ନୂଆଦିଲ୍ଲୀ– ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭାରତ ଆସିଥିବା ଶେଖ୍ ହସିନାଙ୍କ ଦ୍ୱିତୀୟ ରାତି ବି ବାୟୁସେନାର ଏୟାରବେସରେ କଟିଛି । ତାଙ୍କୁ ଅନ୍ୟ କୌଣସି ଦେଶରେ ରାଜନୈତିକ ଶରଣ ଦେବା ପାଇଁ ଭାରତ ପକ୍ଷରୁ କୂଟନୈତିକ ଉଦ୍ୟମ ଆରମ୍ଭ ହୋଇଛି । ଏହାସହିତ ଦିଲ୍ଲୀର କୌଣସି ଅଜ୍ଞାତ ସୁରକ୍ଷିତ ସ୍ଥାନ ବି ତଲାସ କରାଯାଉଛି, ଯାହଦ୍ୱାରା ତାଙ୍କୁ ଏୟାରବେସରୁ ହଟାଇ ସେଠାକୁ ସିଫ୍ଟ କରାଯାଇପାରିବ । ଏଥିପାଇଁ ବାୟୁସେନାର ବିମାନ ରାଜଧାନୀରେ ଉଡାଣ କରି ଡ୍ରିଲ କରିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ଭାରତ ନେଇକରି ଆସିଥିବା ବାଂଲାଦେଶୀ ବାୟୁସେନାର ବିମାନ ଏବେ ଫେରିଯାଇଛି । ପ୍ରାୟ 16ଘଂଟା ବିତାଇବା ପରେ ବାଂଲାଦେଶୀ ବିମାନ ସି-130 ମଙ୍ଗଳବାର ସକାଳ 9ଟା ବେଳେ ଉଡାଣ ଭରିଥିଲେ । ବିମାନରେ ବାଂଲାଦେଶରୁ 7ଜଣ ବାୟୁସୈନିକ ବି ଶେଖ ହସିନାଙ୍କୁ ଏଠାରେ ଛାଡିବା ପରେ ସ୍ୱଦେଶ ଫେରିଯାଇଛନ୍ତି ।