ଜୟପୁର– କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଦୃଶ୍ୟ। ତାହା ବି ସ୍ଥାନୀୟ ସରକାରୀ ବାବୁ ତଥା ବୈପାରିଗୁଡା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାଦୁଅ ରାସ୍ତାରେ ଫସିବା ଦୃଶ୍ୟ। ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ରାମଗିରି ପଞ୍ଚାୟତର ବାଘଝୋଲା ଗ୍ରାମରେ। କୈାଣସି ଏକ କାମରେ ସ୍ଥାନୀୟ ବିଡ଼ିଓ ତାଙ୍କ ଦାମୀକିଆ ଗାଡ଼ିରେ ଯାଉଥିବା ବେଳେ ବାଘଝୋଲା ଗ୍ରାମରେ ପଚ ପଚ କାଦୁଅ ରାସ୍ତାରେ ଫସି ଯାଇଥିଲେ। ଯେତେ ଚେଷ୍ଟା କଲେ ବି ଗାଡି କାଦୁଅରୁ ବାହାରି ପାରି ନ ଥିଲା। ଯାହା ଫଳରେ ନିଜେ ବିଡ଼ିଓ ଗାଡିରୁ ଓହ୍ଲାଇ ପଡିଥିଲେ। ଦୀର୍ଘ ସମୟର ଅପେକ୍ଷା ପରେ ଏକ ଟ୍ରାକ୍ଟର ସାହାରା ନେଇ ଗାଡିଟିକୁ କାଦୁଅ ରାସ୍ତାରୁ ବାହାର କରିଥିଲେ। ଟ୍ରାକ୍ଟର ସାହାଯ୍ୟରେ ବିଡ଼ିଓ ବାବୁଙ୍କ ଦାମୀ ଗାଡ଼ିକୁ ଟଣା ଯାଇଥିଲା। ତେବେ ସରକାରୀ ବାବୁଙ୍କ ଏ ଅବସ୍ଥା ତେବେ ଗାଁ ଲୋକେ କେଉଁ ଭଳି ଏହି ସମସ୍ୟାକୁ ସାମ୍ନା କରୁଥିବେ ଏହା ହୁଏ ତୋ ସ୍ଥାନୀୟ ବିଡ଼ିଓ ଭାସ୍କର ଚନ୍ଦ୍ର ସାହୁ ବୁଝି ଯାଇଥିବେ। ଦୀର୍ଘ ଦିନ ଧରି ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ପଞ୍ଚାୟତ ଅଫିସର, ସ୍ଥାନୀୟ ବିଡ଼ିଓଙ୍କୁ ଏହି ବାଘଝୋଲା ରାସ୍ତାକୁ ନେଇ ଗୁହାରି କରିଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। କିନ୍ତୁ କୈାଣସି ସରକାରୀ ବାବୁ ସେମାନଙ୍କ ଗୁହାରି କର୍ଣ୍ଣପାତ କଲେ ନାହିଁ। ନିଜେ ସ୍ଥାନୀୟ ବିଡ଼ିଓ ମଧ୍ୟ କର୍ଣ୍ଣପାତ କରିଥିବା ନ ଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। ତେବେ ଆଜି ନିଜେ ସେହି ରାସ୍ତାରେ ଦୀର୍ଘ ସମୟ ଧରି ଫସିଥିଲେ ବୈପାରିଗୁଡା ବିଡ଼ିଓ। ଗତ ବୁଧବାର ଦିନ ବାଘଝୋଲା ଗ୍ରାମର ଦନାଇ ପରଜାଙ୍କ ଦେହ ହଠାତ୍ ଖରାପ୍ ହୋଇଯିବାରୁ ତୁରନ୍ତ ଆମ୍ବୁଲାନ୍ସ କୁ ଫୋନ୍ କରି ଗାଁ ଲୋକେ ଡାକିଥିଲେ। କିନ୍ତୁ ରାସ୍ତା ଅତି ଶୋଚନୀୟ ଏବଂ ସଙ୍କଟାପନ୍ନ ଥିବାରୁ ଆମ୍ବୁଲାନ୍ସ ଗାଁ ମୁଣ୍ଡରେ ହିଁ ଛିଡା ହୋଇ ରହିଲା।ଯାହା ଫଳରେ କି ୧ କିଲୋମିଟର ଖଟିଆ ରେ ବୁହା ହେଲେ ଦନାଇ ପରଜା।
୧ କିଲୋମିଟର ଖଟିଆ ରେ ବହି ଡାକ୍ତରଖାନାରେ ନେଇ ଥିଲେ ଗ୍ରାମବାସୀ। ବିଭିନ୍ନ ରାସ୍ତାକୁ ମୁଖ୍ୟ ରାସ୍ତା ସହିତ ଯୋଡ଼ିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି। କିନ୍ତୁ କିଛି ସରକାରୀ ବାବୁ ମାନଙ୍କ ଅବହେଳା ଏବଂ ଖାମଖିଆଲି କାର୍ଯ୍ୟ ଯୋଗୁଁ ଏହି ଭଳି ସମସ୍ୟା ଉପୁଜୁଥିବା ଦେଖିବାକୁ ମିଳିଛି। ପ୍ରତ୍ୟେକ ଦିନ ଅସୁବିଧାର ସମ୍ମୁଖୀନ ହୋଇ ରାସ୍ତା ନିର୍ମାଣ ପାଇଁ ବ୍ଲକ ଆଉ ଜିଲ୍ଲା ସ୍ତରରେ ଏହି ସମସ୍ୟା ବିଷୟରେ ଅଞ୍ଚଳବାସୀ ଜଣାଉଥିବା ବେଳେ ଏହାର ସମାଧାନ ହେଉନଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରିବା ସହ ସମାଧାନ ପାଇଁ ଦାବୀ କରିଛନ୍ତି।ତେବେ ନିଜେ ଏହି ରାସ୍ତାରେ କୈାଣସି ଏକ କାର୍ଯ୍ୟରେ ଯିବା ସମୟରେ ବିଡ଼ିଓ ଦୀର୍ଘ ସମୟଧରି ଫସିଥିଲେ।ଏହି ରାସ୍ତାର ସମସ୍ୟା କେବେ ସମାଧାନ କରାଯିବ ଏବଂ କେବେ ଏହି ରାସ୍ତା ନିର୍ମାଣ କରାଯିବ ତାହା ଏବେ ଦେଖିବାକୁ ବାକି ରହିଲା।