ଭୁବନେଶ୍ୱର, ହୀରାକୁଦ ଡ୍ୟାମରୁ ଗେଟ୍ ଖୋଲାଯିବା ପରେ ତଳିଆ ଅଂଚଳରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ଠାରୁ ୨୦ଟି ଗେଟ୍ ଦେଇ ହୀରାକୁଦ ଡ୍ୟାମରୁ ପାଣି ନିଷ୍କାସନ ହେଉଛି। ବର୍ତ୍ତମାନ ହୀରାକୁଦ ଡ୍ୟାମ୍ର ଜଳ ପତ୍ତନ ୬୧୮ ଫୁଟ୍ ରହିଛି। ପ୍ରତି ସେକେଣ୍ଡକୁ ୨ ଲକ୍ଷ ୫୭ ହଜାର ୫୫ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୩ ଲକ୍ଷ ୪୭ ହଜାର ୬୨୮ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଅନ୍ୟପଟେ ତଳମୁଣ୍ଡରେ ବିଭିନ୍ନ ନଦୀର ଜଳସ୍ତର ବଢ଼ିଥିଲେ ମଧ୍ୟ ବନ୍ୟା ଆଶଙ୍କା ନଥିବା ସ୍ବତନ୍ତ୍ର ରିଲିଫ ଆୟୁକ୍ତ ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି। ୯ଟି ଜିଲାର ଜିଲାପାଳଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି । ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ନୟାଗଡ଼, ଅନୁଗୋଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀ ଜିଲାପାଳଙ୍କୁ ସତର୍କ କରାଯାଇଛି । ବନ୍ୟାଜଳ ପ୍ରବାହିତ ହେବା ସମୟରେ ନଦୀ ଭିତରକୁ ଲୋକଙ୍କୁ ନଯିବା ପାଇଁ ଓ ନଦୀପଠାକୁ ଗୋରୁଙ୍କୁ ନ ଛାଡ଼ିବା ପାଇଁ ସତର୍କ କରାଇବାକୁ ସେ ଜିଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି।