
ବଲାଙ୍ଗିର, ଓଡ଼ିଶା ବିଧାନସଭାରେ ସବୁବେଳେ ବଲାଙ୍ଗୀରର ସ୍ୱର ଉଠିଛି । ଏବେ ବଲାଙ୍ଗୀର ସଦର ଆସନରେ ବିଧାୟକ ଥିବା କଳିକେଶ ନାରାୟଣ ସିଂଦେଓ ଜିଲ୍ଲାର ରାସ୍ତାଘାଟ ସମସ୍ୟାନେଇ ରାଜ୍ୟସରକାରଙ୍କୁ ଶାଣିତସ୍ୱରରେ ପ୍ରଶ୍ନ କରୁଛନ୍ତି । କଳିକେଶଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ତଥ୍ୟରୁ ଜଣାଯାଇଛି ଯେ, ବଲାଙ୍ଗୀର ଜିଲ୍ଲାର ଗ୍ରାମାଞ୍ଚଳ, ବଲାଙ୍ଗୀର ପୌରପାଳିକାର ରାସ୍ତାଘାଟ, ପୋଲନିର୍ମାଣ ତଥା ମରାମତି, ସରକାରୀ ଉଦ୍ୟୋଗରେ ଯୁବକଯୁବତୀଙ୍କ ନିଯୁକ୍ତି, ଜିଲ୍ଲାରେ ବନବିଭାଗ ପକ୍ଷରୁ ହୋଇଥିବା ବନୀକରଣ ,ପଞ୍ଚାୟତମାନଙ୍କରେ ନିର୍ବାହୀ ଅଧିକାରୀ ନିଯୁକ୍ତି, ଶିକ୍ଷାନୁଷ୍ଠାନମାନଙ୍କୁ ବିଦ୍ୟୂତ କରଣ ଇତ୍ୟାଦି ବିଷୟରେ ଆଜି ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି । ବିଧାୟକ କଳିକେଶଙ୍କ ପ୍ରଶ୍ନର ଉତ୍ତରରେ ଗ୍ରାମ୍ୟଉନ୍ନୟନ ଓ ପଞ୍ଚାୟତି ରାଜ ମନ୍ତ୍ରୀ ରବିନାରାୟଣ ନାଏକ କହିଛନ୍ତି ଯେ, ବଲାଙ୍ଗୀର ଜିଲ୍ଲାରେ ଗ୍ରାମ୍ୟଉନ୍ନୟନ ବିଭାଗ ପକ୍ଷରୁ ବିଜୁସେତୁ ଯୋଜନାରେ ମୋଟ ୯ଟି ର ନିର୍ମାଣକାର୍ଯ୍ୟ ଶେଷ ହୋଇଥିବା ବେଳେ ୪୮ଗୋଟି ସେତୁର କାମ ଚାଲିଛି । ସେହିପରି ୪ଟି ସେତୁ ନିର୍ମାଣ ପାଇଁ ଅଟକଳ ପ୍ରସ୍ତୁତ ହୋଇ ଟେଣ୍ଡର ପ୍ରକ୍ରୀୟାରେ ରହିଛି । ଟେଣ୍ଡର ପ୍ରକ୍ରୀୟାରେ ଥିବା ସେତୁ ମଧ୍ୟରେ ବଲାଙ୍ଗୀର ନିର୍ବାଚନମଣ୍ଡଳିର ଦେଓଗାଁ ବ୍ଲକର ସାଲେପାଲିଠାରୁ ସରଗାଡକୁ ସୋନଗଡ ନଦୀରେ ସେତୁ, ଟିଟିଲାଗଡ ନିର୍ବାଚନ ମଣ୍ଡଳିର ଲାନ୍ଥନଦୀରେ ଦୁଖଲଘାଟରୁ ଜାମିଲିସର ରୋଡରେ ସେତୁ, ଟାଙ୍ଗିଜୋର ନାଳାରେ ସିଲଣ୍ଡାରୁ ଚାଣ୍ଟିପଲାକୁ ସେତୁ ଓ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳିରେ ସୁନ୍ଦରନାଳାରେ ପୁଲସଖଣ୍ଡରୁ ଶ୍ରୀରାମ ପଞ୍ଚାୟତ ସମିତି ରୋଡକୁ ସେତୁ ରହିଥିବା ମନ୍ତ୍ରୀ ଉତ୍ତରରଖିଛନ୍ତି । ଠିକ ସେହିପରି ବଲାଙ୍ଗୀର ନିର୍ବାଚନମଣ୍ଡଳିର ବଲାଙ୍ଗୀର ସଦର ବ୍ଲକରେ ୨୫ଗୋଟି ଗ୍ରାମପଞ୍ଚାୟତରେ ସମୁଦାୟ ୩୦୨.୨୫ କିମି ପଞ୍ଚାୟତ ରାସ୍ତା ରହିଛି । ସେଥିରୁ ୮୧.୭କିମି ରାସ୍ତା କଂକ୍ରୀଟ, ପେଭରବ୍ଲକ କାମ ହୋଇଛି ଓ ୨୧୮.୮କିମି ମାଟି ରାସ୍ତା ରହିଛି । ଏହି ରାସ୍ତାଗୁଡିକୁ ବିଭିନ୍ନ ପର୍ଯ୍ୟାୟରେ ଜିପିଡିପି ଓ ବିପିଡିପି ତଥା ଅନ୍ୟାନ୍ୟ ଯୋଜନାରୁ କଂକ୍ରୀଟ ଓ ପେଭର ବ୍ଲକ କାମ କରାଯିବାକୁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ରବିନାରାୟଣ ନାଏକ ଉତ୍ତର ରଖିଛନ୍ତି । ସେହିପରି ଜିଲ୍ଲାରେ ଗତ ୫ବର୍ଷ ମଧ୍ୟରେ ମାତ୍ର ୫୦ଟି ଶିକ୍ଷାନୁଷ୍ଠାନରେ ଜିଇଡି ବିଭାଗ ପକ୍ଷରୁ ବିଦ୍ୟୁତକରଣ କରାଯାଇଥିବା ମନ୍ତ୍ରୀ ଶ୍ରୀ ନାଏକ ଉତ୍ତର ରଖିଛନ୍ତି । ଠିକ ସେହିପରି ବଲାଙ୍ଗୀର ପୌରପାଳିକାରେ ମୋଟ ୪୨୭.୨୭କିମି ରାସ୍ତା ରହିଥିବା ବେଳେ ସେଥିରୁ ୯୬.୧୫ କିମି ପିଚୁରାସ୍ତା,୧୨୧.୬୨ କିମି ସିମେଣ୍ଟ କଂକ୍ରେୀଟ ଓ ୨୦୯.୫୦କିମି ମେଟାଲ ଓ ଅଣମେଟାଲ ରାସ୍ତା ରହିଛି । ଏହି ମେଟାଲ ଓ ଅଣମେଟାଲ ରାସ୍ତା ମଧ୍ୟରୁ ୩୨.୪୫କିମି ରାସ୍ତାକୁ ପେଭରରାସ୍ତା କରିବାକୁ ଗତ ୨୦୨୩-୨୪ ଆର୍ôଥକବର୍ଷରେ ମଞ୍ଜୁରି ପ୍ରଦାନ କରା ଯାଇଛି ବୋଲି ବିଧାୟକଙ୍କ ପ୍ରଶ୍ନର ଉତ୍ତରରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ.କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି । ସେପଟେ ବଲାଙ୍ଗୀର ଜିଲ୍ଲାରେ ୧୪ଟି ବ୍ଲକଅଞ୍ଚଳର ଗ୍ରାମ ଗୁଡିକରେ ମୋଟ ୩୫,୦୩୫.୫୫ ହେକ୍ଟର ଗ୍ରାମ୍ୟଜଙ୍ଗଲ ରହିଛି । ସେଥିରୁ ଏପର୍ଯ୍ୟନ୍ତ ୧୩୮୧ ହେକ୍ଟରରେ ବନବିଭାଗ ବନୀକରଣ କରା ଯାଇଛି । ଆଗକୁ ଅନ୍ୟ ଜମିରେ ମଧ୍ୟ ବନୀକରଣ କରାଯିବ ବୋଲି ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ବିଧାନସଭାରେ ଉତ୍ତର ରଖିଛନ୍ତି