍ ବ୍ଳକ ଏବଂ ଡ଼୍ରେନ୍ ପାଇଁ ଖର୍ଚ୍ଚ କରାଯାଇଛି । କିନ୍ତୁ କଲୋନୀରେ ଚାଳିଶି ଲୋକ ରହୁନାହାନ୍ତିଁ । ଏଭଳି ଅବସ୍ଥାକୁ ଯାଇଛି ଏବେ ଜୟପୁର ଟେଲିକମ୍ କଲୋନୀ । ଜାତୀୟ ରାଜପଥ ୨୬ ଠାରୁ ୧୦୦ ମିଟର ଦୂର ଏବଂ ସହରର ଏକ ମୁଖ୍ୟ ସ୍ଥାନରେ ରହିଥିବା ଏହି ମୂଲ୍ୟବାନ କଲୋନୀ କିଭଳି ସୁରକ୍ଷିତ ଭାବେ ରହିବ ସେ ନେଇ ବିଭାଗ ଚିନ୍ତା କରିବା ଆବଶ୍ୟକ । ନତୁବା ରାଜ୍ୟ ସରକାର ଅଡିଟ୍ କଲୋନୀ ଯେଭଳି ଜବରଦଖଲକୁ ଚାଲିଗଲା ସେଭଳି ଅବସ୍ଥା ଉପୁଜିବା ନିଶ୍ଚିତ । ଏ ସଂପର୍କରେ କୋରାପୁଟ ଟେଲିକମ୍ ଜେନେରାଲ୍ ମ୍ୟାନେଜର୍ ରଂଜିତ କୁମାର ସାହୁଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସେ କହିଛନ୍ତି ଯେ, ଏ ସଂକ୍ରାନ୍ତରେ ବିଭାଗ ଖୁବ୍ କମ୍ ଦିନରେ ନିଷ୍ପତି ନେବ ।