ମାଲକାନଗିରି,ମାଲକାନଗିରି ସରକାରୀ ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ୍ ର ମିଳିତ ଆନୁକୂଲ୍ୟରେ ଏକ ଦିବସୀୟ ‘ମାଆ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଆଲୋକ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ନିର୍ଦ୍ଦେଶକ ଡ. ଗୋପାଳ ହାଲଦର୍ ମୁଖ୍ୟଅତିଥି ଭାବରେ ଯୋଗଦେଇ ବୃକ୍ଷର ମାହାତ୍ମ୍ୟ ସମ୍ପର୍କରେ ବୁଝାଇବା ସହ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଯୁବ ରେଡକ୍ରସ୍ ଓ ସବୁଜବାହିନୀର ଆବାହକ ତଥା ସମ୍ପାଦକ ଡ. ରଞ୍ଜନ କୁମାର ସ୍ବାଇଁ ମୁଖ୍ୟବକ୍ତା ଭାବେ ଯୋଗଦେଇ ଧରଣୀ ମାଆର ସୁରକ୍ଷା ପାଇଁ ଗଛର ଭୂମିକା କେତେ ଗୁରୁତ୍ଵପୂର୍ଣ୍ଣ, ସେ ସମ୍ବନ୍ଧରେ ବକ୍ତବ୍ୟ ଦେଇଥିଲେ। ମହାବିଦ୍ୟାଳୟ ପରିସରରେ ଆମ୍ବ, ଅଁଳା, ସାହାଡ଼ା ,ପିଜୁଳି ପ୍ରଭୃତି ପ୍ରାୟ ଦେଢ଼ଶହରୁ ଅଧିକ ବୃକ୍ଷରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନା ଅଧିକାରୀ ଡ.ନାଇଜେଲ୍ ମାଇକେଲ୍ ପିଟର୍ ଓବ୍ରୟାନ ଓ ଯୁବ ରେଡକ୍ରସ୍ ର ଅଧିକାରୀ ଡ. ଦେବାଶିଷ ପହିଙ୍କ ପ୍ରତିନିଧିତ୍ଵରେ ସଞ୍ଚାଳନ କରାଯାଇଥିଲା।
ଆସନ୍ତା ୨୮ ତାରିଖରେ ସମାପନ କରାଯିବାକୁଥିବା ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅନ୍ୟ ପ୍ରାଧ୍ୟାପକ ଡ. ଦୀନବନ୍ଧୁ ସାହୁ, ଡ. ରତ୍ନାକର ପରିଡ଼ା, ଡ. ହିମାଂଶୁ ଶେଖର ସାହୁ, ଡ. ପ୍ରସନ୍ନ କୁମାର ବରାଳ , ପ୍ରିତମ ମାହାଲା, ଗୌତମସେନ ହାଁସଦା ପ୍ରମୁଖ ଉପସ୍ଥିତ ରହିଥିଲେ ଏବଂ ପାଞ୍ଚଶହରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପରିବେଶ ପରିଷ୍କାର ପରିଚ୍ଛନ୍ନ କରି ବୃକ୍ଷରୋପଣରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।