-
ବଢୁଛି ଜନ ଅସନ୍ତୋଷ, ତେଜୁଛି ଆନ୍ଦୋଳନ
ହରିଚନ୍ଦନପୁର, କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ତହସିଲ ଅନ୍ତର୍ଗତ ସ୍ଥାନୀୟ ମୂଷଳ ନଦୀର ପାର୍ଶ୍ବରେ ଥିବା ୧ ଏକର ୮୨ ଡିସିମିଲ ଅନାବାଦୀ ଜମିକୁ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ବର୍ତ୍ତମାନର କାର୍ଯ୍ୟରତ ତହସିଲଦାର ହିମାଂଶୁ ଶେଖର ପଣ୍ଡା ଏବଂ ଅତିରିକ୍ତ ତହସିଲଦାର ବିରାମ୍ କିସ୍କୁଙ୍କ ଭୂମିକା ସନ୍ଦେହ ଘେରରେ ରହିଛି । ଏହି ମାମଲାରେ ମୋଟା ଅଙ୍କର ହାତଗୁଞ୍ଜା ନିଆ ଯାଇ ବିକ୍ରି କରାଯାଇଥିବା ନେଇ ସ୍ଥାନୀୟ ଲୋକ ମାନେ ଅଭିଯୋଗ କରିଛନ୍ତି ।
ପୂର୍ବ ପୁରୁଷ ଧରି ଯେଉଁ ଅନାବାଦୀ ଜମିରେ ହରିଚନ୍ଦନପୁରର ସ୍ଥାନୀୟ ବାସିନ୍ଦା ଶବ ସତ୍କାର କରିଆସୁଥିଲେ ସେହି ଜମିରୁ ସମାଧି ଭାଙ୍ଗି ବ୍ୟକ୍ତିଗତଙ୍କୁ କେଉଁ ଉଦ୍ଦେଶ୍ୟରେ ରାସ୍ତା ନିର୍ମାଣ ପାଇଁ ଅନୁମତି ଦିଆଗଲା । ଏସମ୍ପର୍କରେ ପଚାରିବାରୁ କେବଳ ନାଲି ଆଖି ଛଡା ଜନସାଧାରଣ ଓ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିବାକୁ ଭୟ କରୁଛନ୍ତି ତହସିଲଦାର ଓ ଅତିରିକ୍ତ ତହସିଲଦାର । ରାଜ୍ୟ ସରକାର ଜବରଦଖଲ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଥିବା ସତ୍ବେ ଏଠାରେ ହଜାର ହଜାର ଲୋକଙ୍କ ସ୍ବାର୍ଥକୁ ବଳି ପକାଇ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ କେମିତି ଅନାବାଦୀ ଶ୍ମଶାନ ଜମି ଛଡାଗଲା । ଯେଉଁ ଜମିକୁ ରାସ୍ତା ନାହିଁ ସେହି ଜମିକୁ କିପରି ଘରବାଡ଼ି ପଟ୍ଟା ପ୍ରଦାନ କରାଯାଇଛି ସେନେଇ ତାଙ୍କ କାର୍ଯ୍ୟକାରିତା ଉପରେ ବଡ଼ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ତହସିଲଦାରଙ୍କ ଏମିତି କାର୍ଯ୍ୟକଳାପ ଓ ଲାଭକ୍ଷୋର ନିତିକୁ ନେଇ ସ୍ଥାନୀୟ ବାସିନ୍ଦା ଆନ୍ଦୋଳନର ପନ୍ଥା ଆପଣେଇବାକୁ ବାଧ୍ୟ ହୋଲେଣି । ତହସିଲଦାରଙ୍କ ଏମିତି କଥାବାର୍ତ୍ତା ଓ ବ୍ୟବହାରକୁ ନେଇ ଏଠାକାର କୌଣସି ବିଭାଗର ଅଧିକାରୀ ୟାଙ୍କୁ ପସନ୍ଦ କରୁନଥିବା ପୂର୍ବରୁ ସାଧାରଣରେ ଆଲୋଚନାର ବିଷୟ ପାଲଟିଛି । ହାତଗୁଞ୍ଜା ଆଶାରେ ସାମାନ୍ୟ କାର୍ଯ୍ୟ ପାଇଁ ନିରିହ ଲୋକଙ୍କୁ ଏହି ଦୁଇବାବୁ ମାସ ମାସ ଧରି କାର୍ଯ୍ୟାଳୟକୁ ଦୌଡ଼ିବାକୁ ବାଧ୍ୟ କରୁଥିବା ପୂର୍ବରୁ ଅନେକ ଅଭିଯୋଗ ରହିଛି । ଏଥିସହ ଜଣେ ଦୈନିକ ଖବର କାଗଜର ପ୍ରତିନିଧିଙ୍କ ସମ୍ପର୍କୀୟଙ୍କ ଉତ୍ତରାଧିକାରୀ ପ୍ରମାଣ ପତ୍ର ପାଇଁ ଏହି ଦୁଇବାବୁ ୪ମାସରୁ ଉର୍ଦ୍ଧ୍ବ ସମୟ ଦୌଡ଼େଇବା ପରେ ମଧ୍ୟ ପ୍ରମାଣ ପତ୍ର ଦେଇନଥିବା ଗଣମାଧ୍ୟମରେ କିଛି ଦିନ ପୂର୍ବରୁ ପ୍ରକାଶ ପାଇଥିଲା । ତୁରନ୍ତ ଏହି ଦୁଇବାବୁଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ସ୍ଥାନୀୟ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ କରାନଗଲେ ଆଗାମୀ ଦିନରେ ରାଜରାସ୍ତାରେ ନିଆଁ ଜଳିବାକୁ ଲୋକେ ଚେତାବନୀ ଦେଇଛନ୍ତି । ଏହି ଘଟଣାକୁ ନେଇ ଜିଲ୍ଲାପାଳ ଓ ମୋହନ ଭାଇ ସରକାରଙ୍କ ଦ୍ବାରସ୍ଥ ହେବାକୁ ଅଣ୍ଟା ଭିଡିଲେଣି ସ୍ଥାନୀୟ ବାସିନ୍ଦା । ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ହରିଚନ୍ଦନପୁର ବାସିଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।