
ମାଲକାନଗିରି– ବାରମ୍ବାର କହିବା ସତ୍ବେ ଗୁରୁତ୍ଵପୂର୍ଣ୍ଣ ରେକର୍ଡ଼ ପତ୍ର ଫେରାଇଲେନି କନିଷ୍ଠ ଯନ୍ତ୍ରୀ। ଫଳରେ ସମ୍ପୃକ୍ତ ଯନ୍ତ୍ରୀଙ୍କ ନାଁରେ ମାଲକାନଗିରି ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମାଲକାନଗିରି ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା(ଆଇଟିଡ଼ିଏ)ପ୍ରକଳ୍ପ ପ୍ରଶାସିକା ଜୟଶ୍ରୀ।
ମିଳିଥିବା ସୂଚନା ଅନୁଯାୟୀ, କନିଷ୍ଠ ଯନ୍ତ୍ରୀ ଲକ୍ଷ୍ମୀଧର ବିହାରୀ ୨୦୧୮ ମସିହା ଡ଼ିସେମ୍ବର ମାସରେ ମାଲକାନଗିରିରେ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ଚଳିତ ବର୍ଷ ମାର୍ଚ୍ଚ ମାସରେ ତାଙ୍କର ବଦଳି ହୋଇଥିଲା। ବଦଳି ପରେ ନିୟମ ମୁତାବକ ସବୁ ରେକର୍ଡ଼ ପତ୍ର କାର୍ଯ୍ୟାଳୟରେ ଦାଖଲ କରିବା କଥା। କିନ୍ତୁ ଶ୍ରୀ ବିହାରୀ କ୍ୟାଶ ରେକର୍ଡ଼, ମେଜରମେଣ୍ଟ ରେକର୍ଡ଼ ଏବଂ ଅନ୍ୟାନ୍ୟ ଗୁରୁତ୍ଵପୂର୍ଣ୍ଣ କାଗଜ ପତ୍ର ଫେରାଇ ନଥିଲେ। ୧୩୬ଟି କ୍ୟାଶ ରେକର୍ଡ଼ ମଧ୍ୟରୁ କନିଷ୍ଠ ଯନ୍ତ୍ରୀ ୮୮ଟି ଫେରାଇଥିଲେ। ଯାହାଦ୍ଵାରା ସମ୍ପୂର୍ଣ୍ଣ କାର୍ଯ୍ୟ ପରିଚାଳନାରେ ସମସ୍ୟା ସୃଷ୍ଟି ହୋଇଥିଲା। ଏନେଇ ପ୍ରକଳ୍ପ ପ୍ରଶାସିକା ଜୟଶ୍ରୀ ବାରମ୍ବାର ନୋଟିସ କରିଥିଲେ ମଧ୍ୟ କନିଷ୍ଠ ଯନ୍ତ୍ରୀ ଆନୁଷଙ୍ଗିକ ରେକର୍ଡ଼ ଫେରାଇ ନଥିଲେ। ଫଳରେ ଜୟଶ୍ରୀ ମାଲକାନଗିରି ଥାନାରେ କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି।
ଅନ୍ୟ ପକ୍ଷରେ କନିଷ୍ଠ ଯନ୍ତ୍ରୀ ଶ୍ରୀ ବିହାରୀ ମିଥ୍ୟା ବିଲ କରିବାକୁ ଚାପ ପକାଇବା, କାର୍ଯ୍ୟାଳୟର କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ସହ ବିନା ଅନୁମତିରେ ମାସ ମାସ ଧରି କାର୍ଯ୍ୟାଳୟକୁ ନଆସିବା ନେଇ ମଧ୍ୟ ଅଭିଯୋଗ ଆଣିଛନ୍ତି ପ୍ରକଳ୍ପ ପ୍ରଶାସିକା। ଏନେଇ ସମ୍ପୃକ୍ତ ଯନ୍ତ୍ରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବପର ହୋଇ ପାରିନାହିଁ।