
ପୁରୀ– ଆଜି ଆଷାଢ଼ ମାସ ଶୁକ୍ଳ ପକ୍ଷ ହରିଶୟନ ଏକାଦଶୀ ତିଥିରେ ରଥ ଉପରେ ଶ୍ରୀଜୀଉମାନଙ୍କ ସୁନା ବେଶ ଅନୁଷ୍ଠିତ ହେବ । ମହଣ ମହଣ ସୁନାରେ ଝଲସିବେ ଚତୁର୍ଦ୍ଧାମୂର୍ତି । ଶ୍ରୀବିଗ୍ରହ ମାନଙ୍କୁ ବିଭିନ୍ନ ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାରରେ ସଜ୍ଜିତ କରାଯିବ । ସିଂହଦ୍ୱାର ସମ୍ମୁଖରେ ରଥ ଉପରେ ଏହି ବେଶ ଅନୁଷ୍ଠିତ ହେବ । ଏହି ଦୁର୍ଲ୍ଲଭ ବେଶକୁ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରରେ ପ୍ରାୟ ୨୦ ଲକ୍ଷ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି । ତାକୁ ଦୃଷ୍ଟିରେ ରଖି ୧୯୦ ପ୍ଲାଟୁନ୍ ପୋଲିସ ଫୋର୍ସଙ୍କ ସମେତ ପ୍ରାୟ ୨ ହଜାର ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ସିସି କ୍ୟାମେରା ନଜରରେ ରଥ ଚାରିପଟ ଓ ବଡ଼ଦାଣ୍ଡ ରହିଛି । ରଥ ଚାରିପଟେ ଏବଂ ବଡ଼ଦାଣ୍ଡରେ ଗହଳି ନିୟନ୍ତ୍ରଣ ଉପରେ ଗୁରୁତ୍ଵ ଦିଆଯାଉଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର କହିଛନ୍ତି । ରଥ ଉପରେ ଶ୍ରୀଜୀଉମାନଙ୍କ ସଂନ୍ଧ୍ୟା ଆଳତି ନୀତି ପରେ ଏକାଦଶୀ ସର୍ବାଙ୍ଗ କରାଯିବ । ଅପରାହ୍ନ ୫ଟାରେ ସୁନାବେଶ ଆରମ୍ଭ ହେବ । ବିଭିନ୍ନ ପ୍ରକାର ସ୍ଵର୍ଣ୍ଣ ଅଳଙ୍କାରରେ ମହାପ୍ରଭୁଙ୍କୁ ସଜ୍ଜିତ କରାଯିବ । ସଂନ୍ଧ୍ୟା ସୁଦ୍ଧା ବେଶ ଶେଷ ହେବାର କାର୍ଯ୍ୟକ୍ରମ ରହିଛି । ସେହିପରି ରାତି ୧୧ଟାରେ ବେଶ ଓଲାଗି କରାଯିବା ନେଇ ପ୍ରଶାସନ ପକ୍ଷରୁ ନୀତି ନିର୍ଘଂଟ କରାଯାଇଛି । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମାର୍କେଟ୍ ଛକରୁ ବ୍ୟାରିକେଡ୍ କରାଯାଇଛି । ଶ୍ରଦ୍ଧାଳୁମାନେ ବ୍ୟାରିକେଡ୍ ଦେଇ ରଥ ସମ୍ମୁଖରେ ପହଂଚିବେ । ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କରି ଅପରପାର୍ଶ୍ଵ ଦେଇ ପ୍ରତ୍ୟାବର୍ତନ କରିବେ । ଦଳାଚକଟା ପରିସ୍ଥିତି ଏଡାଇବା ପାଇଁ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ସୁରକ୍ଷା ବଳ ସମେତ କୁଇକ୍ ରେସପନ୍ସ ଟିମ୍ ନିୟୋଜିତ କରାଯାଇଛି । ଚଳିତ ବର୍ଷ ଶ୍ରୀମାର୍ଗକୁ ଲୋକଙ୍କ ଯାତାୟାତ ପାଇଁ ବ୍ୟବହାର କରାଯିବ ବୋଲି ଏସପି ଶ୍ରୀ ମିଶ୍ର କହିଛନ୍ତି । ସୁନାବେଶରେ ଥାଇ ରଥ ଉପରେ ଶ୍ରୀଜୀଉଙ୍କ ସଂନ୍ଧ୍ୟାଧୂପ, ମହାଦୀପ ବନ୍ଦାପନା କରାଯିବ । ବେଶ ଓଲାଗି ପରେ ଶ୍ରୀଜୀଉଙ୍କୁ ଚନ୍ଦନଲାଗି, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ କରାଯିବା ସହ ହରିଶୟନ ନୀତି ଅନୁଷ୍ଠିତ ହେବ ।
ଆଜି ସକାଳୁ ରଥ ଉପରେ ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତିକାନ୍ତି ମଇଲମ, ତଡ଼ପଲାଗି, ଅବକାଶ ଓ ସକାଳ ବେଶ ଶେଷ ହୋଇଥିଲା । ଏହାପରେ ଗୋପାଳବଲ୍ଲଭ, ସକାଳଧୂପ, ମଧ୍ୟାହ୍ନରେ ମଇଲମ ଓ ପରେ ମହାସ୍ନାନ ଓ ସର୍ବାଙ୍ଗ ହୋଇଥିଲା । ଶ୍ରୀମନ୍ଦିର ଭିତରେ ଶ୍ରୀଜିଉ ମାନେ ବର୍ଷକୁ ଚାରିଥର ସୁନାବେଶ ହେଉଥିବା ବେଳେ ରଥ ଉପରେ ଆଷାଢ ଶୁକ୍ଲ ଏକାଦଶୀରେ ସୁନାବେଶ ଅନୁଷ୍ଠିତ ହୋଇଥାଏ । ରତ୍ନସିଂହାସନରେ ଦଶହରା, କାର୍ତିକ ପୂର୍ଣ୍ଣମୀ, ପୌଷ ପୂର୍ଣ୍ଣମୀ ଓ ଦୋଳ ପୂର୍ଣ୍ଣମୀରେ ସୁନାବେଶ ହୋଇଥାଏ । ରଥ ଉପରେ ସମସ୍ତ ଅଳଙ୍କାର ସୁବର୍ଣ୍ଣ ହୋଇଥିବା ବେଳେ କେବଳ ଆୟୁଧ ଶଙ୍ଖ ରୂପାରେ ନିର୍ମିତ । ଏହାସହ ଫୁଲରେ ନିର୍ମିତ ହୋଇଥାଏ ଅଧରମାଳ, ନାକୁଆସି ଓ ଝୁମ୍ପା ।
ଶ୍ରୀବଳଭଦ୍ରଙ୍କୁ ଲାଗି ହେବାକୁଥିବା ସ୍ଵର୍ଣ୍ଣ ଅଳଙ୍କାର-
ଶ୍ରୀବଳଭଦ୍ର ଠାକୁରଙ୍କୁ ସ୍ଵର୍ଣ୍ଣର ଶ୍ରୀପୟର, ଶ୍ରୀଭୂଜ, କିରୀଟ, ଓଡିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡ଼ାମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳତା, ଝୋବାକଣ୍ଠି, ହଳ ଓ ମୂଷଳ, ବାହାଡ଼ା ମାଳି, ବାଘନଖ ମାଳି, ସେବତୀମାଳି ଓ ତ୍ରିଖଣ୍ଡିକା କମରପଟି ଲାଗି ହେବ ।
ମା ସୁଭଦ୍ରାଙ୍କୁ ଲାଗି ହେବାକୁ ଥିବା ସ୍ଵର୍ଣ୍ଣ ଅଳଙ୍କାର-
ମା ସୁଭଦ୍ରାଙ୍କୁ ଲାଗିହେବାକୁ ଥିବା ବିଭିନ୍ନ ସ୍ଵର୍ଣ୍ଣ ଅଳଙ୍କାର ମଧ୍ୟରେ କିରିଟ, ଓଡିଆଣି, କାନ, ଚନ୍ଦ୍ରସୂର୍ଯ୍ୟ, ଘାଗଡ଼ାମାଳି, କଦମ୍ବ ମାଳି, ତଗଡ଼ୀ ଓ ସେବତୀ ମାଳି ଆଦି ରହିଛି ।
ଶ୍ରୀଜଗନ୍ନାଥଙ୍କୁ ଲାଗି ହେବାକୁ ଥିବା ସ୍ଵର୍ଣ୍ଣ ଅଳଙ୍କାର-
ଶ୍ରୀଜଗନ୍ନାଥଙ୍କୁ ଶ୍ରୀଭୂଜ, ଶ୍ରୀପୟର, କିରିଟ, ଓଡିଆଣି, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡ଼ାମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ସ୍ୱର୍ଣ୍ଣଚକ୍ର, ରୌପ୍ୟଶଙ୍ଖ, ହରିଡାମାଳି, କଦମ୍ବମାଳି, ବାହାଡ଼ା ମାଳି, ତାବିଜ ମାଳି, ସେବତୀ ମାଳି ଓ ତ୍ରିଖଣ୍ଡିକା କମରପଟି ଆଦି ସ୍ଵର୍ଣ୍ଣଅଳଙ୍କାର ଲାଗି ହେବ ।