ବ୍ରାହ୍ମପର :ବ୍ରହ୍ମପୁର ସହରର ପରିମଳ ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ଅନେକ ସମୟରେ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ଘରୋଇ ସଂସ୍ଥାକୁ ପରିମଳ ଦାୟିତ୍ବ ପ୍ରଦାନ କରାଯାଉଛି। ହେଲେ ତଥାପି ପରିମଳ ବ୍ୟବସ୍ଥା ସୁଧୁରୁନାହିଁ। ବ୍ରହ୍ମପୁର ମହାନଗର ନିଗମ ତରଫରୁ ଘରୋଇ ସଂସ୍ଥାକୁ ଦାୟିତ୍ବ ଦେଇ ଚୁପ୍ ରହୁଛନ୍ତି। ଅପରପକ୍ଷେ ଏଭଳି ଅଚଳାବସ୍ଥା ଫଳରେ ସହରର ପରିମଳ ବିଗିଡ଼ିବାରେ ଲାଗିଛି। ସହରବାସୀ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି।
ମହାନଗର ନିଗମ ତରଫରୁ ତିନୋଟି ଘରୋଇ ସଂସ୍ଥାକୁ ପରିମଳ ଦାୟିତ୍ବ ପ୍ରଦାନ କରାଯାଇଛି। ଗତ ଜାନୁୟାରୀ ୨୬ ତାରିଖରେ ଏହାର ଶୁଭାରମ୍ଭ କରାଯାଇଥିଲା। ବାର୍ଷିକ ୨୯ କୋଟି ୪୨ ଲକ୍ଷ ଟଙ୍କା ଖର୍ଚ୍ଚ ଅଟ୍ଟକଳ ରହିଛି। ଏଜେନ୍ସିଗୁଡିକ ହେଲା ପ୍ରତ୍ୟୁଷ, ସଫେଇ ଅଭିଯାନ ଏବଂ ପିଏମଆର। ସହରର ୪୨ଟି ୱାର୍ଡକୁ ୫ଟି ଜୋନରେ ବିଭକ୍ତ କରାଯାଇ ଏଜେନ୍ସିକୁ ପରିମଳ ଦାୟିତ୍ୱ ଦିଆଯାଇଛି। ଏଥିସହ ବର୍ତ୍ତମାନ ୧୩୨ଟି ଅଳିଆ ବୁହା ଗାଡି ମଧ୍ୟ ରହିଥିବା ବେଳେ ୧୩୩୬ ଜଣ ସଫେଇ କର୍ମଚାରୀ ରହିଛନ୍ତି। ପୂର୍ବରୁ ସହରରେ ରହିଥିବା ଭୂତଳ ଡଷ୍ଟବିନ ଉଠିଯିବା ପରେ ବର୍ତ୍ତମାନ ଗୋଟିଏ ସ୍ଥାନରେ ଆବର୍ଜନା ଗୁଡିକୁ ଗଚ୍ଛିତ ରଖାଯାଉଛି। ଏହାପରେ ଗାଡି ମାଧ୍ୟମରେ ସିଧାସଳଖ ସହରରେ ରହିଥିବା ୫ଟି ଆବର୍ଜନା ସଂଗ୍ରହ ପଏଣ୍ଟରେ ପକାଯାଉଛି। ପରେ ସେଠାରୁ ଶୁଖିଲା ଓ ଓଦା ବର୍ଜ୍ୟବସ୍ତୁକୁ ପୃଥକ କରାଯାଇ ମହୁଡାକୁ ପଠାଯାଉଛି। ଅନ୍ୟପଟେ ବର୍ତ୍ତମାନ ଆବର୍ଜନା ବୁହା ଗାଡି ଗୁଡିକରେ ଜିପିଏସ ଲାଗିଛି। ଯାହାଦ୍ୱାରା ୱାର୍ଡ ଗୁଡିକୁ ଆବର୍ଜନା ସଂଗ୍ରହ ଗାଡି ଗୁଡିକ ସଂପର୍କରେ ସାନିଟେସନ ବିଭାଗ ନିକଟରେ ତଥ୍ୟ ଉପଲବ୍ଧ ରହୁଛି। ଗାଡି ବୁଲିବା ସମୟରେ ସ୍ୱଚ୍ଛ ସାଥୀମାନେ ରହିବା ନେଇ ବିଭାଗ ପକ୍ଷରୁ ବାଧ୍ୟତାମୂଳକ କରାଯାଇଛି। ତେବେ ମହାନଗର ନିଗମ ପକ୍ଷରୁ ଉନ୍ନତ ମାନର ପଦକ୍ଷେପ ସତ୍ତ୍ୱେ ସହରରେ ପରିମଳ ବ୍ୟବସ୍ଥାରେ ସୁଧାର ଆସିପାରି ନାହିଁ। ଅନେକ ୱାର୍ଡରେ ବର୍ତ୍ତମାନ କୁଢ କୁଢ ଆବର୍ଜନା ପଡି ରହୁଛି । ଏଜେନ୍ସି ପକ୍ଷରୁ ଆବର୍ଜନା ସଫେଇ କରାଯାଉ ନ ଥିବା ଅଭିଯୋଗ ହୋଇଛି। ମହାନଗର ନିଗମର ୨୮ ନଂ ୱାର୍ଡ ଅନ୍ତର୍ଗତ ଗୋସାଇଁ ନୂଆ ଗାଁ ଓଭରବ୍ରିଜ ପାଶ୍ୱର୍ରେ ଆବର୍ଜନା ଜମି ରହି ଡମ୍ପିଂ ୟାର୍ଡ ପାଲଟିଛି। ଏଠାରେ ସଫେଇ କର୍ମଚାରୀମାନେ ୱାର୍ଡର ସମସ୍ତ ଆବର୍ଜନା ଆଣି ଗଦା କରୁଥିବା ଅଭିଯୋଗ ହୋଇଛି। ମହାନଗର ନିଗମ ପକ୍ଷରୁ କୌଣସି ସଫେଇ କରାଯାଉ ନ ଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଆବର୍ଜନା ଗଚ୍ଛିତ ରହୁଥିବା ସ୍ଥାନରୁ ଗାଡି ମାଧ୍ୟମରେ ଆବର୍ଜନା ଉଠାଇ ନେବା ପାଇଁ ନିୟମ ରହିଥିବା ବେଳେ ସଂପୃକ୍ତ ଏଜେନ୍ସି ଏହି ନିୟମକୁ ଖିଲାପ କରୁଛି। ଏପରିକି ଅଳିଆ ଗଦାରେ ନିଆଁ ଲଗାଇ ପୋଡା ଯାଉଥିବା ଦେଖିବାକୁ ମିଳିଛି। ଅଳିଆ ପୋଡା ଦୁର୍ଗନ୍ଧରେ ଅଂଚଳବାସୀ ଅତିଷ୍ଠ ହୋଇ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ସେହିପରି ଧାନମେରା ସାହି ନିକଟରେ ମଧ୍ୟ ସମ ଅବସ୍ଥା ଦେଖିବାକୁ ମିଳିଛି। ଏଠାରେ ମଧ୍ୟ ସନ୍ଧ୍ୟା ହେବା ମାତ୍ରକେ କୁଢ କୁଢ ଆବର୍ଜନା ଜମି ରହୁଛି। ଫଳରେ ଉକ୍ତ ରାସ୍ତା ଦେଇ ଯାତାୟତ ସମୟରେ ଦୁର୍ଗନ୍ଧରେ ନାକ ଫାଟି ପଡୁଛି। ପଡି ରହୁଥିବା ଆବର୍ଜନାକୁ ସଫେଇ କରାଯାଉ ନାହିଁ। ଅନ୍ୟପଟେ ପ୍ରତି ୱାର୍ଡରେ ଟ୍ରାନ୍ସପରେନ୍ସି ବୋର୍ଡରେ ୱାର୍ଡର ସଫେଇ କର୍ମଚାରୀ ସଂଖ୍ୟା, ଗାଡି ସଂଖ୍ୟା ଉଲେଖ ରହିବା ନେଇ ନିଗମ ପକ୍ଷରୁ ଘୋଷଣା କରାଯାଇଥିଲା। କିନ୍ତୁ ତାହା କାର୍ଯ୍ୟକାରୀ ହୋଇପାରୁ ନାହିଁ। ସେହିଭଳି ୨୪ ଘଣ୍ଟା ମଧ୍ୟରେ ସଫେଇ ଜନିତ ଅଭିଯୋଗର ସମାଧାନ ନେଇ ପ୍ରତିଶ୍ରୁତି ପାଣିର ଗାର ସଦୃଶ୍ୟ ପାଲଟିଛି। ୱାର୍ଡ ବାସିନ୍ଦା ସଫେଇକୁ ନେଇ ନିଗମ ନିକଟରେ ଅଭିଯୋଗ କରିଲେ ମଧ୍ୟ କୌଣସି ସମାଧାନ ହୋଇପାରୁ ନାହିଁ। ସେହିଭଳି ଡ୍ରେନ୍ଗୁଡ଼ିକର ମଧ୍ୟ ସଫେଇ ହୋଇନାହିଁ। ଯାହା ଫଳରେ ସାମାନ୍ୟ ବର୍ଷା ହେଲେ ମଧ୍ୟ ରାସ୍ତାରେ ପାଣି ଚାଲୁଛି। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ରହିଛି।