ଗଞ୍ଜାମ– ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ର ଝାଡ଼ାବାନ୍ତି ଅଣାୟତ ହୋଇଛି । ଗୋଟିଏ ପରେ ଗୋଟିଏ ଗାଁକୁ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି । ପ୍ରତିଦିନ ଏକାଧିକ ଲୋକ ଆକ୍ରାନ୍ତ ହେଉଛନ୍ତି । କାକରଡ଼ା, ଗୋବିନ୍ଦପୁର, ବି.ବ୍ରହ୍ମପୁର, ବି. ଚିକିଲି, ମହୁପଦର, ହାଡିତିରା, ହରେକୃଷ୍ଣପୁର ଓ କିର୍ତିପୁର ସମେତ ବିଭିନ୍ନ ଗ୍ରାମର ଲୋକେ ଆକ୍ରାନ୍ତ ହୋଇ ଶେରଗଡ଼ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଗତକାଲି ମହୁପଦର ଗ୍ରାମରେ ଗୋଟିଏ ପରିବାରରୁ ୬ ଜଣ ସଦସ୍ୟ ବନିତା ଡାକୁଆ, ସିଲୁ ଡାକୁଆ, ମିଲୁ ଡାକୁଆ, ବର୍ଷା ଡାକୁଆ, ଚିନ୍ମୟୀ ଡାକୁଆ ଓ ଶ୍ରୀୟାଂସୁ ଡାକୁଆ ଆକ୍ରାନ୍ତ ହୋଇଛନ୍ତି । ସେହିପରି ହାଡିତିରା ଗ୍ରାମର ରେଶମା ବିଶୋୟୀ, ରାହୁଲ ବିଶୋୟୀ, ସୁଜାତା ପ୍ରଧାନ ଓ ଶ୍ରାବଣୀ ପ୍ରଧାନ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ବର୍ତମାନ ଶେରଗଡ଼ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରତିଦିନ ପାଖାପାଖି ୨୦ ଜଣ ଆକ୍ରାନ୍ତ ଆସୁଛନ୍ତି । ତେବେ ଝାଡ଼ାବାନ୍ତି ବ୍ୟାପିବା ପଛରେ ଦୂଷିତ ପିଇବା ପାଣି ମୂଖ୍ୟ କାରଣ ବୋଲି ଜଣାପଡିଛି । ବର୍ଷା ପରେ କୂଅ, ପୋଖରୀ ପାଣି ଦୂଷିତ ହୋଇଯାଇଛି ।
ଗଞ୍ଜାମ ଜିଲ୍ଲା ହଇଜା ନିୟନ୍ତ୍ରଣ ଟିମ୍ ର ସଦସ୍ୟ ହରମୋହନ ପଣ୍ଡା, ସାବିତ୍ରୀ ରାଉତ ଓ ପଲ୍ଲବୀ ପାତ୍ର ପ୍ରମୁଖ ଗୋବିନ୍ଦପୁର, କାକରଡ଼ା, ବି. ଚିକିଲି ଓ ମହୁପଦର ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ପରେ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ, ଏଏନଏମ ଓ ଗ୍ରାମସେବକଙ୍କୁ ନେଇ ଘରକୁ ଘର ବୁଲି ଯାଂଚ୍ କରିବା, କୂଅ ଓ ନଳକୂପ ବିଶୋଧନ କରିବା, ଆକ୍ରାନ୍ତଙ୍କ ଚିକିତ୍ସା ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ କଂଟାକ୍ଟ ଡୋଜ୍ ପ୍ରଦାନ ଓ ଫୁଟାପାଣି ପିଇବା ଲାଗି ସଚେତନତା କରାଯାଇଛି । ବିଡ଼ିଓ, ସିଡ଼ିପିଓ ଓ ମେଡ଼ିକାଲ ଅଧିକାରୀଙ୍କୁ ନେଇ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଡାକ୍ତର ମନ୍ମଥ କୁମାର ବେହେରା, ପିଏଚଇଓ କୁଞ୍ଜବିହାରୀ ନାୟକ, ବିଡିଏମ ତୁଷାର ସାହୁ, ସ୍ୱାସ୍ଥ୍ୟ ସୁପରଭାଇଜର ଗଜେନ୍ଦ୍ର ମଳିକ ଏବଂ ତପନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।