ଭୁବନେଶ୍ୱର-ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛାଡ଼ିଲା ହୀରାକୁଦ । ୭ନଂ ସ୍ଲୁଇସ୍ ଗେଟ୍ରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି । ମହାନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଅତିରିକ୍ତ ବନ୍ୟାଜଳ ନିଷ୍କାସନ ପାଇଁ ରବିବାର ସକାଳ ୯ଟାରେ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ଗେଟ୍ ଖୋଲିଛି । ଆଜି ୩ଟି ପର୍ଯ୍ୟାୟରେ ହୀରାକୁଦର ୨୦ଟି ଗେଟ୍ ଖୋଲାଯିବ ।
ବନ୍ୟାଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ତଳିଆ ଅଂଚଳରେ ଲୋକମାନଙ୍କୁ ସତର୍କ କରାଯାଇଛି। ମହାନଦୀ ଭିତରକୁ ନ ଯିବା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନର ୭ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ କରାଇଛନ୍ତି। ସମ୍ବଲପୁର, ସୋନପୁର, ନୟାଗଡ଼, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି। ପଶୁମାନଙ୍କୁ ମଧ୍ୟ ନଦୀ ନିକଟବର୍ତ୍ତୀ ଅଂଚଳକୁ ନ ଛାଡିବା ପାଇଁ କୁହାଯାଇଛି। ଜିଲ୍ଲାପାଳମାନେ ମଧ୍ୟ ସତର୍କ ରହିବା ସହ ସ୍ଥିତି ଉପରେ ନଜର ରଖିବାକୁ ଅନୁରୋଧ କରାଯାଇଛି।