କନ୍ଧମାଳ– ଫୁଲବାଣୀ ଫାଷ୍ଟଟ୍ରାକ କୋର୍ଟର ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଆଜି ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର ୧୬ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ୍ ଆଧାରରେ ବିଚାର କରି ତାଲେଶ୍ଵର ମଲିକ ପିତା ଦଶରଥ ମଲିକ ବାଲିକିଆ (ବାଲିଗୁଡା) କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୬୦ ହଜାର ଟଙ୍କା ଜୋରିମାନା ଆଦେଶ ଶୁଣାଇଛନ୍ତି । ଜୋରିମାନା ଅନାଦେୟ ଆଉ ଅଧିକ ୩ ଵର୍ଷ ୬ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ତରଫରୁ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ର ସ୍ଵତନ୍ତ୍ର ପି.ପି. ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ।
ସୂଚନା ଅନୁସାରେ, ୧୩ ବର୍ଷ ର ନାବାଳିକା ପୀଡ଼ିତା ଗତ ୦୬.୦୩.୨୦୨୨ରିଖ ସନ୍ଧ୍ୟା ୭ଟା ବେଳେ ଟିଭି ଦେଖିବାକୁ ଅଭିଯୁକ୍ତ ଘରକୁ ଯାଇଥିଲା। ଅଭିଯୁକ୍ତ ପୀଡ଼ିତାକୁ ଏକୁଟିଆ ଦେଖି ତାକୁ ଚକୋଲେଟ୍ ଦେବା ବାହାନାରେ, ପୀଡ଼ିତାର ପାଟି ବନ୍ଦ କରି ଟେକିନେଇ ଏକ ବିଲ ରେ ଜୋର ଜବରଦସ୍ତି ଦୁଷ୍କର୍ମ କରିଥିଲା। ଫଳରେ ପୀଡ଼ିତା ବେହୋସ୍ ହୋଇ ବିଲମାଳ ରେ ପଡ଼ିଥିଲା। ଏହି ସମୟରେ ସୁନିଲ୍ ମଲିକ ନାମକ ଜଣେ ବ୍ୟକ୍ତି ବିଲକୁ ଯାଇଥିବା ବେଳେ ପୀଡ଼ିତାକୁ ଦେଖି ଖବର ଦେବାରୁ ପୀଡ଼ିତାର ମାଆ ଏବଂ ବଡ଼ ମାଆ ଯାଇ ବେହୋସ୍ ଅବସ୍ଥାରେ ପୀଡ଼ିତାକୁ ଘରକୁ ଆଣିଥିଲେ। ଏ ସଂକ୍ରାନ୍ତରେ ଗତ ୦୭.୦୩.୨୦୨୨ରିଖ ରେ ବାଲିଗୁଡା ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ଥାନାଧିକାରୀ ମାମଲାକୁ ଥାନା ପୋଲିସ ଗତ ୨୦୨୨ ମସିହା ମାର୍ଚ୍ଚ ମାସ ୭ ତାରିଖରେ ଏକ ମାମଲା ୫୫/୨୨ ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ରେ ହାଜର କରାଇଥିଲା । ଅଜି ସେହି ମାମଲାର ବିଚାରଣା କରି ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତି । ଏଥି ସହିତ ପୀଡ଼ିତାକୁ କ୍ଷତିପୂରଣ ଅର୍ଥ ୫ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି।