ପୁରୀ– ଆଜି ପୁଣି ଖୋଲାଯାଇଛି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର । ଶୁଭ ବେଳା ସକାଳ ୯ଟା ୫୧ ରେ ଏସଓପି ମୁତାବକ ୧୧ ଜଣିଆ ଅଧିକୃତ ଟିମ୍ ରତ୍ନଭଣ୍ଡାର ଖୋଲି ଭିତରକୁ ଯାଇଛନ୍ତି । ଏହା ପୂର୍ବରୁ ରଥାରୁଢ଼ ଶ୍ରୀଜଗନ୍ନାଥଙ୍କ ଠାରୁ ନେଇଛନ୍ତି ଅନୁମତି । ଭିତର ରତ୍ନଭଣ୍ଡାର ଖୋଲାଯିବା ପରେ ଏହା ମଧ୍ୟରେ ଥିବା ସିନ୍ଧୁକ, ଆଲମିରାକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍ କୁ ସ୍ଥାନାନ୍ତର କରାଯାଉଛି । ତେବେ ଭିତର ରତ୍ନଭଣ୍ଡାରରେ ସୁଡ଼ଙ୍ଗ ଅଛି କି ନାହିଁ, ଭଣ୍ଡାର ଖାଲି କରାଯିବା ପରେ ସୁଡ଼ଙ୍ଗ ରହିଛି କି ନାହିଁ ସେନେଇ ଯାଂଚ୍ କରିବ ଭାରତୀୟ ପ୍ରତ୍ନତତ୍ଵ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ବୋଲି ସୂଚନା ଦେଇଛନ୍ତି ଗଜପତି ମହାରାଜା । ତେବେ ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି, ଆଜି ସଂନ୍ଧ୍ୟା ସୁଦ୍ଧା ଏହି ପ୍ରକ୍ରିୟା ସାରିବାକୁ ଉଦ୍ୟମ ଚାଲିଛି । ଶ୍ରୀମନ୍ଦିର ରତ୍ନଭଣ୍ଡାର ପରିଦର୍ଶନ ସାରି ଫେରିବା ପରେ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଗଜପତି ମହାରାଜା ଦିବ୍ୟସିଂହଦେବ ।
ଶ୍ରୀମନ୍ଦିର ଭିତରେ ଉପସ୍ଥିତ ଅଛନ୍ତି ଓଡ଼୍ରାଫ, ଅଗ୍ନିଶମ ବାହିନୀ । ରତ୍ନଭଣ୍ଡାରରେ କୌଣସି ଜରୁରୀ ପରିସ୍ଥିତି ହେଲେ ଏମାନେ ସହାୟତା କରିବେ । ଏମାନେ ସାଙ୍ଗରେ ନେଇଛନ୍ତି ଜେନେରେଟର, ହାଇମାକ୍ସ ଲାଇଟ, ଅକ୍ସିଜେନ ସିଲିଣ୍ଡର, ଅଗ୍ନିନିର୍ବାପକ ଯନ୍ତ୍ର, ଷ୍ଟ୍ରେଚର ଏବଂ କଟର ।