ଭୁବନେଶ୍ଵର– ଲଘୁଚାପ ପ୍ରଭାବରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିବ । ଯାହାକୁ ଦୃଷ୍ଟିରେ ରଖି ଆଗାମୀ ୨୪ ଘଂଟା ପାଇଁ ୨୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହି ଜିଲ୍ଲା ଗୁଡିକ ହେଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗିର, ସୋନପୁର, ବୌଦ୍ଧ, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢ଼େଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ଵର, କେନ୍ଦୁଝର ଏବଂ ମୟୂରଭଞ୍ଜ । ତେବେ ତନ୍ମଧ୍ୟରୁ ୧୦ ଜିଲ୍ଲା ବରଗଡ଼, ସମ୍ବଲପୁର, ଅନୁଗୁଳ, ଦେବଗଡ଼, ଢ଼େଙ୍କାନାଳ, କଟକ, କେନ୍ଦୁଝର, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲ୍ଲାକୁ ଭୀଷଣରୁ ଅତି ଭୀଷଣ ବର୍ଷା ନେଇ ଚେତାବନୀ ଜାରି ହୋଇଛି । ଏସବୁ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ୧୨ରୁ ୨୦ ସେ.ମି. ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଅନ୍ୟ ୧୫ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ୭ରୁ ୧୧ ସେ.ମି. ପର୍ଯ୍ୟନ୍ତ ବର୍ଷା ହୋଇପାରେ ।
ସେହିପରି ପ୍ରବଳ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୨୮ ତାରିଖ ପାଇଁ ୧୧ ଜିଲ୍ଲା, ୨୯ ତାରିଖ ପାଇଁ ୭ ଜିଲ୍ଲା ଏବଂ ୩୦ ତାରିଖ ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।