-
ଶୁଭ ସମୟ ସକାଳ ୯ଟା ୫୧ରୁ ୧୨ଟା ୧୫ ମଧ୍ୟରେ ଖୋଲାଯିବ
ପୁରୀ/ଭୁବନେଶ୍ୱର, ଆଗାମୀ ୧୮ ତାରିଖ ଗୁରୁବାର ରତ୍ନଭଣ୍ଡାର ଖୋଲାଯିବ। ରତ୍ନଭଣ୍ଡାର ସଂପର୍କିତ ଜରୁରୀ ବୈଠକ ପରେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ଶୁଭ ସମୟ ସକାଳ ୯ଟା ୫୧ରୁ ୧୨ଟା ୧୫ ମଧ୍ୟରେ ଖୋଲାଯିବ। ଭିତର ଭଣ୍ଡାର ତାଲା ଖୋଲାଯାଇ ଅଳଙ୍କାର ସ୍ଥାନାନ୍ତରଣ ହେବ। ସିନ୍ଦୁକ ଏବଂ ଆଲମାରୀରେ ଥିବା ଅଳଙ୍କାର ସ୍ଥାନାନ୍ତର ହେବ।
ସେ କହିଛନ୍ତି ଯେ, ସମସ୍ତ ସ୍ଥାନାନ୍ତରଣ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ। ଅସ୍ଥାୟୀ ରତ୍ନଭଣ୍ଡାର ‘ଖଟଶେଯ ଘର’କୁ ସ୍ଥାନାନ୍ତରଣ କରାଯିବ। ସ୍ଥାନାନ୍ତରଣ ପରେ ଅସ୍ଥାୟୀ ରତ୍ନଭଣ୍ଡାର ତାଲା ସିଲ୍ କରାଯିବ। ତାଲାକୁ ଜଉମୁଦ ସିଲ୍ କରାଯାଇ ଚାବି ଟ୍ରେଜେରୀରେ ରଖାଯିବ।
ଆଜି ପୁରୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ରତ୍ନଭଣ୍ଡାର ଖୋଲାଯିବା ସଂପର୍କରେ ତଦାରଖ କମିଟିର ବୈଠକରେ ବିଚାରବିମର୍ଶ ପରେ ଗୁରୁବାର ଖୋଲାଯିବା ନେଇ ନିଷ୍ପତ୍ତି ନିଆଗଲା।
ବୈଠକରେ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଉପସ୍ଥିତ ଥିଲେ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ଗତ ୧୪ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଥିଲା। ବାହାର ରତ୍ନଭଣ୍ଡାରରୁ ଅଳଙ୍କାରକୁ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମକୁ ସ୍ଥାନାନ୍ତର କରାଯାଇଛି। ସେଦିନ ଭିତର ରତ୍ନଭଣ୍ଡାର ତାଲା ଭଙ୍ଗାଯାଇଥିଲା। ଭିତର ଭଣ୍ଡାର ସିନ୍ଦୁକ ଓ ଆଲମାରୀରେ ଥିବା ଅଳଙ୍କାର ସବୁର ସ୍ଥାନାନ୍ତର ରଥଯାତ୍ରା ପରେ ଆଉ କୌଣସି ଏକ ଦିନ ହେବ ବୋଲି ନିଷ୍ପତ୍ତି ହୋଇଥିଲା।