ଖୋର୍ଦ୍ଧା– ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ ବରୁଣେଇ ସ୍ଥିତ ଶିଳ୍ପାଞ୍ଚଳ ଗସ୍ତ କରି ବିଭିନ୍ନ ଶିଳ୍ପକେନ୍ଦ୍ର ପରିଦର୍ଶନ କରିବା ସହିତ ସମୀକ୍ଷା କରିଛନ୍ତି। ଇଡ଼କୋ ଡିଭିଜନାଲ କାର୍ଯ୍ୟାଳୟରେ ମନ୍ତ୍ରୀ ଶ୍ରୀ ସ୍ବାଇଁଙ୍କ ସହ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଚାରା ରୋପଣ କରିଛନ୍ତି। ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ ଖୋର୍ଦ୍ଧା ବରୁଣେଇ ଶିଳ୍ପାଞ୍ଚଳ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଅପରାହ୍ନରେ ସେଠାରେ ପ୍ରସିଦ୍ଧ ବରୁଣେଇସ୍ଥିତ ବିଭିନ୍ନ ଉଦ୍ୟୋଗ ବୁଲି ଦେଖିବା ସହ ସଂପୃକ୍ତ ସଂସ୍ଥାର ଅଧିକାରୀ ଓ କର୍ମଚାରୀମାନଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି।
ପରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ଵାଇଁ ଜିଲ୍ଲାର ବିଭିନ୍ନ ଶିଳ୍ପ ପ୍ରକଳ୍ପ ଓ ଶିଳ୍ପ ପ୍ରତିଷ୍ଠା ଉପରେ ସମୀକ୍ଷା କରିବା ସହ ବିଭିନ୍ନ ଉଦ୍ୟୋଗ ସମ୍ପର୍କିତ କାର୍ଯ୍ୟର ଅଗ୍ରଗତି ସଂପର୍କରେ ପଚାରି ବୁଝିଥିଲେ। ଜିଲ୍ଲାର ମୁଣ୍ଡାଆମ୍ବା, କାଳୀବାଟୀ ଏବଂ ଭୂଇଁପୁରରେ ବିଭିନ୍ନ ଉଦ୍ୟୋଗରେ ପ୍ରାୟ ୬ ହଜାର ୪୦୦ କୋଟି ଟଙ୍କାର ପୁଞ୍ଜିନିବେଶ କରିବାର ସମ୍ଭାବନା ରହିଛି ଏବଂ ଏହାଦ୍ଵାରା ପ୍ରାୟ ୧୩ ହଜାର ଯୁବକଯୁବତୀ ନିଯୁକ୍ତି ପାଇପାରିବେ ବୋଲି ମନ୍ତ୍ରୀ ଉଲ୍ଲେଖ କରିଥିଲେ। ସେହିଭଳି ଖୋର୍ଦ୍ଧା ତହସିଲ ଅଞ୍ଚଳରେ ଏକ ହଜାର ଏକର, ବୋଲଗଡ଼ର ୬୦୦ ଏକର ଏବଂ ବେଗୁନିଆର ୭୦୦ ଏକର ଜମିରେ ବିଭିନ୍ନ ଉଦ୍ୟୋଗ ପ୍ରତିଷ୍ଠା ହେବା ରାଜ୍ୟର ଯୁବକଯୁବତୀ ମାନଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ଏଥି ନିମନ୍ତେ ସମସ୍ତଙ୍କ ସହଯୋଗ ଜରୁରୀ ବୋଲି କହିଥିଲେ।
ଉକ୍ତ ବୈଠକରେ ଯୋଗଦେଇ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ କହିଲେ ଯେ, ବିଭିନ୍ନ ଉଦ୍ୟୋଗ ପ୍ରତିଷ୍ଠା ହେଲେ ସ୍ଥାନୀୟ ବାସିନ୍ଦାମାନଙ୍କ ପାଇଁ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ବରୁଣେଇ ଓ ଖୋର୍ଦ୍ଧା ସହରର ବିକାଶ କ୍ଷେତ୍ରରେ ଏହି ଉଦ୍ୟୋଗଗୁଡ଼ିକ ସହଯୋଗ କରିବେ। ଖୋର୍ଦ୍ଧା ଭଳି ବୀର ମାଟିରେ ସ୍ମୃତି ରକ୍ଷା କ୍ଷେତ୍ରରେ ବିଭିନ୍ନ ସଂସ୍ଥା ସହଯୋଗ କରିବା ନିମନ୍ତେ ସେ ପରାମର୍ଶ ଦେଇଥିଲେ। ସଂପୃକ୍ତ ଅଞ୍ଚଳକୁ ଯୋଗାଯୋଗ, ପାର୍କିଂ, ଆଲୋକୀକରଣ, ସାଧାରଣ ସୁବିଧା ଉପଲବ୍ଧ କରିବା ନିମନ୍ତେ ସମସ୍ତ ସହଯୋଗ କରାଯିବ ବୋଲି ଶ୍ରୀ ଜଗଦେବ ପ୍ରତିଶ୍ରୁତି ଦେଇଥିଲେ । ସେହିଭଳି ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ, ଜୟଦେବ ବିଧାୟକ ନବକିଶୋର ମଲ୍ଲିକ ଯୋଗଦେଇ ସେମାନଙ୍କ ନିର୍ବାଚନ ମଣ୍ଡଳୀ କ୍ଷେତ୍ରରେ ଶିଳ୍ପୋଦ୍ୟୋଗ ପ୍ରତିଷ୍ଠା ଉପରେ ଗୁରୁତ୍ଵାରୋପ କରିବା ସହ ଏଥି ନିମନ୍ତେ ସମସ୍ତ ସହଯୋଗ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ।
ମନ୍ତ୍ରୀଙ୍କ ଖୋର୍ଦ୍ଧା ଗସ୍ତ ଓ ସମୀକ୍ଷା ବୈଠକ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା,ଇଡ୍କୋର ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆ,ଏମଡି ଇଡକୋ ସୁଶ୍ରୀସ୍ମିତା ପ୍ରଧାନ, ଆସିଷ୍ଟାଣ୍ଟ ମାନେଜର, ଇଡକୋ ହେମାବତୀ ପାତ୍ର, ଡିଭିଜନ ହେଡ଼, ଇଡକୋ ପ୍ରଜ୍ଞାଦାରା ମିଶ୍ର, ସି ଜି ଏମ, ଭୂମି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂ,ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଏବଂ ସାଫଲ୍ୟମଣ୍ଡିତ ପ୍ରଧାନ, ଭୁବନେଶ୍ଵର ଅତିରିକ୍ତ ଜିଲ୍ଲାପାଳ ରୁଦ୍ରନାରାୟଣ ମହାନ୍ତି,ଖୋର୍ଦ୍ଧା ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ, ଭୁବନେଶ୍ଵର ଉପଜିଲ୍ଲାପାଳ ନୀତିଶ ତ୍ରିପାଠୀ, ମାନସ ରଞ୍ଜନ ସ୍ଵାଇଁ , ତହସିଲଦାର ଖୋର୍ଦ୍ଧା, ଓମ ପ୍ରକାଶ ଶତପଥି, ଟି . ଏଲ. ଆଇ. ପି . ଇ ଇଡ୍କୋ, ଶିଳ୍ପ ବିଭାଗ ଜିତେନ୍ଦ୍ରିୟ ଜେନାଙ୍କ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।