ଭୁବନେଶ୍ୱର– ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ରଙ୍କୁ ଅର୍ଥ ବିଭାଗକୁ ବଦଳି କରାଯାଇଛି । ତାଙ୍କ ସ୍ଥାନେର କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ୧୯୯୯ ବ୍ୟାଚ୍ ର ଆଇଏଏସ୍ ଅଫିସର ଏନ୍.ବି.ଏସ୍ ରାଜପୁତଙ୍କୁ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତ କରାଯାଇଛି । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
ପୂର୍ବରୁ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଥିବା ୧୯୯୬ ବ୍ୟାଚ୍ ର ଆଇଏଏସ୍ ଅଫିସର ଶାଶ୍ୱତ ମିଶ୍ର ଅର୍ଥ ଓ ଶକ୍ତି ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ପାଇଥିଲେ । ଏହା ସହିତ ତାଙ୍କୁ ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ ସିଲେକ୍ସନ କମିଶନର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଥିଲା ।
ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଆଜି ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ଶାଶ୍ୱତ ମିଶ୍ରଙ୍କୁ ଗୁରୁତ୍ୱପୂର୍ଣ୍ଣ ଅର୍ଥ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତ କରାଯାଇଛି । ଏହା ସହିତ ପୂର୍ବଭଳି ସେ ଶକ୍ତି ବିଭାଗର ପ୍ରମୁଖ ସଚିବ ଓ ଓଏସଏସଏସସିର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।