
ବଲାଙ୍ଗିର, ବଲାଙ୍ଗୀର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥରେ ଚାଉଳ ନେବା ପାଇଁ ଆସିଥିବା ବୃଦ୍ଧା ଅର୍ଜୁଣ୍ଡା ଛକ ଠାରେ ମଙ୍ଗଳବାର ଅପରାହ୍ନରେ ଗାଡି ଧକ୍କାରେ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା I କ୍ଷତିପୂରଣ ଦାବୀ ନେଇ କିଛି ସମୟ ପର୍ଯ୍ୟନ୍ତ ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ କ୍ଷତିପୂରଣ ଦାବିରେ ଉତେଜନା ଦେଖା ଯାଇଥିଲା I
ମିଳିଥିବା ସୂଚନା ଅନୁଯାଇ, ତରଭା ନିକଟସ୍ଥ ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ବଇରାସର ଗ୍ରାମପଞ୍ଚାୟତର ଭଦ୍ରାପାଲି ଗ୍ରାମର ସ୍ବର୍ଗତ ବାହାବଲ ହାତୀଙ୍କ ଧର୍ମପତ୍ନୀ କର୍ଣ୍ଣଫୁଲ ହାତୀ ବଇରାସର ପଞ୍ଚାୟତକୁ ସରକାରଙ୍କ ମାଗଣା ଚାଉଳ ନେବା ପାଇଁ ଭଦ୍ରା ପାଲି ଗ୍ରାମରୁ ଆସିଥିଲେ I ତାଙ୍କ ସାଙ୍ଗରେ ତାଙ୍କ ପୁଅ ରମେଶ ହାତୀ ମଧ୍ୟ ଆସିଥିଲେ। ଚାଉଳ ଆଣିବା ପରେ ରମେଶ ତାଙ୍କର ମାଆଙ୍କୁ ତମେ ଚାଲୁଥାଅ ମୁଁ କିଛି ଜିନିଷ କିଣି ଆଣି ଚାଉଳ ଧରି ଯାଉଛି କହି ଚାଲିଯାଇଥିଲେ। କର୍ଣ୍ଣଫୁଲ ଅର୍ଜୁଣ୍ଡା ଛକ ପାଖଥିବା ପତର ଫେଡିରେ ପହଞ୍ଚିବା କିଛି ସମୟପରେ ସୋନପୁର ପଟରୁ ବଲାଙ୍ଗିର ଯାଉଥିବା ଏକ ଟାଟାଏସି ଗାଡ଼ି ଦୃତଗତିରେ ଆସି କର୍ଣ୍ଣଫୁଲଙ୍କୁ ଧକ୍କା ଦେଇଥିଲା। ଫଳରେ କର୍ଣ୍ଣଫୁଲଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହା ଦେଖି ଗାଡ଼ିର ଡ୍ରାଇଭର ଗାଡି ଛାଡି ଫେରାର ହୋଇଯାଇଥିଲା । ଖବରପାଇ ଲୋକମାନେ ଆସି ୫୭ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଖବର ପାଇ ବଇରାସର ବିଟ କନେଷ୍ଟବଳ, ଅଫିସର ଏଏସ ଆଇ ଅଜିତ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରି ପୁଇଁନ୍ତଲା ଥାନାକୁ ଖବର ଦେଇଥିଲେ। ଖବର ପାଇ ପୁଇଁନ୍ତଲା ଆଇଆଇସି ସୁଭରାଜ ଧରୁଆ ଓ ଏସଡିପିଓ ପ୍ରଦୀପ କୁମାର ସାହୁଙ୍କ ସହିତ ପୁଇଁତଲା ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଲୋକ ମାନଙ୍କୁ ବୁଝାସୁଝା କରିବା ସହିତ ୨୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବାରୁ ରାସ୍ତା ଅବରୋଧ ହଟିଥିଲା। ପୁଲିସ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ଗାଡ଼ି ମାଲିକଙ୍କୁ ଡାକି ଉକ୍ତ ପରିବାରକୁ ସହାୟତା ବିଷୟ ଉପରେ କଥାହେବୁ ବୋଲି ପୁଲିସ ପ୍ରକାଶ କରିଛି।