ଭୁବନେଶ୍ଵର– ବଙ୍ଗୋପ ସାଗରରେ ସୁଦୃଶ ଲଘୁଚାପ କ୍ଷେତ୍ର ଅବପାତରେ ପରିଣତ ହୋଇଛି । ଏବେ ଏହା ପୁରୀ ଠାରୁ ଦକ୍ଷିଣ ପୂର୍ବ ଦିଗରେ ୭୦ କି.ମି. ଦୂରରେ ରହିଛି । ସେହିପରି ଗୋପାଳପୁରରୁ ପୂର୍ବ ଦିଗରେ ୧୩୦ କି.ମି. ଦୂରରେ, ପାରାଦୀପରୁ ୧୩୦ କି.ମି. ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ଏବଂ ଆନ୍ଧ୍ରପ୍ରଦେଶରୁ କଳିଙ୍ଗପଟନମ୍ ରୁ ୨୪୦ କି.ମି. ପୂର୍ବ- ଉତରପୂର୍ବ ଦିଗରେ ରହିଛି । ଏହା ଉତରପଶ୍ଚିମ ଦିଗରେ ଗତିକରି ଆସନ୍ତାକାଲି ସକାଳ ସୁଦ୍ଧା ଓଡ଼ିଶା ଉପକୂଳର ପୁରୀ ନିକଟରେ ଉପକୂଳ ଅତିକ୍ରମ କରିବ । ଏହାପରେ ପଶ୍ଚିମ-ଉତରପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଛତିଶଗଡ଼ ଅତିକ୍ରମ କରିବା ସହ ୨୪ ଘଂଟା ମଧ୍ୟରେ ଧିରେ ଧିରେ ଦୁର୍ବଳ ହେବ ।
ତେବେ ଆଗାମୀ ୪୮ ଘଂଟା ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ ଉପରେ ଏହାର ପ୍ରଭାବ ରହିବ । ଏହା ଉପକୂଳ ଅତିକ୍ରମ କରିବା ବେଳେ ସର୍ବାଧିକ ୬୦ କି.ମି. ବେଗରେ ପବନ ବହିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହି ସମୟରେ ସମୁଦ୍ର ଅଶାନ୍ତ ଥିବାରୁ ଆଗାମୀ ୨ ଦିନ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।