-
ସଚିବ ରାମଚନ୍ଦ୍ରନ ପାରାଦୀପଙ୍କ ବନ୍ଦର (ପିପିଏ)ର କାର୍ଯ୍ୟ ସମୀକ୍ଷା
-
ପାରାଦୀପ ବନ୍ଦରରେ ଟ୍ରମା ଆଣ୍ଡ ବର୍ଣ୍ଣ କେୟାର (ଟିବିସି) କେନ୍ଦ୍ର ଉଦ୍ ଘାଟିତ,
-
ଦୈନିକ ୧୬ ନିୟୁତ ଲିଟର ପାଣି ବିଶୋଧନ କରିବା କ୍ଷମତା ବିଶିଷ୍ଟ ପ୍ଲାଂଟର ଭିତିପ୍ରସ୍ତର ସ୍ଥାପନ
ପାରାଦ୍ୱୀପ/ଭୁବନେଶ୍ୱର,ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟର ସଚିବ ଟି କେ ରାମଚନ୍ଦ୍ରନ ପାରାଦୀପ ବନ୍ଦର କର୍ତୃପକ୍ଷ (ପିପିଏ)କୁ ପ୍ରଥମ ଥର ପାଇଁ ଗସ୍ତ କରିଛନ୍ତି । ଏହି ଗସ୍ତ ସମୟରେ ସେ ୧୩ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ ।
ପାରାଦୀପ ବନ୍ଦର ହସ୍ପିଟାଲର ନବନିର୍ମିତ ଆନେକ୍ସ ବିଲ୍ଡିଂରେ ଟ୍ରମା ଆଣ୍ଡ ବର୍ଣ୍ଣ କେୟାର (ଟିବିସି) କେନ୍ଦ୍ରକୁ ସେ ଉଦ୍ ଘାଟନ କରିଥିଲେ । ୨ କୋଟି ୯୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି କେନ୍ଦ୍ର ପାରାଦୀପ ଓ ଏହାର ଆଖପାଖ ଅଂଚଳରେ ଟ୍ରମା ଓ ପୋଡ଼ିଯାଇଥିବା ପୀଡ଼ିତଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବ । ସଚିବ ରାମଚନ୍ଦ୍ରନ ପିପିଏର ଜଳ ବିଶୋଧନ ପ୍ଲାଂଟର ଶିଳାନ୍ୟାସ କରିଥିଲେ । ୧୦.୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପରେ ତାଳଦଣ୍ଡା କେନାଲ ଜରିଆରେ ଶୁଦ୍ଧ ପାଣି ମିଳିବ ଏବଂ ଦୈନିକ ୧୬ ନିୟୁତ ଲିଟର ପାଣି ଫିଲ୍ଟର କରିବାର କ୍ଷମତା ରହିବ । ପାରାଦୀପ ବନ୍ଦରର ଜଳ ଭିତିଭୂମିରେ ଉନ୍ନତି ଆଣିବା ଏବଂ ପୋର୍ଟ ଟାଉନସିପ୍ ର ନାଗରିକମାନଙ୍କୁ ଗୁଣାତ୍ମକ ପାନୀୟ ଜଳ ଯୋଗାଣ ପାଇଁ ୨୦୨୪ ଡିସେମ୍ବର ସୁଦ୍ଧା ଏହି କାରଖାନା ଶେଷ ହେବ ବୋଲି ଆଶା କରାଯାଉଛି ।
ଶ୍ରୀରାମଚନ୍ଦ୍ରନ ପିପିଏ କାର୍ଯ୍ୟର ସମୀକ୍ଷା କରିବା ସହ ବିଭାଗୀୟ ମୁଖ୍ୟ ଓ ଉପମୁଖ୍ୟଙ୍କ ସହ ଆଲୋଚନା କରିଥିଲେ । ସେ ଯାନ୍ତ୍ରିକ କୋଇଲା ପରିଚାଳନା ପ୍ଲାଂଟରେ ବନ୍ଦର ପରିଚାଳନା, ଯୋଜନା ଏବଂ ସମ୍ପ୍ରସାରଣ, ଜେଏସଡବ୍ଲୁ ପିଟିପିଏଲର ଟ୍ୱିନ୍ ୱାଗନ୍ ଟିପ୍ପଲର ଏବଂ କେଆଇସିଟି ସାଇଲୋର ଯାଂଚ ଏବଂ ସମୀକ୍ଷା କରିଥିଲେ । ଉତ୍ପାଦକତା ବୃଦ୍ଧି ପାଇଁ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ସେ ପରାମର୍ଶ ଦେଇଥିଲେ ।
ବନ୍ଦର କାର୍ଯ୍ୟର ସାମଗ୍ରିକ କାର୍ଯ୍ୟଦକ୍ଷତାରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ସଚିବ ଅନେକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ଏହି ସୁପାରିସଗୁଡ଼ିକ ପାରାଦୀପ ବନ୍ଦରର ଦୀର୍ଘମିଆଦୀ ଅଭିବୃଦ୍ଧି ଓ ସଫଳତାରେ ସହାୟକ ହେବା ସହ କାର୍ଯ୍ୟପ୍ରବାହକୁ ସୁବ୍ୟବସ୍ଥିତ କରିବ ବୋଲି ଆଶା କରାଯାଉଛି ।
ସୂଚନାଯୋଗ୍ୟ, ଓଡ଼ିଶାର ପାରାଦୀପ ବନ୍ଦର ହେଉଛି ଦେଶର ସର୍ବୋଚ୍ଚ ମାଲ ପରିବହନ କରୁଥିବା ପ୍ରମୁଖ ବନ୍ଦର । ୨୦୨୩-୨୪ ଆର୍ôଥକ ବର୍ଷରେ ପିପିଏ ୧୪୫.୩୮ ନିୟୁତ ମେଟ୍ରିକ୍ ଟନ୍ (ଏମଏମଟି) ମାଲ ପରିବହନ କରି ସର୍ବୋଚ୍ଚ କାର୍ଗୋ ହ୍ୟାଣ୍ଡଲିଂ ବନ୍ଦରରେ ପରିଣତ ହୋଇଛି ।
ଭିଜନ ୨୦୪୭ ଅଧୀନରେ ବନ୍ଦର ପରିଚାଳନା କ୍ଷମତାକୁ ୧୦,୦୦୦ ଏମଟିପିଏକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । ଖୁବଶୀଘ୍ର ଏହି ଯୋଜନାର ରୂପରେଖ ଘୋଷଣା କରାଯିବ । ଘରୋଇ ଅଂଶଗ୍ରହଣ ପାଇଁ ରାସ୍ତା ରହିବ ଯାହା ଉପରେ କାମ କରାଯାଉଛି । ୨୦୪୭ ସୁଦ୍ଧା ବୃହତ୍ ବନ୍ଦରରେ ପରିଣତ ହେବା ପାଇଁ ସମସ୍ତ ବନ୍ଦର ମାଷ୍ଟର ପ୍ଲାନ ପ୍ରସ୍ତୁତ କରୁଛନ୍ତି । ବନ୍ଦର ଭିତିଭୂମି ଓ ସୁବିଧାରେ ଉନ୍ନତି ଆଣିବା, କାର୍ଯ୍ୟ ସମୟ ହ୍ରାସ କରିବା ଏବଂ ପରିଚାଳନା କ୍ଷମତା ବୃଦ୍ଧି କରିବା ୨୦୪୭ ଲକ୍ଷ୍ୟର ମୂଳଦୁଆ ହେବ ।
ସଦ୍ୟତମ ଲକ୍ଷ୍ୟ ବର୍ତମାନ ଚାଲିଥିବା ସାଗରମାଳା କାର୍ଯ୍ୟକ୍ରମ ଅଧୀନରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଯଥେଷ୍ଟ ଅଧିକ ଯାହା ବନ୍ଦର କ୍ଷମତାକୁ ୮୦୦ ଏମଏମଟିପିଏ ବୃଦ୍ଧି କରି ୨୦୩୫ ସୁଦ୍ଧା ସମୁଦାୟ ୩୫୦୦ ଏମଏମଟିପିଏକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି ।
ସାଗରମାଳା କାର୍ଯ୍ୟକ୍ରମ ଅଧୀନରେ ୨୦୧୫-୨୦୩୫ ମଧ୍ୟରେ ୫.୫ ଲକ୍ଷ କୋଟି ଟଙ୍କା ବ୍ୟୟରେ ୮୦୦ରୁ ଅଧିକ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଚିହ୍ନଟ କରାଯାଇଛି । ମେରିଟାଇମ୍ ଇଣ୍ଡିଆ ଭିଜନ (ଏମଆଇଭି) ୨୦୩୦ ରେ ଭାରତରେ ବିଶ୍ୱସ୍ତରୀୟ ବନ୍ଦରର ବିକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏମଆଇଭି ୨୦୩୦ ରେ ଭାରତୀୟ ବନ୍ଦରଗୁଡିକରେ କ୍ଷମତା ବୃଦ୍ଧି ଏବଂ ଭିତିଭୂମି ବିକାଶ ପାଇଁ ୧ଲକ୍ଷ କୋଟିରୁ ୧.୨୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହେବ ବୋଲି ଆକଳନ କରାଯାଇଛି ।