
ଜୟପୁର– ସାରା ରାଜ୍ୟରେ ଜାରି ରହିଛି ବର୍ଷା।ତୁହାକୁ ତୁହା ବର୍ଷା ଯୋଗୁଁ ସାରା ରାଜ୍ୟର ବିଭିନ୍ନ ଅଂଚଳ ଏବେ ବେହାଲ୍। ଏଥିରୁ ବାଦ ପଡ଼ିନାହିଁ କୋରାପୁଟ ଜିଲ୍ଲା। ଦୀର୍ଘ ଦିନ ଧରି କୋରାପୁଟ ଜିଲ୍ଲାରେ ମଧ୍ୟ ବର୍ଷା ଲାଗି ରହିଛି। ଯାହା ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। କୋରାପୁଟ ଜିଲ୍ଲାର ଦାମନଯୋଡି ଠାରେ ମଧ୍ୟ ଦୀର୍ଘ ଧରି ବର୍ଷା ଲାଗିରହିଛି। କିନ୍ତୁ ଆଜି ପ୍ରବଳ ବର୍ଷା ଯୋଗୁଁ ଦାମନଯୋଡି ସ୍ଥିତ ନାଲକୋ ପଞ୍ଚ ପଟ୍ଟମାଳି ବକ୍ସାଇଟ ମାଇନ୍ସ୍ ର ସାଉଥ୍ ବ୍ଲକ୍ ନିକଟରେ ଥିବା ପାହାଡର ମାଟି ଧସିଛି। ଦାମନଯୋଡି ସ୍ଥିତ ଗଉଡି ଛକ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ଫଳରେ ମାଟି ଧସି ଭାସି ଆସି ସଂପୃକ୍ତ ଅଞ୍ଚଳରେ ରହିଯାଇଛି। ଫଳରେ ଯାତାୟାତ ରାସ୍ତା ଅବରୋଧ ହୋଇଯାଇଛି। ସ୍ଥାନୀୟ ଅଞ୍ଚଳରେ କୃତ୍ରିମ ବନ୍ୟା କହିଲେ ଅତ୍ୟୁକ୍ତି ହେବ ନାହିଁ। ବର୍ତ୍ତମାନ ପାହାଡ଼ ଧସି ବର୍ଷା ଜଳ ସହିତ ନଦୀର ସ୍ରୋତ ଭଳି ରାସ୍ତା ଉପରେ ପ୍ରବାହିତ ହେଉଛି। ଏଥିଯୋଗୁଁ ଚାରି ଚକିଆ ଯାନ ଫସି ରହିଥିବା ବେଳେ ବର୍ତ୍ତମାନ ଦୁଇ ଚକିଆ ଯାନ ମଧ୍ୟ ଯିବା ଆସିବା କଷ୍ଟକର ହୋଇଯାଇଛି। ଯେଉଁ ଭଳି ଭାବେ କୋରାପୁଟ ଜିଲ୍ଲାରେ ବର୍ଷା ଦୀର୍ଘ ଦିନ ଧରି ଲାଗି ରହିଛି ଏଥିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି।