ଉତରକକାଶୀ– ଉତରାଖଣ୍ଡରେ ଭୀଷଣ ବର୍ଷା ଯୋଗୁଁ ସ୍ଥିତି ବେହାଲ୍ ହୋଇପଡିଛି । ରାଜ୍ୟର କେତେକ ଅଂଚଳକୁ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ଇତିମଧ୍ୟରେ ଗଙ୍ଗୋତ୍ରୀ ହାଇୱେ ମାଟି କାଦୁଅରେ ଭରି ଯାଇଥିବାରୁ ଯାନବାହନ ଚଳାଚଳ ବ୍ୟାହତ ହୋଇଛି । ରାସ୍ତାର ଦୁଇ ପାର୍ଶ୍ଵରେ ଶହ ଶହ ସଂଖ୍ୟାରେ ଯାନବାହନ ଅଟକି ରହିଛି । ଯଦିଓ ବିଆରଓ ର ଟିମ୍ ରାଜପଥକୁ ଖୋଲିବା ପାଇଁ ତଥା ମାଟି କାଦୁଅ ରାସ୍ତାରୁ ସଫା କାର୍ଯ୍ୟରେ ଲାଗିପଡିଛନ୍ତି । କିନ୍ତୁ, ଲଗାତାର ପାହାଡ଼ରୁ ପଥର ଖସିବା କାରଣରୁ ରାସ୍ତାକୁ ଖୋଲିବାରେ ସମସ୍ୟା ଦେଖାଦେଇଛି । ଗଙ୍ଗୋତ୍ରୀ ଜାତୀୟ ରାଜପଥର ମନେରି ଝରଣା ନିକଟରେ ନେତାଲ, ବିଶନପୁର ନିକଟରେ ରାସ୍ତାରେ ମାଟି କାଦୁଅ, ପଥର ଜମା ହୋଇରହିଥିବାରୁ ରାସ୍ତା ବନ୍ଦ ରହିଛି । ବିଆରଓ ଟିମ୍ ଜେସିବି ମେସିନ ସାହାଯ୍ୟରେ ରାସ୍ତାକୁ ସଫା କରିବା କାର୍ଯ୍ୟ କରୁଛନ୍ତି ।
ସେହିପରି ଡାବରକୋଟରେ ବର୍ଷା ଯୋଗୁଁ ଲଗାତାର ପାହାଡ଼ରୁ ପଥର ଖଣ୍ଡ ଓ ମାଟି ରାସ୍ତାକୁ ଖସୁଛି । ଏନଏଚ ବଡ଼କୋଟ ଦ୍ଵାରା ଉକ୍ତ ସ୍ଥାନରେ ମେସିନ ନିୟୋଜିତ ହୋଇଛି । ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଗଙ୍ଗୋତ୍ରୀ ଜାତୀୟ ରାଜପଥ ଖୋଲିବାରେ ସମୟ ଲାଗିପାରେ ।