ନୂଆଦିଲ୍ଲୀ, କେନ୍ଦ୍ର ଲୋକସେବା ଆୟୋଗ ଅଧ୍ୟକ୍ଷ ମନୋଜ ସୋନି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ କାର୍ଯ୍ୟକାଳ 2029ରେ ଶେଷ ହେବାର ଥିଲା । ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ପ୍ରଦାନ କରିଛନ୍ତି । ସୋନି 2017ରୁ ଆୟୋଗର ସଦସ୍ୟ ଭାବେ କାର୍ଯ୍ୟ କରିବା ପରେ 2023, ମେ 16ରେ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିଲେ । ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ 6ବର୍ଷର ହୋଇଥାଏ । ସେ ତାଙ୍କ ଇସ୍ତଫା ପତ୍ର ରାଷ୍ଟ୍ରପତିଙ୍କୁ ପଠାଇ ଦେଇଛନ୍ତି । ମନୋଜ ସୋନୀ ଆୟୋଗର ଅଂଶ ପାଲଟିବା ପୂର୍ବରୁ ଦୁଇଟି ବିଶ୍ୱବିଦ୍ୟାଳୟର କୂଳପତି ମଧ୍ୟ ଥିଲେ । କେନ୍ଦ୍ର ଲୋକସେବା ଆୟୋଗ କେନ୍ଦ୍ର ସରକାରଙ୍କ ବିଭିନ୍ନ ପରୀକ୍ଷା ସଂଚାଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ । ଏଥିରେ ସିଭିଲ ସେବା ପରୀକ୍ଷା ବି ସାମିଲ ରହିଛି । ଆୟୋଗ ସାଧାରଣ ଭାବେ ଆଇଏଏସ, ଆଇଏଫଏସ, ଆଇପିଏସ ଓ କେନ୍ଦ୍ରୀୟ ସେବାରେ ପ୍ରତିଷ୍ଠିତ ପଦ ପାଇଁ ପ୍ରାର୍ଥୀଙ୍କ ସୁପାରିଶ କରିଥାଏ ।