ର୍ଭୁବନେଶ୍ୱର- ଆସନ୍ତା ୧୬ ତାରିଖରେ ବିଦ୍ୟୁତ୍ କାଟ୍ କରିବାକୁ ସେସୁ ନେଇଥିବା ନିଷ୍ପତିକୁ ଉଭୟ ବିଜେପି ଓ କଂଗ୍ରେସ ବିରୋଧ କରିଛନ୍ତି । ପରୀକ୍ଷା ସମୟରେ ଏଭଳି ନିଷ୍ପତି ନିଆଯିବା ଦୁର୍ଭାଗ୍ୟଜନକ ବୋଲି ଉଭୟ ଦଳ କହିଛନ୍ତି ।
ଅନ୍ୟପକ୍ଷରେ ସେସୁ ର ସିନିୟର ମ୍ୟାନେଜର ମନୋଜ ସିଂହ କହିଛନ୍ତି ଯେ ବିଦ୍ୟୁତ୍ କାଟ୍ ପାଇଁ ୪୧୩ ଟି ସ୍କ୍ୱାର୍ଡ ଗଠନ କରାଯାଇଛି । ଏଥିରେ ସେସୁ ସେବା ପାଉଥିବା ୯ଟି ଜିଲ୍ଲାର ୧୧,୩୯୭ ଗାଁରେ ବିଦ୍ୟୁତ୍ ବିଲ୍ ଦେଇନଥିବା ଗ୍ରାହକଙ୍କ ବିଦ୍ୟୁତ୍ ସଂଯୋଗ କଟାଯିବ । ସମସ୍ତଙ୍କର ସଂଯୋଗ କଟାଯିବ ନାହିଁ । ଯେଉଁମାନେ ନିୟମିତ ବିଦ୍ୟୁତ୍ ଦେୟ ପୈଠ କରୁନଥିବେ ଏବଂ କ୍ଷମତା ଥାଇ ବିଲ୍ ପୈଠ କରୁ ନଥିବେ ସେମାନଙ୍କର ବିଦ୍ୟୁତ୍ ସଂଯୋଗ କଟାଯିବ । ଦୁଇ ଦିନ ମଧ୍ୟରେ ସମସ୍ତ ବିଲ୍ ପୈଠ କରିବାକୁ କୁହାଯାଇଛି ।
କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଏହି ନିଷ୍ପତି ଉପରେ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ ଯଦି ବିଦ୍ୟୁତ୍ କଟାଯିବ ତେବେ ସମ୍ପୃକ୍ତ ଜିଲ୍ଲାର ବିଦ୍ୟୁତ୍ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ବଡ ବଡ କମ୍ପାନୀ ଉପରେ ବାକିଆ ଥିବା ବିଦ୍ୟୁତ୍ ବିଲ୍ ଆଦାୟ କରାଯାଉ । ଗରିବଙ୍କୁ ହଇରାଣ ନକରି ସେମାନେ ଯେପରି ପର୍ଯ୍ୟାୟକ୍ରମେ ବିଲ୍ ପୈଠ କରିବେ ତାର ବ୍ୟବସ୍ଥା କରାଯାଉ । ଆଗକୁ ପରୀକ୍ଷା ଅଛି । ତେଣୁ ଏହି ନିଷ୍ପତି ବଦଳାଯାଉ ।