ସୁବର୍ଣ୍ଣପୁର, ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଇଚ୍ଛାପୁର ସରପଞ୍ଚ ପ୍ରଶାନ୍ତ ସାହୁଙ୍କୁ ଗତ ୨୬ ତାରିଖ ଅପରାହ୍ନ ୪.୪୫ରେ ବ୍ଲକ କାର୍ଯ୍ୟାଳୟ ପରିସର ବିଡିଓଙ୍କ ସରକାରୀ ବାସ ଭବନ ସମ୍ମୁଖରେ ତିନି ଜଣ ଆକ୍ରମଣ କରିଥିଲେ । ଆକ୍ରମଣ ପରେ ସମସ୍ତ ଅଭିଯୁକ୍ତ ଫେରାର ଥିଲେ । ଏହାକୁ ନେଇ ସରପଞ୍ଚ ସଂଘ ଗିରଫ କରାନଗଲେ ଆନ୍ଦୋଳନର ଧମକ ମଧ୍ୟ ଦେଇଥିଲେ । ଏହାକୁ ନେଇ ଡୁଙ୍ଗୁରିପାଲି ଥାନାରେ ଅଭିଯୋଗ ପରେ ପୁଲିସ ପକ୍ଷରୁ ତତ୍ପରତା ଦେଖା ଦେଇଥିଲା । ଘଟଣା ପରେ ଅଭିଯୁକ୍ତ ମାନେ ଫେରାର ହୋଇଥିବାରୁ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ ମଧ୍ୟ ସୁରାକ ପାଇ ନଥିଲେ । ବିଶ୍ୱସ୍ତ ସୂତ୍ରରୁ ପୁଲିସ ଜାଣିବାକୁ ପାଇଲେ ଯେ ଅଭିଯୁକ୍ତ ମାନେ ମଧ୍ୟପ୍ରଦେଶର ଭିଲାଇ ସହରରେ ରହୁଛନ୍ତି । ଥାନାଧିକାରୀ ସତ୍ୟନାରାୟଣ ପଧାନଙ୍କ ତତ୍ତ୍ୱାବଧାନରେ କେତେକ ବିଶ୍ୱସ୍ତ ପୋଲିସ ମାନଙ୍କୁ ନେଇ ଏକ ଟିମ ଗଠନ କରାଯାଇଥିଲେ । ସେମାନଙ୍କୁ ନେଇ ପୁଲିସ ଭିଲାଇରେ ପହଞ୍ଚିବା ପରେ ଅଭିଯୁକ୍ତମାନେ ସେଠାରୁ ଫେରାର ମାରିଥିଲେ । ପୋଲିସ ସେମାନଙ୍କ ପିଛା କରିଥିଲେ । ପରିଶେଷରେ ଡୁଙ୍ଗୁରିପାଲି ଥାନା ଚିନାଯୁରୀ ନିକଟରେ ସମସ୍ତଙ୍କୁ କାବୁ କରିଥିଲେ । ସେମାନେ ଏକ କାର ଯୋଗେ ଭିଲାଇରୁ ଓଡିଶାର ଚିନାଯୁରୀକୁ ଆସୁଥିବା ବାଟରେ ଗାଡି ସହିତ ଏମାନଙ୍କୁ ଧରିବାରୁ ସଫଳ ହୋଇଥିଲେ । ତିନି ଅଭିଯୁକ୍ତ ହେଲେ ଇଚ୍ଛାପୁର ପଞ୍ଚାୟତର ସାନଫଟାମୁଣ୍ଡା ଗ୍ରାମର ଜୟଲାଲ ମଟାରୀଙ୍କୁ ଦୁଇ ପୁଅ ଅରକ୍ଷିତ ମଟାରୀ(୨୬) ଓ ବିଶ୍ୱଜିତ ମଟାରୀ (୨୧) ଏବଂ ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲା ପ୍ରେମସଗର ପୋଲିସ ଚୌକ ହନୁମନ୍ତାଲର ୱାର୍ଡ ନଂ.୫୮, ରାଧାକୃଷ୍ଣ ଏରିଆର ଆକାଶ ଭଟ୍ଟ(୨୬) । ଏମାନଙ୍କୁ ଆଣି ଥାନାରେ ପଚରା ଉଚୁରା ପରେ ସେମାନେ ସରପଞ୍ଚଙ୍କୁ ଖଣ୍ଡାରେ ହାଣି ଥିବା ସ୍ୱୀକାର କରିବା ସହ ଏଥିରେ ବ୍ୟବହୃତ ଖଣ୍ଡା ଚିଙ୍ଗେରକଟା ରାସ୍ତାର ଏକ ବୁଡା ମୂଳରୁ ତିନିଟି ଖଣ୍ଡା ଉଦ୍ଧାର କରିବା ସହ ବ୍ୟବହୃତ ଗାଡି ମହିନ୍ଦ୍ରା ଏକ୍ସୟୁଭି ୫୦୦ ଓଡି ୦୩-କ୍ୟୁ-୨୪୪୫କୁ ଜବତ କରାଯାଇଛି ।ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ସେମାନେ ସ୍ୱିକାର କରିଛନ୍ତି । ଘଟଣାଟି ହେଲା- ଅଭିଯୁକ୍ତ ଅରକ୍ଷିତର ଶଳା ଇଚ୍ଛାପୁରରେ ଏକ ବାହା ଘର ଭୋଜିରେ ଯୋଗ ଦେଇଥିଲେ । ସେଠାରେ ସେମାନଙ୍କ ସହିତ ଝଗଡା ହୋଇଥିଲା । ନିର୍ବାଚନରେ ସରପଞ୍ଚ ଏବଂ ଅଭିଯୁକ୍ତ ମାନେ ଭିନ୍ନ ଭିନ୍ନ ଦଳର ହୋଇଥିବାରୁ ଉକ୍ତ ଘଟଣା ଘଟିଥିବା ସେମାନେ ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ ଯେ, ସରପଞ୍ଚ ୨୬ତାରିଖ ବ୍ଲକରେ କାମ ସାରି ନିଜ କାରରେ ଫେରୁଥିବା ବେଳେ ସମସ୍ତ ଅଭିଯୁକ୍ତ ତାଙ୍କୁ ଖଣ୍ଡାରେ ହାଣିଥିଲେ । ସେ ଗୁରୁତର ଅବସ୍ଥାରେ ବିଡିଓଙ୍କ ସରକାରୀ ବାସଭବନକୁ ପଶି ଯାଇ ଭିତର ପଟରୁ ଗେଟ ବନ୍ଦ କରିଦେବାରୁ ବର୍ତ୍ତି ଯାଇଥିଲେ । ତଥାପି ମଧ୍ୟ ତାଙ୍କର ମୁଣ୍ଡ,ହାତ ତଥା ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଛି । ବର୍ତ୍ତମାନ ସୁଦ୍ଧା ସେ ବୁର୍ଲାରେ ଚିକିତ୍ସାଧିନ ରହିଛନ୍ତି । ଘଟଣା ପରେ ବ୍ଲକ ଅଂଚଳରେ ଆତଙ୍କ ଖେଳି ଯାଇଥିଲା । ଡୁଙ୍ଗୁରିପାଲି ପୁଲିସ ପକ୍ଷରୁ ୧୭୬/୨୪ରେ ଏକ ମାମଲା ଋଜୁ ହୋଇ ଅଭିଯୁକ୍ତମାନଙ୍କୁ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ଧାରା ୧୨୬(୨)/୨୯୬/୧୧୫(୨)/୧୧୮(୧)/୧୦୯(୧)/୩୨୪(୪) ୩(୫) ରହିଥିବା ତଦନ୍ତକାରୀ ଥାନା ଅଧିକାରୀ ସତ୍ୟନାର୍ୟାନ ପଧାନ ସୂଚନା ଦେଇଛନ୍ତି । ଅଭିଯୁକ୍ତ ଅରକ୍ଷିତ ଏବଂ ଆକାଶ ଭଟ୍ଟ ନାମରେ ବଲାଙ୍ଗିର ଥାନାରେ ମଧ୍ୟ ବିଭିନ୍ନ ମାମଲା ରହିଥିବା ପୁଲିସ ସୂତ୍ରରୁ ପ୍ରକାଶ ।