
ୱାଶିଂଟନ– ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ନେତା ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଏକ ନିର୍ବାଚନୀ ରାଲି ସମୟରେ ଘାତକ ଆକ୍ରମଣ ହୋଇଛି । ତାଙ୍କୁ ନିଶାନା କରି ଗୁଳି ଚଳାଯାଇଥିଲା । ତେବେ ଟ୍ରମ୍ପ ସଂପୂର୍ଣ୍ଣ ଭାବେ ସୁରକ୍ଷିତ ଅଛନ୍ତି । ଟ୍ରମ୍ପଙ୍କ ଉପରେ ଗୁଳି ଚଳାଇଥିବା ଆକ୍ରମଣକାରୀକୁ ସିକ୍ରେଟ ସର୍ଭିସର ଏଜେଂଟମାନେ ମାରିଦେଇଥିବା ଜଣାପଡିଛି । ଭାରତୀୟ ସମୟ ରବିବାର ଭୋର 4ଟା ବେଳେ ଏହି ଘଟଣା ଘଟିଛି । ସେତେବେଳେ ଆମେରିକାରେ ଶନିବାର ସନ୍ଧ୍ୟା ସାଢେ 6ଟା ବାଜିଥିଲା । ପେଂସିଲ୍ଭେନିୟାର ବଟଲରରେ ରାଲି ସମୟରେ ମଂଚରେ କହୁଥିବା ବେଳେ ଟ୍ରମ୍ପକୁ ନିଶାନା କରି ଗୁଳି ଚଳାଯାଇଥିଲା । ଏହି ସମୟରେ ଟ୍ରମ୍ପ ନିଜ ଡାହାଣ କାନରେ ହାତ ରଖି ତଳକୁ ନଇଁଯାଇଥିଲେ । ସୁରକ୍ଷାକର୍ମୀ ତୁରନ୍ତ ଟ୍ରମ୍ପକୁ ସମ୍ଭାଳିନେଇଥିଲେ । ଟ୍ରମ୍ପଙ୍କ ମୁହଁ ଓ କାନରେ ରକ୍ତ ଲାଗିଥିବାର ଦେଖିବାକୁ ମିଳିଛି । ସୁରକ୍ଷାକର୍ମୀମାନେ ସୁଟରଙ୍କୁ ମାରି ଦେଇଛନ୍ତି । ସୁରକ୍ଷାକର୍ମୀ ଟ୍ରମ୍ପକୁ ମଂଚରୁ ଓହ୍ଲାଇ ସେଠାରୁ ନେଇଯାଇଥିଲେ ।