
ମାଲକାନଗିରି-ମାଲକାନଗିରି ଜିଲ୍ଲାରେ ଥିବା ଇସ୍ପାତ ଓ ଖଣି କାର୍ଯ୍ୟାଳୟ ଜଣେ ଅଧିକାରୀରେ ଚାଲିଛି । ଜିଲ୍ଲାରେ ଚାଲିଥିବା ବାଲିଘାଟଗୁଡିକରେ କିପରି ବେପାର ଚାଲିଛି ତାକୁ ନେଇ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ଘନ ଘନ ଚଢଉ ହେଉଛି । ଏହା ସ୍ୱତେ ମଧ୍ୟ ବାଲି ମାଫିଆ ମାନେ କାହାକୁ ଖାତିର ନକରି ମେସିନ ଲଗାଇ ଜିଲ୍ଲାର ବିଭିନ୍ନ ନଦୀ ଘାଟରୁ ଦିନ ଦ୍ୱିପ୍ରହରେ ଲୁଟ ଚଳାଇଛନ୍ତି!ଏପରିକି ଚଢ଼ା ଦରରେ ସ୍ଥାନୀୟ ଲୋକଙ୍କୁ ବାଲି ବିକ୍ରୀ କରୁଛନ୍ତି!ଆବଶ୍ୟକ ପରିମାଣର କର୍ମଚାରୀ ନଥିବାରୁ ବହୁ ସମୟରେ ଚଢଉ ହୋଇପାରୁନଥିବା ଜଣାପଡିଛି । ମାଲକାନଗିରି ଇସ୍ପାତ ଓ ଖଣି କାର୍ଯ୍ୟାଳୟରେ ମାତ୍ର ଜଣେ ହିଁ ଖଣି ଅଧୂକାରୀ ରହିଛନ୍ତି । ଜଣେ ଖଣି ଅଧୂକାରୀ ସାରା ଜିଲ୍ଲାକୁ ବୁଲି ବାଲିଘାଟର ତଦାରଖ କରିବା ଏବଂ ବେଆଇନ ବାଲି ଚାଲଣ ରୋକିବା କେତେଦୂର ସମ୍ଭବ ହୋଇପାରୁନାହିଁ । ଜିଲ୍ଲାରେ ୧୯ଟି ବାଲିଘାଟ ରହିଥିବାବେଳେ ସେଥିମଧ୍ୟରୁ ଦୁଇଟି ବାଲିଘାଟ ବେଆଇନ ଭାବେ ଚୁକ୍ତିନାମାକୁ ଖିଲାପ କରିଥିଲେ । ଏହି ଦୁଇ ବାଲିଘାଟ ହେଲା ପାଙ୍ଗାମ ଓ ପୋଡାଗୁଡା । ଏହି ଦୁଇ ବାଲିଘାଟ ଯେତିକି ହେକ୍ଟରରୁ ବାଲି ଉଠାଇବା କଥା ତାଠାରୁ ଢେର ଅଧିକ ହେକ୍ଟରରୁ ବାଲି ଉଠାଉଥିଲେ । ତଦନ୍ତ ପରେ ଏହି ଦୁଇ ବାଲିଘାଟକୁ ବନ୍ଦ କରିଦିଆଯାଇଛି । ଏହି ଦୁଇ ବାଲିଘାଟର ତଦନ୍ତ ଜଣେ ଦକ୍ଷ ସ୍ୱୀକୃତିପ୍ରାପ୍ତି ଖଣି ଅଧୂକାରୀ କରିଥିବାବେଳେ ଏହାର ରିପୋର୍ଟ ବର୍ତମାନ ସୁଦ୍ଧା ମିଳିନଥିବା ସ୍ଥାନୀୟ ଅଧିକାରୀ ସତ୍ୟେନ୍ଦ୍ର ସରଦାର ପ୍ରକାଶ କରିଛନ୍ତି । ଏହି ବାଲିଘାଟଗୁଡିକ ବିଭାଗ ସହ କରିଥିବା ଚୁକ୍ତିନାମାରେ କେତେ ହେକ୍ଟର ମଧ୍ୟରୁ ବାଲି ଉଠାଇବାର ନିୟମ ରହିଥି ବାବେଳେ ଏମାନେ ସେତିକିରେ ସୀମିତ ରହିଛନ୍ତି ନା ଚୁକ୍ତିନାମାଠାରୁ ଅଧିକା ଅଞ୍ଚଳରୁ ବାଲି ଉଠାଣ କରୁଛନ୍ତି ତାହା ମଧ୍ୟ ଏବେ ତଦନ୍ତ ସାପେକ୍ଷ । ଚଳିତ ବର୍ଷ ଜାନୁଆରୀରୁ ମାର୍ଚ୍ଚ ମଧ୍ଯରେ ମାଲକାନଗିରି ଇସ୍ପାତ ଓ ଖଣି ବିଭାଗ ତରଫରୁ ୧୧ ଲକ୍ଷ ଟଙ୍କା ଜରି ଜରିମାନା ଆଦାୟ କରାଯାଇଥିବା ବିଭାଗ କହିଛି । ତେବେ ଜଣେ ଅଧିକାରୀରେ ବଳକା ୧୭ଟି ବାଲିଘାଟକୁ ନିୟମିତ ତଦାରଖ କରିବା ଏବଂ ଏକା ସାଙ୍ଗରେ ଅଫିସ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସମ୍ଭବ ହେଉନଥିବା ସ୍ଥାନୀୟ ଖଣି ଅଧିକାରୀ ସତ୍ୟନ୍ଦ୍ର ସରଦାର ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟାଳୟରେ ଜଣେ ଅତିରିକ୍ତ ଖଣି ଅଧିକାରୀ ରହିବା ସହ ୩ ଜଣ ଜୁନିୟର ଖଣି ଅଧିକାରୀ ଓ ଅନ୍ୟ କର୍ମଚାରୀ ରହିବା କଥା କିନ୍ତୁ ମାତ୍ର ଜଣେ ଅଧିକାରୀରେ ଚାଲିଛି କାର୍ଯ୍ୟାଳୟ । ପୂର୍ବରୁ ରାଜସ୍ୱ ବିଭାଗ ବାଲିଘାଟଗୁଡିକରେ ଚଢଉ ସହ ବେଆଇନ ବାଲି ଚାଲାଣକୁ ରୋକ ଲଗାଉଥିଲାବେଳେ ସରକାର ରାଜସ୍ୱ ବିଭାଗରୁ ଏହି ଦାୟିତ୍ୱ ଉଠାଇ ଖଣି ବିଭାଗକୁ ହସ୍ତାନ୍ତର କଲେ । ଏବେ ପୁଣି ଖଣି ବିଭାଗ ଏହାର ଉଚିତ ତଦନ୍ତ କରିନପାରି ଏଥିରେ ତହସିଲକୁ ସାମିଲ କରିବା ନେଇ ସରକାରଙ୍କୁ ଜଣାଇଥିବା ଜଣାପଡିଛି ।