ସମ୍ବଲପୁର– ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଆଜି ହୀରାକୁଦ ଜଳଭଣ୍ଡାରରୁ ଛଡାଯାଇଛି । ମୋଟ୍ ୨୦ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ସକାଳେ ୭ଟି, ଦ୍ବିତୀୟ ପର୍ଯ୍ୟାୟରେ ମଧ୍ୟାହ୍ନ ସୁଦ୍ଧା ୭ଟି ଓ ତୃତୀୟ ପର୍ଯ୍ୟାୟରେ ଅପରାହ୍ନରେ ଆଉ ୬ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି । ମୋଟ୍ ୨୦ଟି ସ୍ଲୁଇସ୍ ଗେଟ୍ (ଜଳଭଣ୍ଡାରର ବାମ ପାର୍ଶ୍ବ ୧୪ଟି ଓ ଡାହାଣ ପାର୍ଶ୍ବ ୬ଟି)ଦେଇ ହୀରାକୁଦ ଜଳଭଣ୍ଡାରରୁ ମହାନଦୀକୁ ବନ୍ୟାଜଳ ନିଷ୍କାସନ କରାଯାଉଥିବା ହୀରାକୁଦ ଜଳଭଣ୍ଡାର କର୍ତୃପକ୍ଷଙ୍କ ସୂତ୍ରରୁ ପ୍ରକାଶ ।
ଦିନ ୧୨ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୧୭.୭୫ ଫୁଟ୍ ରହିଥିଲା । ଜଳଭଣ୍ଡର ମଧ୍ୟକୁ ପ୍ରତି ସେକେଣ୍ଡରେ ୨, ୫୬, ୧୦୧ କ୍ୟୁସେକ ଜଳ ପ୍ରବେଶ କରୁଥିଲା ବେଳେ ୧୪ଟି ସ୍ଲୁଇସ୍ ଗେଟ୍, ବିଭିନ୍ନ ସ୍ପିଲୱେ ଓ ପାୱାର ଚେନେଲ ଦେଇ ପ୍ରତି ସେକେଣ୍ଡରେ ୨ ଲକ୍ଷ ୫୨ ହଜାର ୮୦୦ କ୍ୟୁସେକ ଜଳ ମହାନଦୀକୁ ନିଷ୍କାସନ କରାଯାଉଥିଲା । ଜଳଭଣ୍ଡାରର ଜଳ ପତନ ଉପରେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଓ ବିଶେଷଜ୍ଞ ମାନେ ତୀକ୍ଷ୍ନ ଦୃଷ୍ଟି ରଖିଛନ୍ତି ।