ଭୁବନେଶ୍ୱର, ରେଳ ଧାରଣାରୁ ସାମ୍ବାଦିକା ମଧୁମିତା ପରିଡାଙ୍କ ମୃତଦେହ ଉଦ୍ଧାର ଘଟଣାରେ ବାପଘର ଲୋକଙ୍କ ଅଭିଯୋଗ ପରେ ସ୍ୱାମୀ ଶ୍ରୀଧର ଜେନାଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ୍ ।
ଗତକାଲି ବାପୁଜୀନଗର ଟ୍ରେନ୍ ଲାଇନରୁ ଉଦ୍ଧାର ହୋଇଥିଲା ସାମ୍ବାଦିକାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ । ମୃତ ସାମ୍ବାଦିକା ହେଲେ ମଧୁମିତା ପରିଡା । ସେ ଏକ ୱେବ ଚ୍ୟାନେଲରେ କାମ କରୁଥିଲେ । ବିବାହ ପରେ ବାପୁଜୀନଗରରେ ଭଡ଼ାରେ ରହୁଥିଲେ । ତେବେ ମୃତ୍ୟୁ ପୂର୍ବରୁ ଏକ ଭିଡିଓରେ ତାଙ୍କ ସ୍ୱାମୀଙ୍କର ପରକୀୟା ପ୍ରୀତି ଥିଲା ବୋଲି ଅଭିଯୋଗ କରିଛନ୍ତି ମଧୁମିତା । ସ୍ୱାମୀ ତାଙ୍କୁ ଧୋକା ଦେବା ସହ ଦୀର୍ଘଦିନ ହେଲା ନିର୍ଯାତନା ଦେଉଥିଲେ । ଶେଷରେ ସହିନପାରି ସେ ଜୀବନ ହାରିଥିବା ଅଭିଯୋଗ ହୋଇଛି । ଭିଡିଓ କରିବା ପରେ ଟ୍ରେନ ଆଗକୁ ଡେଇଁ ସାମ୍ବାଦିକା ଜଣଙ୍କ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠାରେ ମଧୁମିତାଙ୍କ ଘର ହୋଇଥିବା ବେଳେ, ଗଞ୍ଜାମ ଜିଲ୍ଲା ତରଡ଼ାରେ ସେ ବିବାହ କରିଥିଲେ । ତେବେ ମଧୁମିତାଙ୍କୁ ବିବାହ ପୂର୍ବରୁ ତାଙ୍କ ସ୍ୱାମୀ ଅନ୍ୟ ଜଣେ ଯୁବତୀଙ୍କ ବିବାହ କରିଥିଲେ । ପ୍ରଥମ ସ୍ତ୍ରୀକୁ ଛାଡପତ୍ର ଦେବା ପରେ ମଧୁମିତାଙ୍କୁ ଦ୍ୱିତୀୟ ବିବାହ କରିଥିଲେ ତାଙ୍କ ସ୍ୱାମୀ ।