
ଚମ୍ପୁଆ, ଚମ୍ପୁଆ ଉପଖଣ୍ଡସ୍ଥ ଝୁମୁରା ବ୍ଲକ ଅର୍ଶଳା ପଞ୍ଚାୟତ ଅନ୍ତର୍ଗତ ଦୁର୍ଗାପୁର ଗ୍ରାମରେ ଏକ ଭାଲୁ ଆତଙ୍କ ଖେଳାଇ ଥିବା ଜଣା ପଡିଛି। ଆଜି ବୁଧବାର ସକାଳୁ ଗ୍ରାମର ଦଶରଥ ନାଏକ (୫୫) ଶୌଚ ହେବାକୁ ଯାଇଥିବା ସମୟରେ ଭାଲୁ ଆକ୍ରମଣର ଶିକାର ହୋଇ ଗୁରତର ଭାବେ ଝୁମ୍ପୁରା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଖବର ଅନୁସାରେ ଦଶରଥ ଶୌଚ ହେବାକୁ ଯାଇଥିବା ବେଳେ ହଠାତ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ଭାଲୁଟି ତାଙ୍କୁ ପଛ ପଟୁ ଧରି ଆଖି ଉପର ମୁଣ୍ଡରେ ରାମ୍ପୁଡ଼ି ଦେବା ସହିତ ଡାହାଣ ହାତକୁ କାମୁଡି ଦେବା ଫଳରେ ସେ ଗୁରୁତର ଆହତ ହୋଇଥିବା ଜଣା ପଡିଛି। ସଙ୍ଗେ ସଙ୍ଗେ ପରିବାର ଲୋକେ ତାଙ୍କୁ ଭାଲୁ ହାବୁଡ଼ରୁ ରକ୍ଷା କରି ଅର୍ଶଳା ସରପଞ୍ଚଙ୍କ ସହାୟତାରେ ଚିକିତ୍ସା ପାଇଁ ଝୁମ୍ପୁରା ଡାକ୍ତର ଖାନାରେ ଭର୍ତ୍ତି କରିଛନ୍ତି। ତେବେ କେତେ ବେଳେ ଭାଲୁ ତ, କେତେ ବେଳେ ହାତୀ ର ଶିକାର ହେଉଥିବା ନିରୀହ ଖଟିଖିଆ ସାଧାରଣ ଲୋକ ଚିକିତ୍ସା ପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉ ଥିବାରୁ ବନବିଭାଗ ପକ୍ଷରୁ ଲୋକଙ୍କୁ ଚିକିତ୍ସା ଖର୍ଚ୍ଚ ଓ ସରକାରୀ ସହାୟତା ପ୍ରଦାନ କରାଯିବା ନେଇ ଦାବୀ ହେଉଛି। ଅନ୍ୟଥା ବନ ବିଭାଗ ବିପକ୍ଷରେ ଯୋରଦାର ଜନ ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ଲୋକେ କହିଥିବା ବେଳେ ପ୍ରତିବର୍ଷ ଭାଲୁ ଏବଂ ହାତୀର ଶିକାର ହେଲେ ମଧ୍ୟ ବନ ବିଭାଗ ଚୁପ ହୋଇ ବସିବା ଠିକ ନୁହେଁ ବୋଲି ଅର୍ଶଳା ସରପଞ୍ଚ ଶ୍ରୀମତୀ ହେମଲତା ନାଏକ କହିଛନ୍ତି।