କାଠମାଣ୍ଡୁ– ନେପାଳର ତ୍ରିଶୁଳୀ ନଦୀରେ ୧୦ ଦିନ ତଳେ ଖସିପଡିଥିବା ଦୁଇଟି ଯାତ୍ରୀବାହୀ ବସ୍ ଏବଂ ଏଥିରେ ସବାର ଯାତ୍ରୀଙ୍କୁ ଖୋଜିବା ପାଇଁ ଭାରତର ନେଶନାଲ ଡିଜାଷ୍ଟର ରେସ୍ପୋନ୍ସ ଫୋର୍ସ (ଏନଡିଆରଏଫ) ଟିମ୍ ନେପାଳରେ ପହଂଚିଛି । ଏବଂ ରବିବାର ସକାଳ ଠାରୁ ରେସକ୍ୟୁ ଅପରେସନ ଆରମ୍ଭ କରିଛି । ଏନଡିଆରଏଫ ଟିମ୍ ଚିତବନ ର ସିମଲତାଲରେ ତ୍ରିବେଣୀ ନଦୀର ଦୁର୍ଘଟଣାସ୍ଥଳରୁ ନିଜର ରେସକ୍ୟୁ ଅପରେସନ ଆରମ୍ଭ କରିଛି । ରବିବାର ସକାଳ ସୁଦ୍ଧା ଦୁଇଟି ବସ୍ ରେ ଥିବା ୬୫ ଯାତ୍ରୀଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୨୫ ଜଣ ଯାତ୍ରୀଙ୍କ ଶବ ଉଦ୍ଧାର କରାଯାଇଛି । ତନ୍ମଧ୍ୟରୁ ୧୭ଟି ଶବର ପରିଚୟ ମିଳିଛି ।
ଏନଡିଆରଏଫ ର ଅଧିକାରୀ କୁଣାଲ ତିୱାରୀଙ୍କ ନେତୃତ୍ଵରେ ୧୨ ସଦସ୍ୟ ବିଶିଷ୍ଟ ଟିମ୍ ଶନିବାର ଦୁର୍ଘଟଣାସ୍ଥଳରେ ପହଂଚିଥିଲା । ନେପାଳର ସଶସ୍ତ୍ର ପ୍ରହରୀ ବଳଙ୍କ ସହିତ ମିଶି ଏନଡିଆରଏଫ ଟିମ୍ ଉଦ୍ଧାର କାର୍ଯ୍ୟ ଚଳାଇଛି ।