ଭୁବନେଶ୍ୱର, ମାଲକାନଗିରି ଜିଲ୍ଲା ପ୍ରଶାସନକୁ ଲୋକଙ୍କ ରକ୍ଷା କବଚ ଭଳି ରହିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ଜାଗାରେ ପାଣି ବଢିବାର ସମ୍ଭାବନା ଅଛି, ସେ ସବୁ ଜାଗାରୁ ଲୋକଙ୍କୁ ଆଗୁଆ ଉଚ୍ଚ ଜାଗାକୁ ନେଇ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକଙ୍କ ରହିବା ଏବଂ ଭୋଜନ ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ପରିସ୍ଥିତି ସୁଧୁରିବା ପରେ ଲୋକଙ୍କୁ ସସମ୍ମାନେ ନିଜ ଘରକୁ ପହଞ୍ଚାଇ ଦିଆଯିବ । ।ମାଲକାନଗିରିରେ ବନ୍ୟା ସ୍ଥିତିକୁ ନେଇ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହା କହିଛନ୍ତି ।
ସେ କହିଛନ୍ତି ଯେ ଏ ନେଇ ଏସ ଆର ସି, ରାଜସ୍ୱ ବିଭାଗ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ଘଣ୍ଟାରେ ମନ୍ତ୍ରୀଙ୍କୁ ଅଧିକାରୀ ମାନେ ଅପଡେଟ ଦେଉଛନ୍ତି । ଆଗାମୀ 24 ଘଣ୍ଟା ଭିତରେ ପରିସ୍ଥିତି ସଂପୂର୍ଣ୍ଣ ସୁଧୁରି ଯିବ ବୋଲି ଆଶା । ମାଲକାନଗିରିର ଜିଲ୍ଲା ପ୍ରଶାସନ ଏବଂ ଏସଆରସି ସବିଶେଷ ତଥ୍ୟ ଦେଇଛନ୍ତି । ବର୍ଷା ପାଇଁ ଅନେକ କମ ଉଚ୍ଚତା ଥିବା ପୋଲ ଉପରେ ପାଣି ଚାଲିଛି । ପୋଲ ଉପରେ ପାଣି ଯିବା ଫଳରେ ରାସ୍ତା ବିଚ୍ଛିନ୍ନ ହୋଇଯାଇଛି । ମାଲକାନଗିରି ସହରରେ ମଧ୍ୟ କିଛି ସ୍ଥାନରେ ପାଣି ପଶିବା ଫଳରେ ଲୋକ ମାନଙ୍କୁ ସେଠାରୁ ସ୍ଥାନାନ୍ତରିତ କରାଯାଇଛି । ଉଚ୍ଚ ସ୍ଥାନରେ ଲୋକ ମାନଙ୍କର ରହିବା ଏବଂ ଭୋଜନ ପାଇଁ ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଯେତେବେଳେ ପର୍ଯ୍ୟନ୍ତ ପାଣି ସଂପୂର୍ଣ୍ଣ କମି ନାହିଁ ଏବଂ ଲୋକ ଘରକୁ ଫେରିବା ଭଳି ସ୍ଥିତି ନ ଆସିଛି, ସେ ପର୍ଯ୍ୟନ୍ତ ଲୋକଙ୍କ ରହଣି ପାଇଁ ବ୍ୟବସ୍ଥା ହୋଇଛି । ପାଣି କମିବା ଆରମ୍ଭ ହେଲାଣି । ଯେଉଁଠି ରାସ୍ତା ବିଚ୍ଛିନ୍ନ ହୋଇଛି ଓ ଯେଉଁଠି ଲୋକଙ୍କୁ ସ୍ଥାନାନ୍ତର କରିବା ଆବଶ୍ୟକ ଅଛି, ସେଠାରେ ବିଡିଓ, ତହସିଲଦାର ଏବଂ ଥାନା ଆଇଆଇସି ମାନେ ଉପସ୍ଥିତ ରହି ଅପରେଟ କରୁଛନ୍ତି ।