ଭୁବନେଶ୍ୱର– ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ନୀତି ଆୟୋଗର ବୈଠକରେ ଓଡିଶା ପାଇଁ ମୁଖ୍ୟମନ୍ତ୍ରୀ କଣ ଦାବି କଲେ ସେ ସମ୍ପର୍କରେ ଗୃହକୁ ଅବଗତ କରାନ୍ତୁ । ଏହା ଦ୍ୱାରା ଗୃହ ଏ ସମ୍ପର୍କରେ ତର୍ଜମା କରି ପାରିବ । ଏହା କହିଛନ୍ତି ବିରୋଧୀ ଦଳର ବିଧାୟକ ଅରୁଣ କୁମାର ସାହୁ ।
ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଶ୍ରୀ ସାହୁ କହିଛନ୍ତି ଯେ, ବିଜେପି ପୂର୍ବରୁ ତାର ଘୋଷଣା ପତ୍ରରେ ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେବା କଥା ଉଲ୍ଲେଖ କରିଥିଲା । ଏହା ପରେ କେନ୍ଦ୍ର ସରକାର ତାଙ୍କର ଏକ ରିପୋର୍ଟରେ ସ୍ପଷ୍ଟ କଲେ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାର କୌଣସି ବ୍ୟବସ୍ଥା ଆଉ ନାହିଁ । ଏହା ପରେ ସ୍ପେଶାଲ ଫୋକସ ଷ୍ଟେଟ କଥା ଆସିଥିଲା । ଏବେ ଏହା ପରେ ବିଭିନ୍ନ ରାଜ୍ୟ ମାନଙ୍କୁ ସ୍ପେଶାଲ ଆଲୋକେସନ ବିଷୟ କୁହା ଯାଇଛି । ଚଳିତ ବଜେଟରେ କିଛି ରାଜ୍ୟଙ୍କୁ ଏହାର ଲାଭ ମଧ୍ୟ ମିଳିଛି । ତେବେ ଓଡିଶାର 21ଟି ଲୋକସଭା ଆସନରୁ 20ଟି ଆସନ ପାଇଥିବା ଓ ରାଜ୍ୟରେ ବିଜେପି ସରକାର ଗଠନ ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଓଡିଶା ପାଇଁ କଣ ଦାବି କରିଛନ୍ତି ତାହା ଗୃହରେ ରେକର୍ଡ କରନ୍ତୁ ବୋଲି ସେ ଦାବି କରିଛନ୍ତି । ଏହା ଦ୍ୱାରା ସମସ୍ତେ ଏ ବିଷୟରେ ତର୍ଜମା କରି ପାରିବେ ବୋଲି ସେ କହିଛନ୍ତି ।