
କନ୍ଧମାଳ– ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ହେଲେ ଟଙ୍କା ସବୁର ସତ ରେ ବିନିଯୋଗ ହୋଇପାରୁନି । ଫଳରେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣ ନାହିଁ ନଥିବା ଦୁର୍ଦଶା ଭୋଗୁଥିବା ଦେଖିବାକୁ ମିଲୁଛି । କିଛି ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣ ପ୍ରଶାସନ ଉପରେ ଭରଷା ନକରି ନିଜ ଅଞ୍ଚଳର ସମସ୍ୟା ସୁଧାରିବାକୁ ଚେଷ୍ଟା ପଦକ୍ଷେପ ଗ୍ରହଣ କରିଛନ୍ତି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଲୁଇସିଂ ପଂଚାୟତର ଡ଼ାଙ୍ଗଣାମୁ ଗ୍ରାମର କୁଜେଣ୍ଡି ନଦୀରେ । ଉପର ଡାଙ୍ଗଣାମୁ ଏବଂ ତଳ ଡାଙ୍ଗଣାମୁ ଗ୍ରାମର ଜନସାଧାରଣ ମିଶି ଏହି ନଦୀ ଉପରେ ପ୍ରତିବର୍ଷ ପୋଲ ନିର୍ମାଣ କରି ଆସୁଛନ୍ତି ।
ଗ୍ରାମବାସୀଙ୍କ ଅଭିଯୋଗ ପ୍ରକାରେ, କୁଜେଣ୍ଡି ନଦୀର ଏପାରିରେ ପଂଚାୟତ କାର୍ଯ୍ୟାଳୟ ରହିଥିବା ବେଳେ ଆର ପାରିରେ ବୁରେଗିମାସ୍କା, ଲାକାସିର୍ପି, ପିଲିପଦର, ଭାତକୁର ଓ ମାନପଦର ଗ୍ରାମ ରହିଛି । ସବୁ ଗ୍ରାମର ଘର ସଂଖ୍ୟା ମିଶି ପାଖାପାଖି ୯୦ଘର ହେବ । ହେଲେ ଅନେକ ସମୟରେ ଏହିସବୁ ଗ୍ରାମରେ ବସବାସ କରୁଥିବା ଲୋକେ ପଂଚାୟତ କାର୍ଯ୍ୟପାଇଁ ନଦୀ ପାର ହୋଇ କି ଲୁଇସିଂ କୁ ଆସୁଥିବା ବେଳେ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ମଧ୍ୟ ଏପାରିରେ ରହିଛି । ତେଣୁ ପ୍ରତିଦିନ ସେପାରିରେ ରହୁଥିବା ଜନସାଧାରଣ ଏପାରିକୁ ଯିବାଆସିବା କରିଥାନ୍ତି। ନଦୀରେ ପୋଲ ନଥିବା ଯୋଗୁଁ ବର୍ଷା ଦିନ ଆସିଲେ ସେପାରିରେ ରହୁଥିବା ଜନସାଧାରଣ ତଥା ଲୁଇସିଂ ଗ୍ରାମର ଜନସାଧାରଣ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ପ୍ରତିବର୍ଷ ନଦୀ ଉପରେ ବାଉଁଶ ପୋଲ ତିଆରିକରି ଜନସାଧାରଣଙ୍କ ପାଇଁ ଯାତାୟାତର ବ୍ୟବସ୍ଥା କରୁଛନ୍ତି। ହେଲେ ଏକ ବର୍ଷ ମଧ୍ୟରେ ଖରାବର୍ଷା ଯୋଗୁଁ ପୋଲଟି ନଷ୍ଟ ହୋଇଯାଉଛି । ତେଣୁ ଅଂଚଳବାସୀ ନଦୀରେ ସ୍ଥାୟୀପୋଲ ଟିଏ ନିର୍ମାଣ ପାଇଁ ବାରମ୍ବାର ଦାବୀ କରୁଥିବା ସତ୍ବେ ଏଯାଏଁ ଏହି ନଦୀରେ ସ୍ଥାୟୀ ପୋଲଟିଏ ନିର୍ମାଣ ହୋଇ ନଥିବାରୁ ସ୍ଥାନୀୟଲୋକେ କ୍ଷୋଭ ପ୍ରକାଶ କରିଛନ୍ତି।
ଏ ନେଇ ବିଡ଼ିଓଙ୍କୁ ଯୋଗାଯୋଗ କରି ପଚାରିବାରୁ ସେ ତଦନ୍ତ କଲାପରେ ହିଁ ପଦକ୍ଷେପ ନିଆଯିବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏହି ଅଞ୍ଚଳ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଏଯାଏଁ ପ୍ରଶାସନର ନଜରକୁ ଆସିପାରିନି ଓ ନଦୀରେ ପୋଲ ନଥିବା ଯୋଗୁଁ ଅଞ୍ଚଳବାସୀ ବିଶେଷ କରି ବର୍ଷାଦିନ ମାନଙ୍କରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ଯଥାଶୀଘ୍ର ଉକ୍ତ ନଦୀ ଉପରେ ପୋଲଟିଏ ନିର୍ମାଣ କରିବାକୁ ସାଧାରଣରେ ଦାବୀ ହେଉଛି ।