ନୂଆଦିଲ୍ଲୀ, ଭିଏତନାମର ପ୍ରଧାନମନ୍ତ୍ରୀ ଫାମ ମିହ୍ନ ଚିହ୍ନ ମଙ୍ଗଳବାର ନିଜ ତିନି ଦିବସୀୟ ରାଜକୀୟ ଗସ୍ତରେ ଭାରତରେ ପହଂଚିଛନ୍ତି । ନୂଆଦିଲ୍ଲୀ ଏୟାରପୋର୍ଟରେ ପହଂଚିବା ପରେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରିଟା ତାଙ୍କ ସ୍ୱାଗତ କରିଥିଲେ । ବୈଦେଶିକ ମନ୍ତ୍ରାଳୟ ବିଳମ୍ବିତ ରାତିରେ ଏକ୍ସ ପୋଷ୍ଟ କରି କହିଛି ଯେ, ଭିଏତନାମର ପ୍ରଧାନମନ୍ତ୍ରୀ ଫାମ ମିହ୍ନ ଚିହ୍ନଙ୍କ ରାଜକୀୟ ଗସ୍ତରେ ନୂଆଦିଲ୍ଲୀରେ ପହଂଚିବାକୁ ନେଇ ହାର୍ଦ୍ଦିକ ସ୍ୱାଗତ । ଏୟାରପୋର୍ଟରେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରିଟା ତାଙ୍କ ସ୍ୱାଗତ କରିଛନ୍ତି । ଭାରତ ଓ ଭିଏତନାମ ମଧ୍ୟରେ ସଭ୍ୟତାଗତ ସଂପର୍କ ରହିଛି ଏବଂ ପାରସ୍ପରିକ ବିଶ୍ୱାସରେ ଆଧାରିତ ଦୀର୍ଘକାଳୀନ ବନ୍ଧୁତା ରହିଛି । ଏହି ଯାତ୍ରା ଆମର ବ୍ୟାପକ ରଣନୀତି ବୁଝାମଣାକୁ ଆହୁରି ସୁଦୃଢ କରିବ ।