-
ନିମନ୍ତ୍ରଣ ସତ୍ତ୍ୱେ ଯୋଗଦେଲେନି ନବୀନ, କଂଗ୍ରେସରୁ ମଧ୍ୟ କେହି ଆସିଲେନି
ଭୁବନେଶ୍ୱର, ସୋମବାର ଠାରୁ ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ ଗୃହକୁ ସୁଚାରୂ ରୂପେ ପରିଚାଳନା କରିବାକୁ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅନୁଷ୍ଠିତ ଏହି ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦୁଇ ଉପ-ମୁଖ୍ୟମନ୍ତ୍ରୀଙ୍କ ସମେତ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଉପସ୍ଥିତ ଥିଲେ। ସେହିପରି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସହିତ ଦଳର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଉପସ୍ଥିତ ଥିଲେ।
ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଆଜି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସର୍ବଦଳୀୟ ବୈଠକରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ। ତେବେ ନବୀନ ସର୍ବଦଳୀୟ ବୈଠକରେ ଯୋଗ ଦେଇ ନଥିଲେ। ସେହିଭଳି ଆଜିର ସର୍ବଦଳୀୟ ବୈଠକରେ କଂଗ୍ରେସ ଦଳରୁ କେହି ଯୋଗ ଦେଇ ନଥିଲେ।
ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, କଂଗ୍ରେସ ନେତା ବାଛି ନ ଥିବାରୁ ପିସିସି ସଭାପତିଙ୍କ ସହ କଥା ହୋଇଥିଲି। ସିପିଏମ୍ ସଦସ୍ୟ ଲକ୍ଷ୍ମଣ ମୁଣ୍ଡାଙ୍କ ସହ ଫୋନ୍ରେ କଥା ହୋଇଥିଲି। ଉଭୟ ଦଳର ପ୍ରତିନିଧି ବୈଠକକୁ ଆସିପାରି ନାହାନ୍ତି। ବିରୋଧୀଦଳ ମୁଖ୍ୟ ସଚେତକ ଗଠନମୂଳକ ସହଯୋଗ କରିବେ ବୋଲି କହିଛନ୍ତି।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ. ଆସନ୍ତାକାଲି ବିଧାନସଭାର ବଜେଟ୍ ଅଧିବେଶନ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ। ୨୪ ତାରିଖରେ ଉପବାଚସ୍ପତି ନିର୍ବାଚନ ହେବାକୁ ଥିବା ବେଳେ ଆସନ୍ତା ୨୫ ତାରିଖରେ ରାଜ୍ୟ ବଜେଟ ଉପସ୍ଥାପନ କରାଯିବ। ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ ଉପସ୍ଥାପନ କରିବେ।