ବାରିପଦା- ସୂର୍ଯ୍ୟଙ୍କ ଉତରାୟଣ ଆରମ୍ଭ ହୁଏ ପୌଷ ମାସର ଶେଷ ଓ ମାଘ(ମକର) ମାସର ଆଦ୍ୟ ଦିବସରୁ । ଉତର ଭାରତର ବିସ୍ତୃତ ଭୂଖଣ୍ଡରେ ପ୍ରତ୍ୟେକ ବର୍ଷ ଜାନୁଆରୀ ୧୪ରେ ମକର ପର୍ବ ପାଳନ କରାଯାଇ ଆସୁଥିବା ବେଳେ ଚଳିତ ବର୍ଷ ଅଧିବର୍ଷ କାରଣରୁ ଜାନୁଆରୀ ୧୫ରେ ପାଳନ କରାଯାଉଛି । ଉତର ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ମଧ୍ୟପ୍ରଦେଶ ଓ ଆସାମ ଆଦି ରାଜ୍ୟ ଗୁଡ଼ିକରେ ବସବାସ କରୁଥିବା ଆଦିମ ଜନଜାତିଙ୍କ ଏହାଏକ ପ୍ରଧାନ ପର୍ବ । ମକର ବା ମାଘ ମାସର ଆଦ୍ୟ ଦିବସରେ ଏହି ପର୍ବକୁ ପାଳନ କରାଯାଉଥିବାରୁ ମକର ପର୍ବ ନାମରେ ନାମିତ ହୋଇଥିବା ସମୟରେ କେଉଁଠି ପୌଷ ମାସର ଶେଷ ଦିବସରେ ପାଳିତ ହେଉଥିବାରୁ ଏହାକୁ ପୁଷ୍ ପରବ ବୋଲି କହିଥାନ୍ତି । ନଦୀମାତୃକା ଦେଶରେ ସାମାଜିକ ଚଳଣି, ଚାହାଣି, ପୌରାଣିକ କଥାବସ୍ତୁ, ଆଖ୍ୟାୟିକା ଓ ବିରାଟ ସାଂସ୍କୃତିକ ଭିତିଭୂମି ଗଙ୍ଗାନଦୀ ସହିତ ଅଙ୍ଗାଅଙ୍ଗି ଭାବେ ଜଡ଼ିତ । ମକର ପର୍ବ କୃଷିଭିତିକ ଜନଜୀବନର ବର୍ଷର ଆଦ୍ୟ ଦିବସ । ଯାବତୀୟ ଚାଷଦି ଶୁଭକର୍ମର ଅୟଂ ଆରମ୍ଭ ହୁଏ ଏହି ଦିବସରୁ । ମକର ପର୍ବରୁ ନୂତନ ବର୍ଷ କୃଷି କର୍ମ ଆରମ୍ଭ କରେ କୁଡ଼ୁମୀ ସମ୍ପ୍ରଦାୟ । କୃଷିଭିତିକ ସମାଜରେ ଶସ୍ୟ ଦେବୀ ପ୍ରଧାନ ଆରାଧ୍ୟ ଦେବୀ ହୋଇଥିବାରୁ ଉତ୍ସବରେ ପୂଜିତ ହୁଅନ୍ତି କୁମାରୀ କନ୍ୟାଙ୍କ ଦ୍ୱାରା । ତାଙ୍କରି ପୂଜାର୍ଚ୍ଚନାରେ କୁମାରୀ ଲଳନାଗଣ ତାଙ୍କ ଆରାଧ୍ୟ କୁମାରୀ ଦେବୀ ଟୁସୁଙ୍କୁ ଟୁସୁ ସଙ୍ଗୀତର ନୈବେଦ୍ୟ ଅର୍ପଣ କରିଥାନ୍ତି । ଟୁସୁ ପୂଜାରେ ଟୁସୁଦେବୀ ସମ୍ପର୍କୀତ ସଙ୍ଗୀତର ନୈବେଦ୍ୟ ପୋଷ ଶେଷ ରଜନୀକୁ ମୁଖରିତ କରାଇଥାଏ । ଟୁସୁ ଦେବୀ ବିସର୍ଜିତ ହୁଅନ୍ତି ଚଉଢ଼ଲ ନାମକ ଏକ ସ୍ୱତନ୍ତ୍ର ବିମାନ ଆରୋହଣ କରି । ପ୍ରତିସ୍ରୋତସ୍ୱନୀ ବୁକୁରେ ପୁଷ ମାସରେ ଆହୂତ ଦେବୀ ବାହୁଡ଼ି ଯାଆନ୍ତି ଆଦ୍ୟ ମକରରେ । ସ୍ଥାନ ବିଶେଷରେ ମୃଣ୍ମୟମୂର୍ତି, କେଉଁଠି ଟୁସୁ ପୁତଳିକା ଓ ବୃହଦାକାର ମଗର, ସିଂହ, ହସ୍ତୀ ଓ ପେଚକ ବାହିନୀ । ପୁଣି କେଉଁଠି ଗୋବର ଚୁଳା, ଚୁନା ଲଡ଼ୁ ବା ତୁଷ(ଅଗାଡ଼ି)ର ପ୍ରତୀକ ରୂପେ ଟୁସୁ ଦେବୀ ପୂଜିତ । ମକର ପର୍ବରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ପଶ୍ଚିମ ମେଦିନପୁର ଆଦି ଜିଲ୍ଲାଗୁଡ଼ିକରେ ପିଠାପଣା ସହ ମାଂସ ଏହାର ସ୍ୱତନ୍ତ୍ରତା ବହନ କରେ । ସେହିପରି ମକର ପର୍ବ ଅବସରରେ ଅରୁଆ ଚାଉଳ, କ୍ଷୀର, କନ୍ଦମୂଳ, ଆଖୁ, ଗୁଡ଼, ମହୁ, କେଶର ଆଳୁ, ଆଦି ସୁମିଷ୍ଟ ଫଳମୂଳରୁ ପ୍ରସ୍ତୁତ ଭୋଗ ସହ ଆରିଷା ଓ ମଣ୍ଡାପିଠା ଭୋଗ ଲାଗି ହୋଇଥାଏ ।
ମକର ସଂକ୍ରାନ୍ତି ଓ କୁଡ଼ୁମୀ ସମ୍ପ୍ରଦାୟ ପକ୍ଷରୁ ପାଳିତ ହୋଇଆସୁଥିବା ଟୁସୁ ପର୍ବ ମୟୂରଭଞ୍ଜ ଜିଲାରେ ଏକ ଗଣପର୍ବ ଭାବେ ପାଳିତ ହୋଇଆସୁଛି । ପର୍ବଟି ମାଘ ମାସର ପ୍ରଥମ ଦିବସରୁ ଆରମ୍ଭ ହୋଇ ସଂକ୍ରାନ୍ତିରେ ଉଦଯାପିତ ହୋଇଥାଏ । ଏହି ଅବସରରେ ମକର ଚାଉଳ ପୂଜା କରାଯାଇ ପରସ୍ପର ମଧ୍ୟରେ ବଂଟନ କରାଯାଇଥାଏ । ପର୍ବକୁ ୭ ଦିନ ବ୍ୟାପି ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇ ଆସୁଥିବା ସହିତ ଧାନ ଉତ୍ପାଦନ ପରେ ପରେ ଏହି ପର୍ବ ପାଳିତ ହେଉଥିବାରୁ କୃଷିକର୍ମରେ ବ୍ୟସ୍ତତା ଓ କ୍ଳାନ୍ତିରୁ ମୁକ୍ତି ନିମନ୍ତେ ଏହା ଏକ ପ୍ରକୋଷ୍ଠ ସମୟ ବୋଲି ବିବେଚନା କରାଯାଏ । ବିଶେଷ କରି ସଂକ୍ରାନ୍ତିଠାରୁ କୃଷକ ଓ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକ ଶ୍ରେଣୀର ଜନସାଧାରଣ ନିଜକୁ ସମସ୍ତ ଜଞ୍ଜାଳ ଏବଂ ସାହୁକାରଙ୍କ ଠାରୁ ଦୂରେଇ ରଖିବା ସହିତ ମନୋରଞ୍ଜନଧର୍ମୀ ନାଚଗୀତ ମାଧ୍ୟମରେ କିଛି ଦିନ ପାଇଁ ନିଜକୁ ଭୂଲି ଯିବାକୁ ଶ୍ରେୟଃ ମଣନ୍ତି । ଜିଲାରେ ମକର ଆସିବା ପୂର୍ବରୁ ଗ୍ରାମାଚଂଳମାନଙ୍କରେ ଜନସାଧାରଣଙ୍କ ମଧ୍ୟରେ ଆନନ୍ଦର ଲହରୀ ଦେଖାଦିଏ । ସାପ୍ତାହିକ ହାଟ ସହିତ ବିଭିନ୍ନ କୁକୁଡ଼ାପଡ଼ାମାନଙ୍କରେ କୁକୁଡ଼ା ଲଢ଼େଇ, ପାରମ୍ପରିକ ଜୁଆଖେଳ, ନୂତନ ବସ୍ତ୍ର ପରିଧାନ ଓ ଆମିଷ ଭୋଜନର ମଜା ଉଠାଇଥାନ୍ତି । ଭାରତବର୍ଷର ବିଭିନ୍ନ ରାଜ୍ୟରେ ଏହି ପର୍ବ ପାଳିତ ହେଉଥିବା ବେଳେ ଆମ ରାଜ୍ୟ ଓଡ଼ିଶାରେ ମକର ସଂକ୍ରାନ୍ତକୁ ଏକ ଧର୍ମ ଓ କୃଷି ଭିତିକ ପର୍ବ ଭାବେ ପାଳନ କରାଯାଇ ଆସୁଛି । ମୟୂରଭଞ୍ଜ ଜିଲାରେ କୁଡ଼ୁମୀ ମହାନ୍ତ ସମ୍ପ୍ରଦାୟ ପକ୍ଷରୁ ମକରକୁ ସତ୍ୟ, ଧର୍ମ ଓ ଆତ୍ମ ବିସର୍ଜନର ଦିବସ ଟୁସୁ ପର୍ବ ଭାବେ ପାଳନ କରାଯାଇଆସୁଛି । ଏହି ଅବସରରେ କୁଡ଼ୁମୀ ସମ୍ପ୍ରଦାୟ ସହିତ ଅନ୍ୟ କେତେକ ସମ୍ପ୍ରଦାୟର ସମସ୍ତ ଜନସାଧାରଣ ନୂତନ ବସ୍ତ୍ର ପରିଧାନ କରିବାର ପରମ୍ପରା ରହିଆସିଛି । ପର୍ବକୁ ଅତି ଆନନ୍ଦ ଉଲ୍ଲାସର ସହକାରେ ପାଳନ କରିବା ନିମନ୍ତେ ଅର୍ଥ ଅଭାବରୁ ନିଜର ଚାଷ ଜମି ଆସବାପତ୍ର ଓ ଗହଣାଗାଣ୍ଠିକୁ ସାହୁକାରଙ୍କ ନିକଟରେ ବନ୍ଧକ ଦେବାକୁ ପଛେଇଯାଇ ନ ଥିବାର ନଜିର ରହିଛି ।
ପବିତ୍ର ମକର ସଂକ୍ରାନ୍ତି ପାଳନ ଉପଲକ୍ଷେ ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ବାମନଘାଟି, କପ୍ତିପଦାର ସମୀବୃକ୍ଷ, କରଞ୍ଜିଆ, ରାଇରଙ୍ଗପୁର, ରରୁଆଁ ଆଦି ବିଭିନ୍ନ ସ୍ଥାନରେ ମକର ମେଳା ମହା ଜାକଜମକରେ ପାଳିତ ହେଉଥିବା ବେଳେ ହଜାର ହଜାର ମୟୂରଭଞ୍ଜବାସୀ ଏହାକୁ ମନ ଭରି ଉପଭୋଗ କରିଥାନ୍ତି ।