
ଢାକା-ବାଂଲାଦେଶ ସରକାର ସୋମବାର ପ୍ରଥମ ଥର ସ୍ୱୀକାର କରିଛନ୍ତି ଯେ, ସଂରକ୍ଷଣ ବ୍ୟବସ୍ଥା ବିରୁଦ୍ଧରେ ଛାତ୍ରଙ୍କ ହିଂସକ ପ୍ରଦର୍ଶନ ସମୟରେ ସାରା ଦେଶରେ 150 ଲୋକଙ୍କ ମୃତ୍ୟୁ ହୋଇଛି । ନିକଟରେ ବାଂଲାଦେଶରେ ନିଯୁକ୍ତିରେ ସଂରକ୍ଷଣ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନକୁ ଚାପିବା ପାଇଁ ସରକାର ସେନାକୁ ଡାକିଥିଲେ । ଏହି ମାସର ଆରମ୍ଭରେ ବିଶ୍ୱବିଦ୍ୟାଳୟ ଓ କଲେଜରେ ଆରମ୍ଭ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ଶୀଘ୍ର ହିଁ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଓ ତାଙ୍କ ସରକାରଙ୍କ ବିରୁଦ୍ଧରେ ଏକ ବ୍ୟାପକ ଆନ୍ଦୋଳନରେ ବଦଳିଯାଇଥିଲା । ଏହି ହିଂସକ ପ୍ରଦର୍ଶନରେ ପୋଲିସକର୍ମୀଙ୍କ ସହିତ ବହୁ ସଂଖ୍ୟାରେ ଲୋକେ ଆହତ ହୋଇଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ସରକାରୀ ପ୍ରତିଷ୍ଠାନକୁ କ୍ଷତିଗ୍ରସ୍ତ ହୋଇଛି । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ହସିନାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକ ପରେ କ୍ୟାବିନେଟ ସଚିବ ମହବୁବ ହୁସୈନ କହିଛନ୍ତି ଯେ, ସରକାର ନିଷ୍ପତ୍ତି କରିଛନ୍ତି ଯେ, ଆଜି ଦେଶବ୍ୟାପୀ ଶୋକ ରଖାଯିବ ।