ଶିମଲା– ହିମାଚଳ ପ୍ରଦେଶରେ ମୌସୁମୀ ପୁଣି ଥରେ ସକ୍ରିୟ ହୋଇଉଠିଛି । ରାଜ୍ୟର କେତେକ ଅଂଚଳରେ ଭୀଷଣ ବର୍ଷା ଜାରି ରହିଛି । ରବିବାର ରାତିରେ ଶିମଲା, ବିଳାସପୁର, ଏବଂ କାଂଗଡ଼ା ସମେତ ଅନ୍ୟ ଜିଲ୍ଲାଗୁଡିକରେ ଭୀଷଣ ବର୍ଷା ହୋଇଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ଶିମଲା ପକ୍ଷରୁ ଆଜି ଓ ଆସନ୍ତାକାଲି ରାଜ୍ୟରେ ଭୀଷଣ ବର୍ଷା ନେଇ ଚେତାବନୀ ଜାରି ହୋଇଛି । ଲାହୌଲ-ସ୍ପିତି ଏବଂ କିନୌରକୁ ବାଦ୍ ଦେଇ ଅନ୍ୟ ୧୦ ଜିଲ୍ଲାରେ ଭୀଷଣ ବର୍ଷା ନେଇ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି ହୋଇଛି । ଜୁଲାଇ ୨୪, ୨୫ ଏବଂ ୨୬ ତାରିଖ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ପାଣିପାଗ ବିଜ୍ଞାନ କେନ୍ଦ୍ର ଶିମଲାର ନିର୍ଦ୍ଦେଶକ ସୁରେନ୍ଦ୍ର ପଲ୍ କହିଛନ୍ତି ଯେ, ରାଜ୍ୟରେ ଜୁଲାଇ ୨୬ ତାରିଖ ପର୍ଯ୍ୟନ୍ତ ପାଣିପାଗ ସକ୍ରିୟ ରହିବା ଯୋଗୁଁ ବ୍ୟାପକ ବର୍ଷା ହେବାର ସମ୍ଭାବନା ରହିଛି । ସ୍ଥାନୀୟ ଲୋକ ଏବଂ ପର୍ଯ୍ୟଟକ ସମ୍ଭାବ୍ୟ ଭୂ-ସ୍ଖଳନ ଅଂଚଳକୁ ନଯିବା ପାଇଁ ଏବଂ ନଦୀ- ନାଳ କୂଳରୁ ଦୂରରେ ରହିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।