ଭୁବନେଶ୍ୱର – ମଙ୍ଗଳବାର ଦିନ ଲୋକସେବା ଭବନ ପରିସର ମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପୂର୍ତ ବିଭାଗର ପ୍ରତ୍ୟକ୍ଷ ତତ୍ୱାବଧାନରେ ନିର୍ମାଣ କରାଯାଇଥିବା ଅତ୍ୟାଧୁନିକ କନଭେନସନ୍ ସେଂଟରର ଲୋକାର୍ପଣ କରିଛନ୍ତି । ଏଥିରେ ୪୦ କୋଟି ଟଙ୍କା ବ୍ୟୟ କରାଯାଇଛି । ଏହା ମଧ୍ୟରେ ୩୯୦ ଜଣ ବସି ପାରିବା ଭଳି ବ୍ୟବସ୍ଥା ରହିଛି । ୩୦୦ ଜଣଙ୍କ ପାଇଁ ବ୍ୟାକ୍ୱେଂଟ ହଲ୍ , ଫୁଡ୍ ପ୍ଲାଜା ମଧ୍ୟ ରହିଛି । ୫,୧୮୦ ବର୍ଗ ଫୁଟ୍ ଜାଗାରେ ଏହି ହଲ୍ ନିର୍ମାଣ କରାଯାଇଛି । ସେଥିରେ ଓଡିଶାର କଳା ଓ କାରୁକାର୍ଯ୍ୟ ଦେଖିବାକୁ ମିଳିବ ।
ହଲ୍ ର ଉଦଘାଟନ ପରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ କହିଛନ୍ତି ଯେ ଏଠାରେ ମିଟିଂ କରିବା ପାଇଁ ବିଭିନ୍ନ ବିଭାଗ ଓ କର୍ପୋରେଟ୍ ହାଉସ୍ ମାନଙ୍କୁ ମଧ୍ୟ ଅନୁମତି ଦିଆଯିବ । ଦୁଇ ମହଲା ବିଶିଷ୍ଟ ଏହି କନଭେନସନ୍ ସେଂଟରର ପ୍ରଥମ ମହଲାରେ ମୂଳ ହଲ୍ ବ୍ୟତୀତ ଅତ୍ୟାଧୁନିକ ଭିଆଇପି ଲାଉଂଜ, ୬୦ ଜଣଙ୍କ ପାଇଁ ବ୍ରେକ୍ ଆଉଟ୍ ସ୍ପେସ୍ , ୮୦ରୁ ୯୦ ଜଣଙ୍କ ପାଇଁ ବ୍ୟାକ୍ୱେଂଟ ହଲ୍ ରହିବ । ସେହିପରି ଦ୍ୱିତୀୟ ମହଲାରେ ୧୦୦ ଜଣଙ୍କ ପାଇଁ କନଫରେନ୍ସ ହଲ୍ , ୩୦ ଓ ୧୫ ଜଣ ବସି ପାରିବା ଭଳି ୨ ଟି ଛୋଟ କନଫରେନ୍ସ ହଲ୍ ଓ ୧୦୦ ଜଣ ବସି ପାରିବା ଭଳି ଫୁଡ୍ ପ୍ଲାଜା ରହିଛି । ଏହାକୁ ନଲେଜ୍ ହବ୍ ମଧ୍ୟ କରାଯିବ ବୋଲି ସେ କହିଛନ୍ତି ।