ନୂଆଦିଲ୍ଲୀ, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ୪ଟି ପୁସ୍ତକ- ୱିଙ୍ଗସ୍ ଟୁ ଆୱାର ହୋପ୍ସ – ଭାଗ ୧ (ଇଂରାଜୀ ଏବଂ ହିନ୍ଦୀ), ରାଷ୍ଟ୍ରପତି ଭବନ: ହେରିଟେଜ୍ ମିଟ୍ସ ଦି ପ୍ରେଜେଣ୍ଟ ଏବଂ କହାନୀ ରାଷ୍ଟ୍ରପତି ଭବନ କୀ ଉନ୍ମୋଚନ କରିଛନ୍ତି । ଏହି ଅବସରରେ କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଡ. ଏଲ୍ ମୁରୁଗାନ୍ ଏବଂ ସୂଚନା ଓ ପ୍ରସାରଣ ସଚିବ ଶ୍ରୀ ସଞ୍ଜୟ ଜାଜୁ ଉପସ୍ଥିତ ଥିଲେ ।
ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ କହିଥିଲେ ଯେ ଆଜି ଉନ୍ମୋଚିତ ହୋଇଥିବା ପୁସ୍ତକଗୁଡ଼ିକ ଭାରତୀୟ ଗଣତନ୍ତ୍ରର ପ୍ରତୀକ ରାଷ୍ଟ୍ରପତି ଭବନର ଐତିହ୍ୟରେ ସମୃଦ୍ଧ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୂର୍ବ ଭାଷଣ ଗୁଡ଼ିକର ସଂକଳନ ଆମ ଗଣତନ୍ତ୍ର ଓ ସମଗ୍ର ସମାଜ ପାଇଁ ଏକ ଅମୂଲ୍ୟ ସମ୍ପଦ । ମହିଳା, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟାନ୍ୟ ବଞ୍ଚିତ ବର୍ଗ ସମୂହ, କୃଷକ, ସଶସ୍ତ୍ର ବାହିନୀ ଓ ଯୁବକଙ୍କ ସମେତ ସମଗ୍ର ଦେଶବାସୀଙ୍କ ପ୍ରତି ରାଷ୍ଟ୍ରପତି ମୁର୍ମୁଙ୍କ ସହାନୁଭୂତିର ଏକ ପ୍ରଭାବଶାଳୀ ପ୍ରତିଫଳନ ହେଉଛି ଏହି ସଂକଳନ । ଏହି ପୁସ୍ତକର ପ୍ରଚ୍ଛଦରେ ଥିବା ଚିତ୍ର ଏବଂ ଶୀର୍ଷକ ଆମ ଗଣତନ୍ତ୍ରର କାହାଣୀକୁ ପ୍ରତିଫଳିତ କରୁଛି ।
ପୁସ୍ତକଗୁଡ଼ିକରେ ଥିବା ବାର୍ତ୍ତା ପ୍ରତ୍ୟେକ ଭାରତୀୟଙ୍କୁ ଆଶା ଓ ଅଧିକ ଶୀର୍ଷ ସଫଳତା ପାଇଁ ଲକ୍ଷ୍ୟ ନେଇ ଯାତ୍ରା କରିବାକୁ ପ୍ରେରଣା ଦେବ । ଏହି ପୁସ୍ତକ ଗୁଡ଼ିକରେ ସେ କୃଷି ଓ ଗ୍ରାମ୍ୟ ଉନ୍ନୟନ ସମ୍ବନ୍ଧୀୟ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟିକୋଣମାନ ପାଇଛନ୍ତି ବୋଲି ମନ୍ତ୍ରୀ କହିଥିଲେ । ଶ୍ରୀ ଚୌହାନ କହିଛନ୍ତି ଯେ ରାଷ୍ଟ୍ରପତିଙ୍କ ଭାଷଣର ଏହି ସଂକଳନକୁ ପାଠ କରିବା ଦ୍ୱାରା ଦେଶର ସାମାଜିକ – ଆର୍ଥିକ ଆହ୍ୱାନ ସମୂହ, ସଫଳତାର ଦିଗଗୁଡ଼ିକ ଏବଂ ଆତ୍ମନିର୍ଭରଶୀଳତା ଦେଖାଉ ଥିବା ପଦକ୍ଷେପଗୁଡ଼ିକ ଉପରେ ଆମର ଦୃଷ୍ଟିକୋଣ ବ୍ୟାପକ ହେବ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ରହିଛି ।
କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଡ. ଏଲ୍ ମୁରୁଗାନ୍ ଏହି ପୁସ୍ତକଗୁଡ଼ିକ ପ୍ରକାଶ କରିଥିବାରୁ ପ୍ରକାଶନ ବିଭାଗକୁ ଅଭିନନ୍ଦନ ଜଣାଇବା ସହ ଜନହିତକାରୀ ବିଭିନ୍ନ ବିଷୟଗୁଡ଼ିକ ଉପରେ ନିୟମିତ ଭାବେ ପୁସ୍ତକ ପ୍ରକାଶ କରୁଥିବାରୁ ଏହାକୁ ଶ୍ରେୟ ଦେଇଛନ୍ତି । ଉନ୍ମୋଚିତ ହେଉଥିବା ପୁସ୍ତକଗୁଡ଼ିକ ସମ୍ପର୍କରେ ସେ କହିଛନ୍ତି ଯେ ଏହି ପୁସ୍ତକଗୁଡ଼ିକ ବିଭିନ୍ନ ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ଚିନ୍ତାଧାରାର ସବୁଠାରୁ ପ୍ରାମାଣିକ ସଂକଳନ ଏବଂ ଆଗାମୀ ପିଢ଼ିମାନଙ୍କ ପାଇଁ ଏହା ଏକ ସାରତତ୍ତ୍ୱ ସଂକଳନ ଭାବେ କାର୍ଯ୍ୟ କରିବ ।
କାର୍ଯ୍ୟକ୍ରମ ପରେ ବିଶିଷ୍ଟ ବ୍ୟକ୍ତିମାନେ ପୁସ୍ତକର ଏକ କପି ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଥିଲେ ।