ମାଲକାନଗିରି, ମିଶନ ଶକ୍ତି ନାଁରେ ହରିଲୁଟ୍ ତଥା ମିଶନ ଶକ୍ତି ଗୃହକୁ ଭୂତ ଖାଇଦେଇଥିବା ଅଭିଯୋଗ ହୋଇଛି| କିଛି ଏପରି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ସଦର ବ୍ଲକ୍ ଅଧୀନସ୍ଥ ଗୌଡ଼ଗୁଡ଼ା ପଞ୍ଚାୟତର ଏମଭି ୯ ଗ୍ରାମରୁ | ଅଭିଯୋଗ ଅନୁଯାୟୀ, ଦୀର୍ଘ ୭ରୁ ୮ ବର୍ଷ ପୂର୍ବେ ଏମଭି ୯ ଗ୍ରାମର ଖେଳପଡ଼ିଆଠାରେ ସରକାରୀ ଅର୍ଥ ସାହାଯ୍ୟରେ ଗୋଟିଏ କ୍ଲବ୍ ଘର ନିର୍ମାଣ କରାଯାଇଥିଲା । କିନ୍ତୁ କ୍ଲବ୍ ଘର ନିର୍ମାଣର ୨ ବର୍ଷ ପରେ ସେହି କ୍ଳବ୍ ଘରର କାନ୍ଥରେ ମିଶନ୍ ଶକ୍ତିର ଗୋଟିଏ ବୋର୍ଡ ଲଗାଯାଇଥିଲା ଏବଂ ଏହାର କିଛି ମାସ ପରେ ସେହି କ୍ଲବ୍ ଘରର କାନ୍ଥରେ ଏମଭି ୯ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ନିମନ୍ତେ କାନ୍ଥରେ ୧ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ ହୋଇଥିବା ନେଇ ଲିପିବଦ୍ଧ ହୋଇଥିଲା | ଗୋଟିଏ ଘର ରେ ତିନୋଟି ଯୋଜନାରେ କାମ ହୋଇଥିବା ଫଳକ ଦେଖୁ ଏମଭି ୯ ଗ୍ରାମର ଗ୍ରାମବାସୀଙ୍କ ମନରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା ଯେ କିପରି ଗୋଟିଏ କ୍ଲବ୍ ଘରେ ବାରମ୍ବାର ଏପରି ବିଭିନ୍ନ କାର୍ଯ୍ୟର ବିବରଣୀ ତଥା ବୋର୍ଡ ଲଗାଯାଇଛି। ଏହାକୁ ଆଧାର କରି ଏମଭି ୯
ଗ୍ରାମର କିଛି ଯୁବକ ଓ ମହିଳା ମାଲକାନଗିରି ବ୍ଲକକୁ ଯାଇ ଅବଗତ କରାଇଥିଲେ। କିନ୍ତୁ ବ୍ଲକରୁ ଏମଭି ୯ ଗ୍ରାମର ଗ୍ରାମବାସୀ ନିରାଶା ହୋଇ ଫେରିଥିଲେ, କାରଣ ବ୍ଳକରୁ କହିଥିଲେ ଯେ ତୁମର ମିଶନ ଶକ୍ତି ଗୃହ ତୁମ ଏମଭି ୯ ଗ୍ରାମରେ ନିର୍ମାଣ କରାଯାଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ବ୍ଲକ୍ ପ୍ରଶାସନଙ୍କ କହିବା ଅନୁସାରେ, ଆଜି ପର୍ଯ୍ୟନ୍ତ ଏମଭି ୯ ଗ୍ରାମର ମହିଳାମାନେ ଖୋଜି ଖୋଜି ପାଇଲେନି ତାଙ୍କର ମିଶନ ଶକ୍ତି ଗୃହ କେଉଁଠି। ଏହାକୁ ନେଇ ଏମଭି ୯ ଗ୍ରାମରେ ମହିଳା ଏବଂ ଯୁବକଙ୍କ ମଧ୍ୟରେ ଘୋର୍ ଅସନ୍ତୋଷ ଲାଗିରହିଥିବା ବେଳେ ବର୍ତ୍ତମାନ ଜିଲ୍ଲା ପ୍ରଶାସନଙ୍କ ପାଖରେ ଏହାର ଉପଯୁକ୍ତ ତଦନ୍ତ ପାଇଁ ଦାବି କରିଛନ୍ତି। ଏ ସମ୍ପର୍କରେ ଗୌଡ଼ଗୁଡ଼ା ଗ୍ରାମ ପଞ୍ଚାୟତ ଦାୟିତ୍ବରେ ଥିବା କନିଷ୍ଠ ଯନ୍ତ୍ରୀ ବିଭୂତି ଭୂଷଣ ରାଉତ ପ୍ରକାଶ କରିଛନ୍ତି ଯେ ଏମଭି ୯ ନଂ ଗ୍ରାମ ଖେଳପଡ଼ିଆକୁ ଲାଗିଥିବା ଗୃହଟି ମିଶନ ଶକ୍ତିର | ଦେଢ଼ ଲକ୍ଷ ଟଙ୍କା ବ୍ୟୟରେ ଏହି ଗୃହ ନିର୍ମାଣ କରାଯାଇଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ଏହାର ପାଚେରି, ପାନୀୟ ଜଳ ସୁବିଧା ଓ ପାଇଖାନା ନିମନ୍ତେ ୨ ଲକ୍ଷ ଟଙ୍କା ମଞ୍ଜୁର ହୋଇ କାର୍ଯ୍ୟ କରାଯାଇଛି । ସେହି ଗ୍ରାମର ଯୁବକ ଓ ମିଶନ ଶକ୍ତିର ମହିଳାମାନେ ବ୍ଲକକୁ ଆସିଥିଲେ | ସେମାନଙ୍କ ସହ ଆଲୋଚନା କରାଯାଇ ଏହାର ସମାଧାନ କରାଯାଇଛି | ଖୁବଶୀଘ୍ର ଏମଭି ୯ ଗ୍ରାମରେ କ୍ଲବ୍ ଗୃହ ନିର୍ମାଣ କରାଯିବ।