ପୁରୀ, ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଆଜି ପୂର୍ବାହ୍ନରେ ନିଳାଦ୍ରୀ ଭକ୍ତ ନିବାସ ଠାରେ ଅନୁଷ୍ଠିତ ହୋଇଛି । ରତ୍ନଭଣ୍ଡାର ମରାମତି କିପରି କରାଯିବ, କେଉଁ କେଉଁ ନିୟମ ପାଳନ କରାଯିବ, କେଉଁସବୁ ଅତ୍ୟାଧୁନିକ ବ୍ୟବସ୍ଥା କରାଯିବ ସେନେଇ ପ୍ରସ୍ତୁତ ହୋଇଛି ସ୍ପେଶିଆଲ ଅପରେଟିଙ୍ଗ ପ୍ରୋସିଜ୍ୟୁର (ଏସଓପି) । ଏସଓପି ପରିଚାଳନା କମିଟିରେ ଅନୁମୋଦନ ଲାଭ କରିଛି । ଚୂଡ଼ାନ୍ତ ନିଷ୍ପତି ପାଇଁ ଏହାକୁ ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ ।
ଭର୍ଚୁଆଲ୍ ମୋଡ୍ ରେ ଗଜପତି ମହାରାଜା ଦିବ୍ୟସିଂହଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଅରବିନ୍ଦ ପାଢୀଙ୍କ ସମେତ ବରିଷ୍ଠ ସେବାୟତ ଓ ପରିଚାଳନା କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ ।
ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଅରବିନ୍ଦ ପାଢୀ ଏନେଇ ଅଧିକ ସୂଚନା ଦେଇ କହିଛନ୍ତି ଯେ, ବୈଠକରେ ମୁଖ୍ୟତଃ ୫ରୁ ୬ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ବିଶେଷ କରି ରତ୍ନଭଣ୍ଡାର ସମ୍ପର୍କରେ ଏସଓପି ହୋଇଛି ତା ଉପରେ ବିଶେଷ ଆଲୋଚନା ହୋଇଥିଲା । ଭିତର ଓ ବାହାର ରତ୍ନଭଣ୍ଡାରରେ ଥିବା ଅଳଙ୍କାର ଇତିମଧ୍ୟରେ ଟେମ୍ପୋରାରି ଷ୍ଟ୍ରଙ୍ଗରୁମ୍ କୁ ସ୍ଥାନାନ୍ତରିତ ହୋଇସାରିଛି । ଏବଂ ରତ୍ନଭଣ୍ଡାରର ମରାମତି ପୂର୍ବରୁ ଯେଉଁ ପୁରୁଣା, ଆଲମିରା କିମ୍ବା ସିନ୍ଧୁକ ଯାହା ସବୁ ସେଠାରେ ରହିଛି ସେସବୁକୁ କିଭଳି ଭାବେ ସ୍ଥାନାନ୍ତରିତ କରାଯିବ ଏବଂ ଯାହା ଆଲୋଚନା ବିଗତ ଦିନରେ ହୋଇଥିଲା ଲେଜର ସ୍କାନିଂ ବା ସାଇଂଟିଫିକ୍ ଠୁଲସ୍, ଟେକନିକ୍ ବ୍ୟବହାର କରାଯିବ ତା ଉପରେ ମଧ୍ୟ ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଏବଂ ଏହି ଏସଓପିକୁ ଆଜି ପରିଚାଳନା କମିଟି ଅନୁମୋଦନ କରିବା ପରେ ତାହାକୁ ରାଜ୍ୟ ସରକାରଙ୍କ ନିକଟକୁ ଚୂଡ଼ାନ୍ତ ଅନୁମୋଦନ ପାଇଁ ପ୍ରେରଣ କରାଯିବ ।
ସେହିପରି ଦ୍ଵିତୀୟ ପ୍ରସ୍ତାବ ଯାହା ଉପରେ ଆଜି ବିସ୍ତୃତ ଭାବେ ଆଲୋଚନା ହୋଇଛି ତାହା ହେଲା ଶ୍ରୀଜଗନ୍ନାଥ ମନ୍ଦିର ଭୂ-ସମ୍ପତି ପରିଚାଳନା ଅଧିନିୟମ-୨୦୨୪ । ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ପୁରୀଙ୍କ ଯାହାବି ଜମି, ସମ୍ପତି ରହିଛି ତା’ର ପରିଚାଳନା ପାଇଁ ଯେଉଁ ନିୟମ ଗୁଡିକ ଲାଗୁ ହେବା କଥା ତା ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା ଏବଂ ଆମେ ଡ୍ରାଫ୍ଟ ରୁଲ୍ ଯାହା ରହିଛି ତାକୁ ଆଜି ପରିଚାଳନା କମିଟି ବୈଠକରେ ଅନୁମୋଦନ କରାଯାଇଛି । ଏବଂ ଏହାକୁ ପରବର୍ତୀ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ନିକଟକୁ ପ୍ରେରଣ କରାଯିବ । ଏବଂ ସରକାରଙ୍କ ଅନୁମୋଦନ ଲାଭ କରିବା ପରେ ତାହାକୁ କାର୍ଯ୍ୟକାରୀ କରାଯିବ ।
ଏହା ସହିତ କେତୋଟି ଅଲଗା ପ୍ରସଙ୍ଗ ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ଆପଣମାନେ ଜାଣିଛନ୍ତି ଅବଢ଼ା ଯୋଜନା ମାଧ୍ୟମରେ ୩୫ ଗୋଟି ଶୀତତାପ ନିୟନ୍ତ୍ରିତ ମିନି ଇ-ବସ୍ ଆସିଛି ଶ୍ରୀମନ୍ଦିର ପ୍ରଶାସନକୁ । ଓବିସିସି ଏହାକୁ କିଣି ଶ୍ରୀମନ୍ଦିର ପ୍ରଶାସନକୁ ଦେଇଛନ୍ତି । ସେ ସମ୍ବନ୍ଧରେ ଆଲୋଚନା ହେଲା ପରେ ନିଷ୍ପତି ନିଆଯାଇଥିଲା ଯେ, ପରିଚାଳନା କମିଟି ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଜଣାଇବେ । ଓଏସଆରଟିସି କିମ୍ବା କୌଣସି ଅଲଗା ଏଜେନ୍ସୀକୁ ତାହାକୁ ହସ୍ତାନ୍ତର କରାଯିବ, ପରବର୍ତୀ ସମୟରେ ତାକୁ ସେମାନେ ପରିଚାଳନା କରିବେ ।
ସେହିପରି ଚତୁର୍ଥ ବିଷୟ ଅର୍ପଣ ଚାଉଳ ସମ୍ବନ୍ଧରେ ବିଭିନ୍ନ ଆଲୋଚନା, ପର୍ଯ୍ୟାଲୋଚନା ଚାଲିଛି । ସେ ସମ୍ବନ୍ଧରେ ଆଜି ପରିଚାଳନା କମିଟି ମୁଖ୍ୟପ୍ରଶାସକ ଏବଂ ଜିଲ୍ଲାପାଳଙ୍କୁ ଅଧିକୃତ କରିଛନ୍ତି ଯେ, ଏହି ଅର୍ପଣ ଚାଉଳ ସମ୍ବନ୍ଧୀୟ ସେବା ସମ୍ପୃକ୍ତ ନିଯୋଗ ଯେତେ ରହିଛନ୍ତି ସେମାନଙ୍କ ସହିତ ଆଲୋଚନା କରିବେ ଏବଂ ଏ ସମ୍ବନ୍ଧରେ ସରକାରଙ୍କୁ ଯାହାବି ଉପଯୁକ୍ତ ପ୍ରସ୍ତାବ ଦେବୁ ଏବଂ ସରକାର ଏନେଇ ଚୂଡ଼ାନ୍ତ ନିଷ୍ପତି ନେବେ । ତା ସହିତ ଅନ୍ୟାନ୍ୟ ପ୍ରସଙ୍ଗ ଯଥା ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ଏ ସମ୍ବନ୍ଧରେ ଜିଲ୍ଲାପାଳ ଓ ଏସପିଙ୍କୁ ନେଇ ଏକ କମିଟି ଗଠନ କରାଯିବ ଏବଂ ସେମାନେ ସମ୍ପୃକ୍ତ ନିଯୋଗ ସହିତ କଥା ହେବେ ।