-
– ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଅଧିକ ପ୍ରତିଶତର ସ୍ଥାନ ସଂରକ୍ଷଣ ପାଇଁ ତ୍ୱରିତ ପଦକ୍ଷେପ ନିଅନ୍ତୁ ରାଜ୍ୟ ସରକାର – ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର- ଓବିସି ଓ ଏସଇବିସି ବର୍ଗ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ମାମଲାରେ ପୁଣି ଥରେ ପତ୍ର ଲେଖି ଏହି ଉଭୟ ବର୍ଗ ପାଇଁ ସ୍ଥାନ ସଂରକ୍ଷଣ କ୍ଷେତ୍ରରେ ତ୍ୱରିତ ପଦକ୍ଷେପ ନେବା ପାଇଁ ପୁଣି ଦୃଢ ଦାବୀ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ମହାରାଷ୍ଟ୍ର ବିଧାନସଭାର ପ୍ରସ୍ତାବ ପରିପ୍ରେକ୍ଷୀରେ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟ୍ ୨୦୨୧ ଜନଗଣନା ସହିତ ରାଜ୍ୟର ଏସଇବିସି ବର୍ଗ ଅନ୍ତଭୃକ୍ତ ଜାତି ଗୁଡିକର ଗଣନା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏହି ପଦକ୍ଷେପ ରାଜ୍ୟ ସରକାରଙ୍କର ଓବିସି ଓ ଏସଇବିସି ବର୍ଗ ଅନ୍ତର୍ଗତ ଜନସାଧାରଣଙ୍କୁ ଉପଯୁକ୍ତ ସଂରକ୍ଷଣ ଅଧିକାର ନଦେବା ତଥା ଏହି ମାମଲାରେ ସରକାରଙ୍କର ଅପାରଗତା ଲୁଚାଇ ରଖିବାର ଏକ ଉଦ୍ୟମ ବୋଲି ସେ ବର୍ଣ୍ଣନା କରିଛନ୍ତି ।
ଏହି ପ୍ରସଙ୍ଗକୁ ବିଚାର କରିବା ପାଇଁ ଉଦ୍ଧିଷ୍ଟ ରାଜ୍ୟରେ ବ୍ୟାକୁଆର୍ଡ କ୍ଲାସ କମିଶନ ଗଠନ ନକରି ଜନଗଣନାରେ ପଛୁଆ ଜାତି ଗଣନା କଥା କହିବା ରାଜ୍ୟ ସରକାରଙ୍କର ଓବିସି ଓ ଏସଇବିସି ବର୍ଗ ପାଇଁ ପ୍ରତିବଦ୍ଧତା ନଥିବାର ବଳିÂ ପ୍ରମାଣ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ୨୦୯ଟି ଜାତି ବିଶେଷ ରାଜ୍ୟର ଏସଇବିସି ବର୍ଗରେ ସାମିଲ ହେବା ସହ ଐତିହାସିକ ଭାବେ ଦାରିଦ୍ୟ ଓ ଅଶିକ୍ଷାର ପୀଡିତ । ରାଜ୍ୟର ମୋଟ ଜନସଂଖ୍ୟାର ପ୍ରମୁଖ ଅଂଶ ହେଉଛନ୍ତି ଓବିସି ଓ ଏସଇବିସି ବର୍ଗ ।
ସମ୍ବିଧାନର ଧାରା ୧୫(୪) ଓ ୧୬(୪) ବଳରେ କେନ୍ଦ୍ର ସରକାର ଓବିସି ବର୍ଗଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ସୁବିଧା ଦେଇଛନ୍ତି । ଏହାକୁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ମଧ୍ୟ ବୈଧ ଘୋଷଣା କରିଛନ୍ତି । ମାତ୍ର ଦେଶରେ ଦୀର୍ଘ ୩୦ ବର୍ଷ ଧରି ଏହା ଲାଗୁ ହେଲା ପରେ ମଧ୍ୟ ଓଡିଶା ସରକାର ଓବିସିଙ୍କୁ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଓ ଏସଇବିସିଙ୍କୁ ଶିକ୍ଷା କ୍ଷେତ୍ରରେ କଣ ପାଇଁ ସଂରକ୍ଷଣ ଦେଉନାହାନ୍ତି ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।
ଦେଶର ସବୁ ରାଜ୍ୟ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଅନ୍ୟୁନ ୨୭ ପ୍ରତିଶତ ସଂରକ୍ଷଣ ଲାଗୁ କରିଥିବା ବେଳେ କର୍ଣ୍ଣାଟକ, ତାମିଲନାଡୁ, କେରଳ ଓ ବିହାର ଆଦି ରାଜ୍ୟ ସେସବୁ ରାଜ୍ୟ ଗୁଡିକରେ ଏହି ଜାତି ଗୁଡିକର ଜନସଂଖ୍ୟାରେ ଅଧିକ ଭାଗ କାରଣରୁ ଅଧିକ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି । ତାମିଲନାଡୁ ଭଳି ରାଜ୍ୟରେ ୫୯ ପ୍ରତିଶତ ସ୍ଥାନ ସଂରକ୍ଷିତ ଥିବା ବେଳେ ଏଥିରୁ ୫୦ ପ୍ରତିଶତ ପଛୁଆ ଜାତିଙ୍କ ପାଇଁ ସଂରକ୍ଷିତ ରହିଛି । ମାତ୍ର ଓଡିଶା ଜନସଂଖ୍ୟାରେ ଓବିସି ଓ ଏସଇବିସି ସଂଖ୍ୟା ଯଥେଷ୍ଟ ଅଧିକ ଥିବାବେଳେ ଜନସଂଖ୍ୟା ଅନୁସାରେ ସେମାନେ ସଂରକ୍ଷଣ ସୁବିଧାରୁ ବଂଚିତ ଅଛନ୍ତି ।
ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟରେଅଧିକ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ପ୍ରତିବନ୍ଧକ ନାହିଁ । ଇନ୍ଦ୍ରା ସ୍ୱହନୀ ଓ ଭାରତ ସରକାରଙ୍କ କେସ୍ ମାମଲାରେ ମାନ୍ୟବର ସୁପ୍ରିମକୋର୍ଟ ବିଶେଷ ପରିସ୍ଥିତିରେ ସ୍ଥାନ ସଂରକ୍ଷଣ ନିଦ୍ଧିଷ୍ଟ ସୀମା ଠାରୁ ଅଧିକ ହୋଇପାରିବ ବୋଲି ରାୟ ପ୍ରକାଶ କରିଥିଲେ । ମହାରାଷ୍ଟ୍ରର ଦେବେନ୍ଦ୍ର ଫଡନାବିସ ସରକାର ମରଠା କମ୍ୟୁନିଟି ପାଇଁ ୧୬ ପ୍ରତିଶତ ନିଯୁକ୍ତି ଓ ଶିକ୍ଷାରେ ବ୍ୟବସ୍ଥା କରିବା ପରେ ମହାରାଷ୍ଟ୍ରର ସ୍ଥାନ ସଂରକ୍ଷଣ ୬୩ ପ୍ରତିଶତକୁ ବୃଦ୍ଧି ପାଇଥିଲା ଓ ଏହା ବମ୍ବେ ହାଇକୋର୍ଟ ରାଜ୍ୟ ସରକାରଙ୍କର ସୀମା ଉପରେ ବିଶେଷ କାରଣ ଯୋଗୁଁ ସଂରକ୍ଷଣ ବଢାଇବାର ଅଧିକାରକୁ ସମ୍ମତି ପ୍ରଦାନ କରିଥିଲେ । ରାଜ୍ୟରେ ୧୯୯୩ ମସିହା ଠାରୁ ଓଡିଶା ଷ୍ଟେଟ୍ କମିଶନ ଫର୍ ବ୍ୟାକୁଆର୍ଡ କ୍ଲାସେସ୍ ଆକ୍ଟ ପାସ୍ ହୋଇଥିବା ପରେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇନଥିବା ଦର୍ଶାଇ ତୁରନ୍ତ ଏହି ବ୍ୟାକୁଆର୍ଡ କ୍ଲାସ୍ କମିଶନ ଗଠନ କରି ବୈଜ୍ଞାନିକ ଓ ତଥ୍ୟ ସମ୍ବଳିତ ରିପୋର୍ଟ ଆଧାରରେ ଜନସଂଖ୍ୟାାରେ ଭାଗ ଅନୁସାରେ ଅଧିକ ପ୍ରତିଶତ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଅଧିକ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ପଦକ୍ଷେପ ନେବାକୁ ଦାବୀ କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଏହି ପଦକ୍ଷେପ ସଂରକ୍ଷଣ ସୁବିଧା ପାଉନଥିବା ଯୋଗ୍ୟ ବ୍ୟକ୍ତି ମାନଙ୍କର ମଙ୍ଗଳ କରିବା ସହ ଜନସଂଖ୍ୟାର ସବୁ ବର୍ଗଙ୍କର ରାଜ୍ୟକୁ ଉପଯୁକ୍ତ ସେବା ଦେବାର ସୁଯୋଗ ପାଇପାରିବେ । ଶ୍ରୀ ପ୍ରଧାନ ଏହି ପତ୍ରରେ ମୁଖ୍ୟମନ୍ତ୍ରୀତୁରନ୍ତ ଓ ସକାରତ୍ମକ ପଦକ୍ଷେପ ନେବେ ବୋଲି ଆଶାବ୍ୟକ୍ତ କରିଛନ୍ତି ।