
-
ନିଘା ନାହିଁ ଜନସ୍ବାସ୍ଥ୍ୟ ବିଭାଗର କି ଯାଞ୍ଚ ହେଉନି ଖାଦ୍ୟର ମାନ
-
ଲୋକଙ୍କ ଜୀବନ ସହ ଚାଲିଛି ଖେଳ
-
ନିୟମିତ ଚଢ଼ାଉ କରୁନାହାନ୍ତି ଫୁଡ୍ ଇନ୍ସପେକ୍ଟର
ବାଲେଶ୍ବର, କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ – ଆପଣ ଖାଉଛନ୍ତି କି ଗୁପଚୁପ୍ ? ଆପଣ ଗୁପଚୁପର ଖଟାପାଣିର ଭକ୍ତ କି ? ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଏହା କେବଳ ଖାଇବା ଅଯୋଗ୍ୟ ନୁହଁ, ବିଷାକ୍ତ ମଧ୍ୟ। ଏହା ଆପଣଙ୍କ ମୂଲ୍ୟବାନ ଜୀବନ ପାଇଁ ଘାତକ ସଦୃଶ। ଆପଣ କଣ ଜାଣନ୍ତି ପାଟିକୁ ସୁଆଦିଆ ଲାଗୁଥିବା ଗୁପଚୁପ୍ ର ଏ ଖଟାପାଣି ଆଉ ତେନ୍ତୁଳିରୁ ହେଉନି ପ୍ରସ୍ତୁତ।ପାଣିରେ ଖଟାଚିନି ବା ଚାଇନା ଚିନି ମିଶାଇ ତିଆରି ହେଉଛି ଖଟାପାଣି। ଆଉ ଦୈନିକ ହାଣ୍ଡି ପରେ ହାଣ୍ଡି ଏଇ ବିଷାକ୍ତ ଖଟାପାଣିକୁ ପିଉଛନ୍ତି ସାଧାରଣ ଜନତା। ଦୈନିକ ବିଷ ଖାଉଛନ୍ତି ଲୋକେ। ଅଥଚ ଏଥିପ୍ରତି ନା ଜିଲ୍ଲା ପ୍ରଶାସନ ନା ଖାଦ୍ୟ ବିଭାଗ କାହାରି ହେଲେ ନାଘା ନାହିଁ। ବେଧଡକ ଚାଲିଛି ବେପାର। ଏହାର ପ୍ରକୃତ ନାମ ଜଣାନଥିଲେ ବି କେଉଁଠି
ଏହାକୁ ଚାଇନା ଖଟା କୁହାଯାଉଛି ତ କେଉଁଠି ଖଟା ଚିନି ବା ଖଟା ଲୁଣ ବି କହୁଛନ୍ତି।
ବାଲେଶ୍ବର ବଜାରରେ ଏହା ଖଟା ଚିନି ଭାବେ ବେଶ୍ ଜଣାଶୁଣା। ଦେଖିବାକୁ ପୁରା ଚିନି ଭଳି ହୋଇଥିଲେ ମଧ୍ୟ ଏହାର ସ୍ବାଦ କିନ୍ତୁ ସମ୍ପୂର୍ଣ୍ଣ ଖଟା। ଏହି ଅଜଣା ଖଟା ଚିନି ଏବେ ବାଲେଶ୍ବରର ଦୋକାନ ବଜାରରେ ଉପଲବ୍ଧ ହେଲାଣି। କିନ୍ତୁ ଏହାଯେ ମଣିଷ ଶରୀର ପ୍ରତି କେତେ କ୍ଷତିକାରକ ତାହା ତଦାରଖ କରିବାକୁ କାହା ଭିତରେ ଯେମିତି ତତ୍ପରତା ନାହିଁ। ଖୋଦ୍ ଡାକ୍ତର ନିଜେ କହୁଛନ୍ତି ଯେ ଏହି ଖଟା ଚିନି ମଣିଷ ଶରୀରରେ ଅନେକ ପ୍ରକାର ରୋଗ ସୃଷ୍ଟିର କାରଣ ହୋଇପାରେ। ଏହାର ସେବନ ଖାଦ୍ୟନଳୀକୁ ନଷ୍ଟ କରିଥାଏ। ମାତ୍ର ଏ ବିଷାକ୍ତ ଖଟା ଚିନି ସମ୍ପର୍କରେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ କିଛି ଜଣାନାହିଁ। ବାଲେଶ୍ଵର ସହରର ଅଧିକାଂଶୁ ଗୁପଚୁପ୍ ଦୋକାନୀ ଏହି ଖଟା ଚିନି ବ୍ୟବହାର କରୁଥିବା ବେଳେ ଅଧିକାରୀଙ୍କ ପାଖରେ ଏ ଖବର ନଥିବା କଥା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏକ ଗୋପନୀୟ ତଥ୍ୟ ଆଧାରରେ ସହରର ପ୍ରାୟ ଅଧିକାଂଶ ଗୁପ୍ଚୁପ୍ ଖଟାପାଣିରେ ଏହି ଖଟା ଚିନି ଅଧିକ ବ୍ୟବହୃତ ହେଉଥିବା ଜଣାପଡ଼ିଛି। ଗୁପ୍ଚୁପ୍ ଦୋକାନୀ ଖଟା ପାଣି ତିଆରି କରିବାକୁ ତେନ୍ତୁଳି ବଦଳରେ ଖଟା ଚିନିକୁ ବ୍ୟବହାର କରୁଛନ୍ତି। ଏହି ଚିନି କଲିକତାରୁ ଆସୁଛି ବୋଲି ନୂଆବଜାରସ୍ଥିତ ଜନୈକ ଦୋକାନୀ ପ୍ରକାଶ କହିଛନ୍ତି। ବାଲେଶ୍ଵର ସହରସ୍ଥ ଅଧିକା˚ଶ ତେଜରାତି ଦୋକାନରେ ଏହି ଖଟା ଚିନି ଅବାଧରେ ବିକ୍ରି ହେଉଛି। ଗୋଟିଏ ଗ୍ଲାସ୍ ପାଣିରେ ଏହି ଚିନିର ୫/୬ଟି ଦାନା ପକେଇ ଦେଲେ ଲେମ୍ବୁ ପାଣି ପରି ଖଟା ହୋଇଥାଏ ବୋଲି ବିକ୍ରେତାଙ୍କ ସୂତ୍ରରୁ ଜଣାପଡିଛି। ତେବେ ଗୁପ୍ଚୁପ୍ ଖଟା ପାଣି ତିଆରି କରିବା ପାଇଁ ଏହାକୁ ବହୁଳ ବ୍ୟବହାର ହେଉଥିବା ନଜରକୁ ଆସିଛି। ଏହି ଚିନି କିଲୋ ପ୍ରତି ୧୨୦ ଟଙ୍କାରେ ବିକ୍ରି ହେଉଛି। ଗୋଟିଏ ହାଣ୍ଡି ଖଟାପାଣି ପାଇଁ ତେନ୍ତୁଳି ଯେତିକି ପରିମାଣରେ ଦରକାର, ସେ ତୁଳନାରେ ଖଟାଚିନି ଚିମୁଟାଏ ହେଲେ କଥା ଶେଷ। ଗୋଟିଏ କେଜି ତେନ୍ତୁଳି ୪/୫ ଦିନରେ ଶେଷ ହେଉଥିବା ବେଳେ ଏହି ଚିନି କେଜିଏ କିନ୍ତୁ ମାସେ ପଳଉଛି। ତେଣୁ ଦୋକାନୀ ଲାଭରେ ରହୁଛି ଖଟାଚିନି ବ୍ୟବହାର କରି। ତେବେ ପ୍ରାଥମିକ ଅନୁସନ୍ଧାନ ରୁ ଜଣାପଡିଛି ଯେ, ଏହି ଚିନି ସ୍ବାସ୍ଥ୍ୟ ପାଇଁ ଆଦୌ ଉପଯୋଗୀ ନୁହେଁ। କିନ୍ତୁ ଏହା କେତେଦୂର ସତ୍ୟ ସେ ସମ୍ପର୍କରେ ଖୋଳତାଡ କରିବାକୁ କାହା ପାଖରେ ଯେମିତି ସମୟ ନାହିଁ। ସ୍ବାସ୍ଥ୍ୟ ପାଇଁ ଏହା କ୍ଷତିକାରକ କି ନୁହେଁ ଜାଣିବା ପାଇଁ ବଜାରରୁ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଜିଲ୍ଲା ଜନସ୍ବାସ୍ଥ୍ୟ ବିଭାଗକୁ ଦିଆଯାଇଥିଲା। ଦୀର୍ଘ ଦିନ ପରେ ଏ ସ˚ପର୍କରେ ପଚାରିବାରୁ ଏହାର ରିପୋର୍ଟ କେବେ ଆସିବ ତାହା କହିହେବ ନାହିଁ ବୋଲି ସେତେବେଳେର
ଖାଦ୍ୟ ସୁରକ୍ଷା ଅଧିକାରୀ ହରପ୍ରିୟା ବେହେରା କହିଥିଲେ। ଏହି ଚିନି ସ୍ବାସ୍ଥ୍ୟପ୍ରତି କ୍ଷତିକାରକ ଏବ˚ ବହୁ ରୋଗର କାରଣ ବୋଲି ଖୋଦ୍ ଗୁପ୍ଚୁପ୍ ଦୋକାନୀ ଓ ବ୍ୟବସାୟୀମାନେ ସ୍ବୀକାର କରୁଛନ୍ତି। ହେଲେ ବେପାର ପାଇଁ ସାଧାରଣ ଲୋକଙ୍କ ଜୀବନ ସହ ବି ଖେଳିବାକୁ ପଛାଉ ନାହାଁନ୍ତି। ଏପରିସ୍ଥଳେ ଦିନକୁ ଦିନ ଏହାର ବ୍ୟବହାର ବହୁଳ ମାତ୍ରାରେ ବଢି ଚାଲିଥିବା ବେଳେ ଏଥିପ୍ରତି ବିଭାଗ ତଦାରଖ ନକରିବା ଜନସାଧାରଣଙ୍କ ସ୍ବାସ୍ଥ୍ୟ ପାଇଁ କାଳ ହୋଇପଡ଼ୁଛି। ଏ ସମ୍ପର୍କରେ ଖାଦ୍ୟ ସୁରକ୍ଷା ଅଧିକାରୀ କହନ୍ତି, ଏ ଅଜଣା ଖଟା ଚିନି ବିଷୟରେ ମୁଁ କିଛି ଜାଣିନି। ଏପରି କିଛି ଜିନିଷ ଗୁପଚୁପର ପାଣିରେ
ମିଶୁଛି ବୋଲି କିଛି ଖବର ବା ଅଭିଯୋଗ ଆସିନାହିଁ। ତେବେ ବର୍ତ୍ତମାନ ଏହାର ନମୁନା ସଂଗ୍ରହ କରି ପରୀକ୍ଷା କରିବାକୁ ଦେବୁ ବୋଲି ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି। ବାଲେଶ୍ଵରର ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ଆଚାର୍ଯ୍ୟଙ୍କୁ ପଚାରିବାରୁ ସେ କହିଥିଲେ, ଏହାଦ୍ବାରା ସଂକ୍ରମଣଜନିତ ରୋଗ ହୋଇଥାଏ। ଆଉ ସଂକ୍ରମଣ ବଢ଼ିଲେ ଡାଇରିଆ, ଟାଇଫଏଡ୍, ଭାଇରାଲ୍ ହେପାଟାଇସିସ୍ କିମ୍ବା ଲିଭର୍ ସମସ୍ୟା ମଧ୍ୟ ହୋଇପାରେ। ଲୋକ କେବଳ ପାଟିର ଲାଲସା ପାଇଁ ଏହା ଖାଉଛନ୍ତି। କିନ୍ତୁ ତାହା ଦେହ ପାଇଁ ଅହିତକର କି ନୁହେଁ ଚିନ୍ତା ସୁଦ୍ଧା କରୁନାହାନ୍ତି। ସେ ଖଟା ଚିନିଦାନା ବିଷୟରେ ଲୋକେ ଏତେବେଶି ସଚେତନ ନୁହନ୍ତି କି ଅନେକେ ଜାଣିନାହାନ୍ତି। କିନ୍ତୁ ତାହା ଖାଇବା ଦ୍ବାରା ଖାଦ୍ୟନଳୀ ନଷ୍ଟ ହୁଏ। ସଂକ୍ରମଣ ଯଦି ଲାଗିରହେ ତେବେ ରହେ ତାହେଲେ ଡାଇରିଆ ହେବା ସହ ଲିଭର୍ କିମ୍ବା ରକ୍ତକୁ ସଂକ୍ରମିତ ହୋଇପାରେ।