ଗଞ୍ଜାମ, ବାଇକ୍ ଦୁର୍ଘଟଣାରେ ଦୁଇଜଣ ଗୁରୁତର। ଏପରି ଘଟଣା ଘଟିଛି ଖଲିକୋଟ ଅଞ୍ଚଲରେ । ଜିଲ୍ଲାର ଖଲ୍ଲିକୋଟ ଥାନା ଅନ୍ତର୍ଗତ 16 ନମ୍ବର ଜାତୀୟ ରାଜପଥରେ ଥିବା ଲଙ୍ଗଳେଶ୍ବର ଓଭରବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଛି । ରାସ୍ତା ପାର୍ଶ୍ବରେ ଛିଡ଼ା ହୋଇଥିବା ଗୋଟିଏ ଗାଇକୁ ବାଇକ ଧକ୍କା ଦେବା ଫଳରେ ଦୁଇ ଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି ।
ଦୁଇ ଜଣ ବାଇକ ଯୋଗେ ବାଲୁଗାଁରୁ କୋଦଳା ଯାଉଥିବା ବେଳେ ଲଙ୍ଗଳେଶ୍ବର ଠାରେ ଘଟିଛି ଦୁର୍ଘଟଣା । ଉଭୟ ଆହତ ଅବସ୍ଥାରେ ରାସ୍ତା ଉପରେ ପଡି ରହିଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା ଲୋକ ମାନେ 108 ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଆମ୍ବୁଲାନ୍ସ ପହଞ୍ଚି ଉଭୟଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଖଲ୍ଳିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥିତ ଏମ କେ ସି ଜି କୁ ସ୍ଥାନାନ୍ତର କରାଯାଇଥିବା ଜଣା ପଡ଼ିଛି ।