ପୁରୀ, କେରଳର ୱାୟନାଡରେ ଘଟିଥିବା ଭୂ-ସ୍ଖଳନରେ ପ୍ରାଣ ହରାଇଥିବା ଓଡ଼ିଆ ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କ ମରଶରୀର ଆଜି ଓଡ଼ିଶା ଅଣାଯାଉଛି । ସଡ଼କ ପଥରେ ଆମ୍ବୁଲାନ୍ସରେ ତାଙ୍କ ମରଶରୀର ଓଡ଼ିଶା ଅଣାଯାଉଛି । ଡାକ୍ତର ବିଷ୍ଣୁପ୍ରସାଦଙ୍କ ପାର୍ଥିବଶରୀର ଆସି ଭୁବନେଶ୍ଵରରେ ପହଂଚିବା ପରେ ସେଠାରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିବେ । ଏହାପରେ ତାଙ୍କ ମରଶରୀର ତାଙ୍କ ପୈତୃକ ଗ୍ରାମ ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ପରାଳ ଗ୍ରାମକୁ ନିଆଯିବ । ସେଠାରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ । ଏହି ଖବର ଶୁଣିବା ପର ଠାରୁ ଗ୍ରାମରେ ଓ ତାଙ୍କ ଘରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ସେପଟେ ବିଷ୍ଣୁପ୍ରସାଦଙ୍କ ପତ୍ନୀ ପ୍ରିୟଦର୍ଶିନୀ ପାଲ ଗୁରୁତର ଅବସ୍ଥାରେ କେରଳର ଏକ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି । ଅନ୍ୟ ଜଣେ ଡାକ୍ତର ସ୍ଵୀକୃତୀ ମହାପାତ୍ର ଗୁରୁତର ଥିବା ବେଳେ ନିଖୋଜ ଥିବା ଡାକ୍ତର ସ୍ଵାଧିନ ପଣ୍ଡାଙ୍କ ଏଯାଏଁ ପତା ମିଳିନି । ବିଷ୍ଣୁପ୍ରସାଦଙ୍କ ପତ୍ନୀ ପ୍ରିୟଦର୍ଶିନୀ ପାଲ ଓ ଡାକ୍ତର ସ୍ଵୀକୃତୀ ମହାପାତ୍ରଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସ୍ଵୀକୃତି ବର୍ତମାନ ସୁଦ୍ଧା ଆଇସିୟୁରେ ରହିଛନ୍ତି ।
ପ୍ରକାଶ ଥାଉକି, କେରଳର ୱାୟନାଡ ଜିଲ୍ଲାରେ ସୋମବାର ରାତିରେ ଏହି ଭୂ-ସ୍ଖଳନ ଘଟିଥିଲା । ଘଟଣାରେ ଅଦ୍ୟାବଧି ମୃତ୍ୟୁ ସଂଖ୍ୟା ୩୦୦ ପାର୍ କରିଛି । ଭୂ-ସ୍ଖଳନ ହୋଇଥିବା ତିନୋଟି ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସେନା, ନାଭାଲ, ଏନଡିଆରଏଫ, ଅଗ୍ନିଶମ ଓ ଅନ୍ୟାନ୍ୟ ଟିମ୍ ର ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏବେ ସୁଦ୍ଧା ୨୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ତେବେ ଲଗାଣ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଛି ।