-
ଦୁଇ ବର୍ଷ ମଧ୍ୟରେ ପୂରଣ ହେବ 65 ହଜାର ସରକାରୀ ପଦବୀ
-
2029 ସୁଦ୍ଧା ରାଜ୍ୟରେ 3.5 ଲକ୍ଷ ନୂଆ ନିଯୁକ୍ତି ପ୍ରଦାନ କରିବାକୁ ଲକ୍ଷ୍ୟ
-
ଧାନ ପ୍ରତି କ୍ୱିଂଟାଲ 31 ଶହ ଟଙ୍କାରେ କିଣିବେ
-
ଓଡିଶାକୁ ବାଜରା ହବ୍ ରେ ପରିଣତ କରାଯିବ
-
ସାରା ରାଜ୍ୟରେ 3 ହଜାର ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ
ଭୁବନେଶ୍ବର. ମୋ ଜଗନ୍ନାଥ ସଂସ୍କୃତିର ସୁରକ୍ଷା ତଥା ଓଡିଆ ଅସ୍ମିତାକୁ ଆଧାର କରି କାର୍ଯ୍ୟ କରିବ । ଓଡିଆ ଅସ୍ମିତା କୈନ୍ଦ୍ରିକ ମୋ ସରକାର ସତର୍କ, ଇଚ୍ଛୁକ. ସ୍ୱଚ୍ଛ ଓ ସୁଗ୍ରାହ୍ୟ ଶାସନ ପ୍ରଦାନ କରି ଓଡିଶାକୁ ପ୍ରଗତିର ଶୀର୍ଷରେ ପହଂଚାଇବ । ଆଜି ବିଧାନସଭା ଅଧିବେଶନର ପ୍ରଥମ ଦିନରେ ନିଜର ଅଭିଭାଷଣରେ ରାଜ୍ୟପାଳ ରଘୁବର ଦାସ ଏହା କହିଛନ୍ତି ।
ସେ କହିଛନ୍ତି ଯେ ସରକାର ଖାଲିଥିବା 1.5 ଲକ୍ଷ ସରକାରୀ ପଦବୀ ପୂରଣ କରାଯିବାକୁ ସୁନିଶ୍ଚିତ କରିବେ । ଆସନ୍ତା ଦୁଇ ବର୍ଷ ମଧ୍ୟରେ 65 ହଜାର ସରକାରୀ ପଦବୀକୁ ପୂରଣ କରାଯିବ ।
ସେ କହିଛନ୍ତି ଯେ, ଓଡିଶାକୁ ଗତିଶୀଳ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବାକୁ ମେକ ଇନ ଓଡିଶା କାର୍ଯ୍ୟକ୍ରମରେ ଅଟୋମୋବାଇଲ, ବ୍ୟାଟେରୀ ଚାଳିତ ଯାନ, ସେମି କଂଡକ୍ଟର ଉପରେ ଗୁରୁତ୍ୱ ଦିଆଯିବ । 2029 ସୁଦ୍ଧା ରାଜ୍ୟରେ 3.5 ଲକ୍ଷ ନୂଆ ନିଯୁକ୍ତି ପ୍ରଦାନ କରିବାକୁ ଲକ୍ଷ୍ୟ ରଖା ଯାଇଛି ।
ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ରାଜ୍ୟ ସରକାର ସମୃଦ୍ଧ କୃଷି ନୀତି ପ୍ରଚଳନ କରି ଧାନ ପ୍ରତି କ୍ୱିଂଟାଲ 31 ଶହ ଟଙ୍କାରେ କିଣିବା ସହ 48 ଘଂଟା ମଧ୍ୟରେ ଡିବିଟି ଜରିଆରେ ଚାଷୀଙ୍କୁ ଦେୟ ପ୍ରଦାନ କରାଯିବ ।
ସେ କହିଛନ୍ତି ଯେ ଓଡିଶାକୁ ବାଜରା ହବ୍ ରେ ପରିଣତ କରାଯିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ । ବାଜରା ଜାତୀୟ ଶସ୍ୟ ଉତ୍ପାଦନ ପାଇଁ ଓ ବ୍ୟବହାର ବୃଦ୍ଧି ପାଇଁ ପଦକ୍ଷେପ ନିଆଯିବ। ସରକାରୀ କ୍ୟାଣ୍ଟିନ ଓ ବିଦ୍ୟାଳୟରେ ବାଜରା ପ୍ରଚଳନ ପାଇଁ ପଦକ୍ଷେପ ନିଆଯିବ। ମାଛଧରା ବନ୍ଦର, ମତ୍ସ୍ୟ ଅବତରଣ କେନ୍ଦ୍ର ଗୁଡିକର ଆଧିୁନିକୀକରଣ ଆଦି କରି ମତ୍ସ୍ୟ ଉତ୍ପାଦନରେ ବିପ୍ଲବ ଆଣିବାକୁ ଚାହୁଁଛନ୍ତି ।
ସେ କହିଛନ୍ତି ଯେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ପାଇଁ ଶିଳ୍ପ କ୍ଲଷ୍ଟର ସ୍ଥାପନା, ଉତ୍ପାଦ ଗୁଡିକର ବଜାର ବ୍ୟବସ୍ଥା ଓ ପ୍ରୋତ୍ସାହନ ଆଦି ପ୍ରଦାନ କରି 2027 ସୁଦ୍ଧା ରାଜ୍ୟରେ 25 ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାକୁ ଲକ୍ଷ୍ୟ ରହିଛି ଯ।।
ସେ କହିଛନ୍ତି ନୂଆ ସରକାର ଗଠନ ହେବା ମାତ୍ରେ କିଛି ପ୍ରତିଶ୍ରୁତି ପୂରଣ ହୋଇଛି। ଜଗନ୍ନାଥ ସଂସ୍କୃତି, ଓଡ଼ିଆ ଅସ୍ମିତା ପାଇଁ କାମ କରିବୁ। କୃଷକଙ୍କ ଉନ୍ନତି ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିବୁ। କୃଷକଙ୍କୁ ସଶକ୍ତ କରିବା ପାଇଁ ପିଏମ୍ କିଷାନ ଲାଗୁ କରିବୁ। ଓଡ଼ିଶାରେ ଆୟୁଷ୍ମାନ୍ ଭାରତ ଯୋଜନା ଲାଗୁ କରାଯିବ।
ସେ କହିଛନ୍ତି ଯେ ରାଜ୍ୟ ସରକାର ଉନ୍ନତ ଭେଷଜ ଶିକ୍ଷା, ସ୍ୱାସ୍ଥ୍ୟ ସେବାର ଉପଲବ୍ଧତା ବୃଦ୍ଧି ପାଇଁ ଜିଲ୍ଲା ସ୍ତରରେ ନର୍ସିଂ କଲେଜ, ଭେଷଜ ମହାବିଦ୍ୟାଳୟ ଓ ସୁପର ସ୍ପେସାଲିଟି ହସପିଟାଲ ସ୍ଥାପନ କରିବେ । ସାରା ରାଜ୍ୟରେ 3 ହଜାର ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ ।
ସେ କହିଛନ୍ତି ଯେ ମୋ ସରକାର ଜାତୀୟ ଭେକ୍ଟର ଜନିତ ରୋଗ ନିୟନ୍ତ୍ରଣ କାର୍ଯକ୍ରମକୁ ତ୍ୱରାନ୍ବିତ କରି 2030 ସୁଦ୍ଧା ଓଡିଶାରୁ ରୋଗର ମୂଳତ୍ପାଟନ କରିବାକୁ ଲକ୍ଷ୍ୟ ରଖିଛନ୍ତି ।
ସେ କହିଛନ୍ତି ଯେ ମୋ ସରକାର ଓଡିଆ ଅସ୍ମିତା ଭବନ, ତାଳପତ୍ର ପାଂଡୁଲିପି ସଂଗ୍ରହାଳୟ , ଓଡିଆ ଅନୁବାଦ ଏକାଡେମୀ ପାଇକ ବିଦ୍ରୋହ ସ୍ମାରକୀର ବିକାଶ, ଇ ଲାଇବ୍ରେରୀ ପ୍ରତିଷ୍ଠା କରିବେ । ଏଥି ପାଇଁ ଏକ କର୍ପୋସ ଫଂଡ ଗଠନ କରାଯିବ ।
ଯୁବକଙ୍କୁ ରୋଜଗାର ମୋ ସରକାରର ପ୍ରାଥମିକତା। ଯେଉଁ ପ୍ରତିଶ୍ରୁତି ଦିଆଯାଇଛି, ତାହା ପୂରଣ କରାଯିବ। ମହିଳା ଭୂମିହୀନ କୃଷକଙ୍କୁ ପ୍ରୋତ୍ସାହିତ କରିବେ ସରକାର। ବଲାଙ୍ଗୀର କଳାହାଣ୍ଡି ବରଗଡ଼ ଓ ନୂଆପଡ଼ାରେ ୧୦ଟି ଜଳସେଚନ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରାଯିବ।
ଗ୍ରୀନ ଇଣ୍ଡଷ୍ଟ୍ରିଆଲ ପଲିସି କାର୍ଯ୍ୟକାରୀ କରାଯିବ। ବୈଦ୍ୟୁତିକ ଯାନବାହାନକୁ ପ୍ରୋତ୍ସାହନ ପାଇଁ ଚାରି ଓ ଛ ଚକିଆ ଜାନକୁ ସବସିଡି ଦେବ ସରକାର। ଉପକୂଳ ଅଂଚଳରେ ବାତ୍ୟା ପ୍ରଭାବ କମାଇବାକୁ ଉପକୁଳ ଅଂଚଳରେ ୪୮୦ କିଲୋମିଟର ବନିକରଣ କାର୍ଯ୍ୟକ୍ରମ ହାତକୁ ନେବେ।
୨୦୨୭ ସୁଦ୍ଧା ପୁଷ୍ଟିହୀନତା ହ୍ରାସ କରାଯିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଞ୍ଚଳରେ ୧୦ ଲକ୍ଷ, ସହରାଞ୍ଚଳରେ ୫ ଲକ୍ଷ ଘର କରିବାକୁ ଲକ୍ଷ୍ୟ ରଖାଯାଇଛି।ଅଙ୍ଗନବାଡିକୁ ୨୦୩୦ ସୁଦ୍ଧା ସକ୍ଷମ ଅଙ୍ଗନବାଡିରେ ପରିଣତ କରାଯିବ। ବିଦ୍ୟାଳୟ ସ୍ତରରେ ଶିକ୍ଷାଦାନ ଉଦେଶ୍ୟରେ ଅଙ୍ଗନବାଡି କର୍ମୀଙ୍କୁ ଶୈକ୍ଷିକ ସାଧନ ବ୍ୟକ୍ତି ତାଲିମ ଦିଆଯିବ। ଜନଜାତି ଛାତ୍ରଛାତ୍ରୀ ପାଖକୁ ପାଠାଗାର ପଠାଇବା ପାଇଁ ଲାଇବ୍ରେରୀ ଅନ ହୁଇଲ କାର୍ଯ୍ୟକ୍ରମ ଆରମ୍ଭ କରିବେ ସରକାର। ସରକାରୀ ବିଦ୍ୟାଳୟରେ ଏଆଇର ବ୍ୟବହାର ହେବ।
ରାଜ୍ୟପାଳ ରଘୁବର ଦାସ ନିଜ ଅଭିଭାଷଣରେ ଆହୁରି କହିଛନ୍ତି, ସାରା ରାଜ୍ୟରେ ୩ ହଜାର ନୂଆ ଡାକ୍ତରଙ୍କୁ ନିଯୁକ୍ତ କରାଯିବ। ଜିଲ୍ଲା ଡାକ୍ତରଖାନାରେ ସ୍ତ୍ରୀ ରୋଗ, ଶିଶୁ ରୋଗ ବିଶେଷଜ୍ଞ ଏବଂ ନର୍ସଙ୍କ ଆବଶ୍ୟକତାକୁ ସୁନିଶ୍ଚିତ କରାଯିବ।ଉପକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ନାମ ପରିବର୍ତନ କରାଯାଇ ଆରୋଗ୍ୟ ମନ୍ଦିର କରାଯିବ।
ପ୍ରତି ସିଏଚସିରେ ଗୋଟେ ଭ୍ରମ୍ୟମାଣ ଚିକିତ୍ସା ୟୁନିଟ ରହିବ। ୨୦୩୦ ସୁଦ୍ଧା ଓଡ଼ିଶାକୁ ମ୍ୟାଲେରିଆ ମୁକ୍ତ କରାଯିବ। ନୂଆ କ୍ରୀଡ଼ାନୀତି ଆସିବ, କ୍ରୀଡ଼ାବିତଙ୍କୁ ପ୍ରଶିକ୍ଷଣ ଦିଆଯିବା ପାଇଁ କ୍ରୀଡ଼ା ଏକାଡେମୀ ଓ ନର୍ସରୀ ପ୍ରତିଷ୍ଠା କରାଯିବ।